• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭରା ନଈ...ସ୍ରୋତ ବି ପ୍ରବଳ...ଆଉ ତା’ରି ଭିତରେ ଚାଲିଛି ଡଙ୍ଗା । କୁନି ଛୁଆଠୁ ଆରମ୍ଭ କରି ବୟସ୍କ, ମହିଳା ସମସ୍ତେ ଡଙ୍ଗାରେ ପାର୍‌ ହେଉଛନ୍ତି ନଈ । ଶ୍ରାବଣ ମାସରେ ନଈ କୂଳ ଖାଉଛି । ହେଲେ ତା’ରି ଭିତରେ ନିଜ ଜୀବନକୁ ବାଜିରେ ଲଗାଇ ନଈ ପାର ହେଉଛନ୍ତି ଶହଶହ ଲୋକ । ତାହା ପୁଣି ଗୋଟିଏ ମାତ୍ର ଦଉଡି ସାହାଯ୍ୟରେ ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଏବଂ ଚନ୍ଦବାଲି ବ୍ଲକକୁ ସଂଯୋଗ କରିଥିବା ମନ୍ତେଇ ନଈ ବାଲିପାଳ ଘାଟରେ ଏବେ ଭୟଙ୍କର ସ୍ଥିତି । ବର୍ଷେ କି ଦୁଇବର୍ଷ ନୁହେଁ ବର୍ଷବର୍ଷ ଧରି ନଈରେ ବିପଦସଂକୁଳ ଅବସ୍ଥାରେ ପାର ହେଉଛନ୍ତି ୨ ନିର୍ବାଚନମଣ୍ଡଳୀର ଶହଶହ ଲୋକ । ଛିଣ୍ତା ଦଦରା ଦଉଡି ଭରସାରେ ବାଜିରେ ଲାଗିଛି ଯାତ୍ରୀଙ୍କ ଭାଗ୍ୟ । ରାତି ପାହିଲେ ସବୁଦିନ ଗଭୀର ନଈରେ ଭଙ୍ଗା ପଡେ ଆଉ ଡଙ୍ଗାରେ ଚାଲେ ବିପଦପୂର୍ଣ୍ଣ ଜଳଯାତ୍ରା । ନା ଅଛି ଲାଇଫ୍ ଜ୍ୟାକେଟ ନା ଅଛି ଟ୍ୟୁବ୍ । କିନ୍ତୁ ସବୁ ବିପଦକୁ ଆପଣାଇ ନଈ ପାର ହେଉଛନ୍ତି ଲୋକେ ।

କୁନିକୁନି ପିଲାଙ୍କ ସାଙ୍ଗକୁ ଭିଡାଭିଡି ଲୋକ । ସାଇକେଲଠୁ ଆରମ୍ଭ କରି ବାଇକ୍ ପର୍ଯ୍ୟନ୍ତ.. ଆବଶ୍ୟକଠାରୁ ଢେର ଅଧିକ ଲୋଡିଂ କରି ଚାଲିଛି ନୌକା ସେବା । ବିପଦ ଏତିକିରେ ସରିନି ବରଂ ନଈରେ ପୁଣି କୁମ୍ଭୀରମାନେ ରହୁଛନ୍ତି । ତେଣୁ ଯଦି କିଛି ଘଟେ ତେବେ କୁମ୍ଭୀର ପାଇଁ କେହି ଉଦ୍ଧାର କରିବାକୁ ସାହସ କରିବେନି ବୋଲି କହୁଛନ୍ତି ଲୋକେ ।

ଜାଣିଆଶ୍ଚର୍ଯ୍ୟ ହେବେ କି ଡଙ୍ଗା ପୁଣି ବିନା ଲାଇସେନ୍ସର ଚାଲୁଥିବା କୁହାଯାଉଛି । ଯାହାକୁ ନେଇ ପ୍ରଶାସନ ଉପରେ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁଠି ନଈରେ ଏମିତି ଡଙ୍ଗା ଚାଲୁଛି । ଏପଟେ ବାସୁଦେବପୁରର ବିଧାୟକ ବିଷ୍ଣୁବ୍ରତ ରାଉରାୟ ଥିବା ବେଳେ ସେପଟେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲିର ଯୁବ ବିଧାୟକ ବ୍ୟାମକେଶ ରାୟ ପ୍ରତିନିଧିତ୍ୱ କରୁଛନ୍ତି । ଟେଣ୍ତର ପରେ ଟେଣ୍ତର ଚାଲିଛି ହେଲେ ସ୍ୱାଧିନତାର ୭୫ ବର୍ଷ ପରେ ବି ମନ୍ତେଇ ନଦୀରେ ପୋଲଟିଏ ନିର୍ମାଣ ହୋଇପାରିଲା ନାହିଁ ।

ସମସ୍ୟା ଏତିକିରେ ସରିନି । ବରଂ ଘାଟିଆ ମନଇଚ୍ଛା ରେଟ୍‌ ନେଉଥିବା ଅଭିଯୋଗ ବି ହେଉଛି । ଏମିତିକି ଦିନ ବେଳଠୁ ରାତିରେ ଡଙ୍ଗାବାଲା ଅଧିକ ଟଙ୍କା ନେଉଛନ୍ତି । ହେଲେ ବି ଉପାୟ କିଛି ନାହିଁ । ଇଚ୍ଛା ନଥିଲେ ବି ବାଧ୍ୟ ହୋଇ ଅଧିକ ଟଙ୍କା ଦେଇ ଲୋକମାନେ ନଈ ପାର ହେଉଥିବା ନେଇ ଅଭିଯୋଗ ହୋଇଛି । ଏଇ ଘାଟରେ ତିନିତିନି ଥର ଡଙ୍ଗା ବୁଡିଲାଣି କିନ୍ତୁ ପୋଲ ଏଯାଏ ନିର୍ମାଣ ହେଲାନି । ବରଂ ପ୍ରତିବର୍ଷ ନିର୍ବାଚନ ଆସିଲେ ପୋଲ ହେବ ବୋଲି ପ୍ରତିଶ୍ରୁତି ଦିଅନ୍ତି ନେତା କିନ୍ତୁ କିଛି ହୁଏନି ।  ତେବେ ସମୟ କହିବ କେବେ ପ୍ରତିଶ୍ରୁତି ପାଳନ କରୁଛନ୍ତି ନେତା, କେବେ ସୁବିଧାରେ ଯାଉଛନ୍ତି ଲୋକେ...

 

  • Reported by:
  • Suryadoya Biswal