• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟ ଶାସନରେ ଅଫିସରରାଜ୍, ପଞ୍ଚାୟତରେ ବି ହାକିମାତି । ସରପଞ୍ଚଙ୍କ କ୍ଷମତା ସଙ୍କୁଚିତ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି । ବ୍ୟବସ୍ଥା ବିରୋଧରେ ରାଜରାସ୍ତାରେ ସରପଞ୍ଚ । ଅଧିକାର ଦାବିରେ ଗର୍ଜିଲେ, ସମୁହ ଇସ୍ତଫା ଦେବାକୁ ଧମକ ମଧ୍ୟ ଦେଲେ । ଅଫିସରରାଜ୍ ଆଉ କେବଳ ରାଜ୍ୟ କି ଜିଲ୍ଲାରେ ସୀମିତ ହୋଇ ରହିନି । ଗାଁ ଗାଁକୁ ବି ଛୁଇଁଲାଣି । ଧୀରେ ଧୀରେ ପଞ୍ଚାୟତକୁ ବି ଗ୍ରାସ କରିଗଲାଣି ବାବୁଙ୍କ ମାମଲାତି । ଅର୍ଥାତ୍ ପଞ୍ଚାୟତରେ ଆଉ ସରପଞ୍ଚ ନୁହେଁ, ଚାଲିଛି ବିଡିଓଙ୍କ ରାଜ୍ ।

ସରକାରରେ ସଚିବ, ଜିଲ୍ଲାରେ ଜିଲ୍ଲାପାଳ ଆଉ ପଞ୍ଚାୟତରେ ବିଡିଓଙ୍କ ମାତ୍ରାଧିକ ହସ୍ତକ୍ଷେପକୁ ନେଇ ଆଜି ରଣହୁଙ୍କାର ଦେଇଛନ୍ତି ସରପଞ୍ଚ । ଲୋୟର ପିଏମଜିରେ ହଜାର ହଜାର ସରପଞ୍ଚ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଭିଯୋଗ କରି କହିଛନ୍ତି, କୋଭିଡ୍ ବେଳେ ଆମକୁ ଜିଲ୍ଲାପାଳର କ୍ଷମତା ଦିଆଗଲା । ଆଉ ଏବେ ଆମେ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ପଙ୍ଗୁ ପାଲଟିଛୁ । ଜନସେବା ପାଇଁ ଲୋକଙ୍କ ଦ୍ୱାରା ଚୟନ ହୋଇ ବି ନଳକୂଅଟିଏ ମରାମତି ପାଇଁ ଟଙ୍କା ପାଇବାକୁ ବିଡିଓଙ୍କ ଅନୁମତି ପାଇଁ ଗୋଡ଼ ଭାଙ୍ଗି ଛିଡ଼ା ହେବାକୁ ପଡ଼ୁଛି ।

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଞ୍ଚାୟତର ବିକାଶ ପାଇଁ ଆସୁଥିବା ଅର୍ଥ ଗ୍ରାମସଭା ଜରିଆରେ ପାରିତ ହେବା ବଦଳରେ ବିଡିଓଙ୍କ ମନମାନିରେ ହେଉଛି । କେଉଁ ପ୍ରକଳ୍ପ ଲାଗି ଅର୍ଥ ଖର୍ଚ୍ଚ ହେବ ନା ଗ୍ରାମସଭା ବସୁଛି ନା ସରପଞ୍ଚ ଜାଣୁଛନ୍ତି । ତୁରନ୍ତ ସରକାର ଏ ବାବୁଗିରି ବନ୍ଦ କରନ୍ତୁ । ପଞ୍ଚାୟତ କାମରେ ବିଡିଓ କାଉଣ୍ଟର ହସ୍ତାକ୍ଷରକୁ ବନ୍ଦ କରନ୍ତୁ । ନଚେତ ସପ୍ତାହକ ପରେ ସାମୁହିକ ଇସ୍ତଫା ଦେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାକୁ ଓହ୍ଲାଇବୁ । ଏମିତିକି ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ବି ପଛେଇବୁନି ।

ସରପଞ୍ଚମାନେ କେବଳ ବାବୁଗିରିକୁ ବିରୋଧ କରିନାହାନ୍ତି, ୧୫ ଦଫା ଦାବି ନେଇ ସରକାରଙ୍କୁ ଘେରିଛନ୍ତି । କହିଛନ୍ତି, ବିଧାୟକମାନେ ମାସକୁ ଲକ୍ଷ ଲକ୍ଷ ଟଙ୍କାର ଭତ୍ତା ପାଉଥିବା ବେଳେ ସରପଞ୍ଚମାନଙ୍କୁ ମାତ୍ର ୨ ହଜାର ୩୫୦ ଟଙ୍କା ଭତ୍ତା ମିଳୁଛି, ଯାହାକି ଦିନକୁ ମାତ୍ର ୮୦ ଟଙ୍କା । ସରକାର ଏହି ଭତ୍ତାକୁ ୩୦ ହଜାର ଟଙ୍କାକୁ ବଢ଼ାନ୍ତୁ । ଏହାଛଡ଼ା ସରପଞ୍ଚଙ୍କୁ ବି ସ୍ୱାସ୍ଥ୍ୟ ବୀମା ଯୋଗାଇଦିଅନ୍ତୁ । ବିପର୍ଯ୍ୟୟ ମୁକାବିଲା ପାଇଁ ପଞ୍ଚାୟତରେ ରହୁ ସ୍ୱତନ୍ତ୍ର ସରପଞ୍ଚ ହାତପାଣ୍ଠି । ଏପଟେ ସରପଞ୍ଚଙ୍କ ଦାବି ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

ଆଗକୁ ସାଧାରଣ ନିର୍ବାଚନ । ଏମିତି ସ୍ଥିତିରେ ତୃଣମୂଳ ସ୍ତରରେ ଭୋଟରଙ୍କ ସବୁଠୁ ନିକଟତର ଏ ସରପଞ୍ଚମାନଙ୍କ ଦାବିକୁ ଅଣଦେଖା କରିବା, ସରକାରଙ୍କୁ ମହଙ୍ଗା ପଡ଼ିପାରେ ।

  • Reported by:
  • KAPILENDRA PRADHAN , ATULYA BOUT , DEEPAK KUMAR ADAR