• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିସ୍ତିର୍ଣ୍ଣ ଅଞ୍ଚଳରେ କରାଯାଇଛି କେବଳ କଦଳୀ ଚାଷ । ଯୁଆଡ଼େ ଆଖି ବୁଲାଇଲେ ଖାଲି କଦଳୀ ଗଛ । ସକାଳ ହେଲେ ନିଇତି କୋଡି କୋଦାଳ ଧରି ପାଖ ଗାଁର ମହିଳାମାନେ ବାହାରି ପଡନ୍ତି କଦଳୀ କ୍ଷେତକୁ । କେମିତି ଗଛର ଯତ୍ନ ନିଆଯିବ ? କେମିତି ଗଛ ଗୁଡିକ ଭଲରେ ବଢିବ ସେଇ ଚିନ୍ତାରେ ଥାନ୍ତି ମହିଳାମାନେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କଦଳୀ ଗଛ ଗୁଡିକ ଛୋଟ ଛୋଟ ଥିଲେ ବି ଅତିସହଜରେ ଫଳ ଦେଇପାରୁଛନ୍ତି । ସବୁ ଗଛରେ ପ୍ରାୟ ଫୁଲ ଆସିଲାଣି । ବାସ୍‌ ଏଇ ସମୟରେ ଟିକିଏ ଅଧିକ ଯତ୍ନ ନେଲେ ଗଛରେ ଭଲ ଫଳିବ ।

ଏମିତି କିଛି ଦେଖିବାକୁ ମିଳିଛି ଗଂଜାମ ସୋରଡାର ଆଦିବାସୀ ଗାଁ ଖଜୁରୀଡିହର । ପୂର୍ବରୁ ଗାଁ ସ୍ତ୍ରୀ ଲୋକମାନେ ପାଖ ଜଙ୍ଗଲକୁ ଯାଇ ଶାଳପତ୍ର, କେନ୍ଦପତ୍ର, ଜାଳେଣି କାଠ ସହ ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ଆଣି ବଜାରରେ ବିକ୍ରି କରୁଥିଲେ । ଆଉ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ଏବେ ଘରର ପୁରୁଷ ପୁଅ ମଜୁରୀ ଖଟି ଗଲା ପରେ ମହିଳାମାନେ ଏକାଠି ହୋଇ ଚାଷ କରୁଛନ୍ତି । ଗାଁର ୧୧ ମହିଳା ଏହି ଚାଷ କାର୍ଯ୍ୟରେ ଲାଗିଛନ୍ତି । କଦଳୀ, ଅମୃତଭଣ୍ଡା, ଗେଣ୍ଡୁ ଫୁଲ, ଛତୁଚାଷ ପରି ଅନେକ ପ୍ରକାର ଫୁଲ ଓ ଫଳ ଚାଷ କରୁଛନ୍ତି ଏହି ମହିଳାମାନେ ।

ମାତ୍ର ଦୁଇ ଏକର ଜମିରେ ଏହି ସବୁ ଚାଷ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୧୫ ଶହ ଚାରା ଲଗାଇଥିଲେ । ଆଉ ମାତ୍ର ୬ ମାସ ମଧ୍ୟରେ କଦଳୀ ଫଳିଲା । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏମାନଙ୍କୁ ଏମିତି ଚାଷ କରିବାର ପ୍ରେରଣା ଦେଇଛି ଖୋଦ୍‌ ବନବିଭାଗ । ଆଉ ବନ କର୍ମଚାରୀଙ୍କ କଥାକୁ ଗୁରୁତ୍ୱ ଦେଇ ଗାଁର ମହିଳାମାନେ କରିପାରିଛନ୍ତି ସୁନାର କ୍ଷେତ ।

କଦଳୀ ଚାଷ କରିବା ପରେ ଭଲ ଦୁଇ ପଇସା ଏମାନେ ରୋଜଗାର ବି କରୁଛନ୍ତି । କାରଣ କଦଳୀ ଏମିତି ଏକ ଗଛ ଯାହାର ଫଳ, ପତ୍ର ଏବଂ ମଂଜା ସବୁକୁ ବିକ୍ରି କରାଯାଏ । ସେପଟେ ଏହି ଚାଷ ସମ୍ପର୍କରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ କହିଛନ୍ତି ଏବେ ଅନେକ ସ୍ଥାନରେ ମହିଳାମାନଙ୍କୁ ଏମିତି କାର୍ଯ୍ୟ ପାଇଁ ପ୍ରତ୍ସୋହନ ଦିଆଯାଉଛି । କେମିତି ମହିଳାମାନେ ଆତ୍ମନିର୍ଭରଶୀଳ ହେବେ ସେନେଇ ସ୍ୱତନ୍ତ୍ର ପଦକ୍ଷେପ ବି ନିଆଯାଉଛି ।

(ରିପୋର୍ଟ- ରାଜେଶ କୁମାର ପଣ୍ଡା, ଭଂଜନଗର)