• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜଗତସିଂହପୁର ଜିଲ୍ଳାର ଅଧିଷ୍ଟାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ଚାଲିଛି ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ । ଏଥିପାଇଁ ମନ୍ଦିର ନିକଟରୁ ସମସ୍ତ ବ୍ୟବସାୟୀ ମାନଙ୍କୁ ଉଛେଦ କରାଯାଇଛି । ପୂର୍ବରୁ ମଧ୍ୟ ୨୦୧୫ ମସିହା ନବକଳେବର ସମୟରେ ଏଠାରେ ବଳଭଦ୍ରଙ୍କ ଦାରୁ ଚିହ୍ନଟ ପରେ ଅନେକ ବ୍ୟବସାୟ ପ୍ରତିଷ୍ଠାନ ଭଙ୍ଗା ଯାଇଥିଲା । ଉଛେଦ ସମୟରେ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ଦୀର୍ଘ ଦିନ ପରେ ମଧ୍ୟ ତାହା ପୂରଣ ହୋଇନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ସେହିପରି ଆସନ୍ତା ପାର୍ବଣ ପୂଜା ପୂର୍ବରୁ ମନ୍ଦିର ଚର୍ତୁପାଶ୍ୱର୍ରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସେମାନେ ନିବେଦନ କରିଛନ୍ତି ।

ଜଗତସିଂହପୁର ଜିଲ୍ଳାର ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ପୀଠରେ ବର୍ଷତମାମ ଭୀଡ ଲାଗି ରହିଥାଏ । ବିଶେଷକରି ଦଶହରା ପାର୍ବଣ ପୂଜା ଏବଂ ପଣାସଂକ୍ରାନ୍ତିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ଏହି ପବିତ୍ର ପୀଠରେ । ତେବେ ମନ୍ଦିର ନିକଟରେ ୪୦ କୋଟି ଟଙ୍କା ବ୍ୟୟ ଅଟକଳରେ ଗତ ଡିସେମ୍ବର ମାସଠାରୁ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି । ଏଥିପାଇଁ ଏଠାରେ ବିଭିନ୍ନ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କୁ ଉଚ୍ଛେଦ କରାଯାଇଛି ।

ପୂର୍ବରୁ ମଧ୍ୟ ୨୦୧୫ ମସିହା ନବକଳେବର ସମୟରେ ଅନେକ ବ୍ୟବସାୟୀଙ୍କୁ ଉଛେଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ମାର୍କେଟ କମ୍ପଲେକ୍ସ ନିର୍ମାଣ କରାଯାଇ ଏମାନଙ୍କୁ ଥଇଥାନର ପ୍ରତିଶୃତି ମିଳିଥିଲା । ହେଲେ ମନ୍ଦିରର କିଛି ଦୂରରେ ମାର୍କେଟ କମ୍ପଲେକ୍ସ ନିର୍ମାଣ କରାଯାଇ ଉଦ୍‌ଘାଟନ କରାଯାଇଥିଲେ ମଧ୍ୟ ବ୍ୟବସାୟୀଙ୍କୁ କିନ୍ତୁ ମିଳିନାହିଁ । ଏବେ ପୁଣି ତା’ ଉପରେ ଘର ନିର୍ମାଣ କରାଯାଉଛି । ବାରମ୍ବାର ଏ ସଂପର୍କରେ ଉଚ୍ଛେଦ ବ୍ୟବସାୟୀ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ଆସନ୍ତା ପାର୍ବଣ ପୂଜା ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ କରି ମନ୍ଦିର ଚାରିପାଖ ସଫା କରିବାକୁ ସେମାନେ ଦାବି କରିଛନ୍ତି ।

ଏ ସଂପର୍କରେ ଶାରଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୈାର୍ଯ୍ୟ ରଞ୍ଜନ ପରିଜାଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଉଚ୍ଛେଦ ବ୍ୟବସାୟୀ ମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି । ସେହିପରି ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ସାଧାରଣରେ ଅସନ୍ତୋଷ ଥିବା ଅଭିଯୋଗକୁ ସ୍ୱୀକାର କରିବା ସହିତ ମନ୍ଦିର ପରିସରରେ ସମସ୍ତ ନିର୍ମାଣ କାର୍ଯ୍ୟ ପାର୍ବଣ ପୂର୍ବରୁ ସରିବ ବୋଲି ଠିକାସଂସ୍ଥା ପ୍ରତିଶୃତି ଦେଇଥିବା ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।

  • Reported by:
  • Sashank Sekhar Panda