• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସରକାରୀ ଚାକିରି ପାଇଁ ଆଶାୟୀ ଥିବା ମେଧାବୀ ପିଲାଙ୍କ ଲାଗି ଖୋଲିଲା ମାଗଣା ପାଠଶାଳା । ଯେଉଁଠି ପ୍ରତିଦିନ ପିଲାଙ୍କୁ ପଢାଯାଉଛି ପାଠ । ବିଶେଷ କରି ଲିଖିତ ପରୀକ୍ଷାରେ ଆସୁଥିବା ବିଭିନ୍ନ ପ୍ରଶ୍ନକୁ ନେଇ ପିଲାଙ୍କୁ ଦିଆଯାଉଛି କୋଚିଂ । ଆଉ ଯେଉଁମାନେ ଟଙ୍କା ଲାଗି କୋଚିଂ ନେବାରେ ଅସୁବିଧାର ସାମ୍ନା କରୁଛନ୍ତି ସେମାନେ ଆସି ବେଶ୍‌ ଭଲରେ ପଢୁଛନ୍ତି ପାଠ ।

ମେଧାବୀ ପିଲାଙ୍କୁ ମାଗଣା ଟ୍ରେନିଂ ଦେବାକୁ ନେଇ ଏବେ ଚର୍ଚ୍ଚାରେ ଜୟପୁର ସହର । ସ୍ଥାନୀୟ ଅଂଚଳର ଜୟନଗରସ୍ଥିତ ଚିତ୍ତବିନୋଦନ ପାର୍କରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟତଃ ସାହିତ୍ୟ, ଇଂରାଜୀ, ବିଜ୍ଞାନ, ସାଧାରଣଜ୍ଞାନ ଓ ବିଜ୍ଞାନ ସହ ଅନେକ ପାଠ୍ୟକ୍ରମକୁ ଅତି ସରଳ ଭାବେ ପଢାଯାଉଛି । ସିୱା ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ବର୍ତ୍ତମାନର ଶିକ୍ଷକମାନେ ନିଜର ବହୁ ମୂଲ୍ୟ ସମୟ ଦେଇ ପଢାଉଛନ୍ତି ପାଠ । ପ୍ରତିଦିନ ସକାଳ ସାଢେ ୬ରୁ ସାଢେ ୮ଟା ଯାଏଁ ଦୁଇ ଘଣ୍ଟା ଲେଖାଏଁ ପିଲାଙ୍କୁ ଦିଆଯାଉଛି କୋଚିଂ ।

ଅନେକ ସମୟରେ ଦେଖିବାକୁ ମିଳୁଛି କି ପିଲାମାନେ ଫିଜିକାଲ୍ ପରୀକ୍ଷାରେ ପାସ୍‌ କରିଯାଉଥିବା ବେଳେ ଲିଖିତ ପରୀକ୍ଷାରେ ଫେଲ ମାରୁଛନ୍ତି । ବିଶେଷ କରି ଲିଟରେଚରରେ ପିଲାମାନେ ବିଶେଷ ଭାବରେ ସଫଳତା ହାସଲ କରିପାରୁନାହାନ୍ତି । ଇଚ୍ଛା ଥିଲେ ବି ଆର୍ଥିକ ସମସ୍ୟା ଲାଗି ଛାତ୍ରଛାତ୍ରୀମାନେ ନେଇପାରୁନାହାନ୍ତି କୋଚିଂ । ତେଣୁ କେମିତି ମେଧାବୀ ଛାତ୍ରଛାତ୍ରୀମାନେ ଫ୍ରୀରେ କୋଚିଂ ନେଇପାରିବେ ଓ ସଫଳତା ପାଇବେ ସେନେଇ ସହରର ସାମାଜିକ ସଂଗଠନ ଗତ ୩ ବର୍ଷ ହେଲା ଏପରି ସହାୟତା ଯୋଗାଉଛନ୍ତି ।

ଏଇ ବର୍ଷ ପାଖାପାଖି ୫୦ରୁ ଅଧିକ ପିଲାଙ୍କୁ ମାଗଣା ଶିକ୍ଷା ଦିଆଯାଉଥିବା ବେଳେ ବିଗତ ଦୁଇବର୍ଷରେ ଏଠାରେ କୋଚିଂ ନେଉଥିବା ପିଲାଙ୍କ ମଧ୍ୟରୁ ୩୦ରୁ ଅଧିକ ପିଲା ସଫଳତା ବି ପାଇଛନ୍ତି । ତେଣୁ ଆଗାମୀ ଦିନରେ କେମିତି ପିଲାଙ୍କୁ ଅଧିକରୁ ଅଧିକ ସଫଳତା ମିଳିବ ସେନେଇ ଚେଷ୍ଟା କରାଯାଉଥିବା କହିଛନ୍ତି ଶିକ୍ଷକ ।

 

  • Reported by:
  • T GOURISHANKAR