ଓଡ଼ିଶାରେ ମହାବଳ ବାଘ, ଡେବ୍ରିଗଡ଼ ଓ ଘଟଗାଁ ରେଞ୍ଜରୁ ଆସିଲା ଫଟୋ

ଡେବ୍ରିଗଡ଼କୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ପାଇଁ ଏନଟିସିଏର ସୁପାରିଶ । ଏବେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଅପେକ୍ଷା ।

Tiger

ଓଡ଼ିଶାରେ ବୁଲୁଛନ୍ତି ମହାବଳ ବାଘ । କ୍ୟାମେରାରେ କଏଦ ଚିତ୍ରରୁ ସ୍ପଷ୍ଟ ଜଙ୍ଗଲ ରାଜାଙ୍କ ଉପସ୍ଥିତି । ଦୁଇଟି ତାଜା ଫଟୋରୁ ଗୋଟିଏ କେନ୍ଦୁଝର ଘଟଗାଁ ରେଞ୍ଜ ଘଞ୍ଚ ଜଙ୍ଗଲରୁ ଉତ୍ତୋଳିତ ହୋଇଥିବା ବେଳେ ଅନ୍ୟଟି କଏଦ ହୋଇଛି ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଜଙ୍ଗଲରେ । ନିଜେ ଜଙ୍ଗଲ ବିଭାଗ ଜାରି କରିଛି ବାଘ ଫଟୋ । ୱାଇଲଡ୍ ଲାଇଫ୍ ପିସିସିଏଫ୍‌ଙ୍କ ସୂଚନା ଅନୁସାରେ କେନ୍ଦୁଝରରେ ବୁଲୁଥିବା ମହାବଳ ବାଘଟିର ବୟସ ୩ରୁ ୪ବର୍ଷ ପାଖାପାଖି ହେବ । ଶିମିଳିପାଳ ଅଭୟାରଣ୍ୟରୁ ଆସିଥିବା ଏହି ବାଘକୁ ପ୍ରଥମେ କରଞ୍ଜିଆ ପାଖ ସାତକୋଶିଆ ଜଙ୍ଗଲରେ ଠାବ ହୋଇଥିଲା । ଏବେ ସେ ଘଟଗାଁ ରେଞ୍ଜର କାଠବାହାଲି ବିଟ୍ ପାଖରେ କ୍ୟାମେରା ଟ୍ରାପ୍‌ରେ ଦୃଶ୍ୟମାନ ହୋଇଛି ।

ଅଧିକ ପଢ଼ନ୍ତୁ: ଭାରତ ଆସିବେ ଆଉ ୧୨ ଚିତାବାଘ

ସେହିପରି ଆଉ ଏକ ମହାବଳ ଛତିଶଗଡ଼ ଜଙ୍ଗଲରୁ ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଜଙ୍ଗଲରେ ରହିଛି । ଖାଲି ଡେବ୍ରିଗଡ଼ ନୁହେଁ ବରଗଡ଼ ଜଙ୍ଗଲରେ ବି ଖୋଲା ମେଲାରେ ବିଚରଣ କରୁଛି । ସେପଟେ କେନ୍ଦୁଝରରେ ବାଘ ଉପସ୍ଥିତି ସ୍ପଷ୍ଟ ହେବା ପରେ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ-ମଣିଷଙ୍କ ମଧ୍ୟରେ ଦୂରତା ବଜାୟ ରଖିବାକୁ ବାଡ଼ ବାନ୍ଧିଛି ଫରେଷ୍ଟ ଡିପାର୍ଟମେଣ୍ଟ । ବିଭିନ୍ନ ସ୍ଥାନରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ମୁତୟନ କରାଯାଇଛି । କିଛି ଦିନ ତଳେ ରଙ୍ଗମାଟିଆ ଗାଁ ନିକଟରେ ବାଘ ଦୁଇଟି ମଇଁଷିଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା ।

ଓଡ଼ିଶା ଜଙ୍ଗଲ ବାଘଙ୍କ ରହଣୀ ଓ ବଂଶବୃଦ୍ଧି ପାଇଁ ଉତ୍ତମ ସ୍ଥାନ । ଯାହାଫଳରେ ଶିମିଳିପାଳ ଓ ସାତକୋଶିଆ ପରେ ଏବେ ଡେବ୍ରିଗଡ଼ ଜଙ୍ଗଲକୁ ବି ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରିବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବା ଏନଟିସିଏ ସୁପାରିଶ କରିଛି । ରାଜ୍ୟ ସରକାର ଯେତେଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ କରିବେ, ସେତେଶୀଘ୍ର ଏନଟିସିଏର ସୁପାରିଶ କାର୍ଯ୍ୟକାରୀ ହୋଇଯିବ । ଯଦ୍‌ଦ୍ୱାରା ବାହାରୁ ଅଧିକ ବାଘ ଆଣି ଏହି ଜଙ୍ଗଲରେ ଛଡ଼ା ଯାଇପାରିବ ।

ସେପଟେ ଏନଟିସିଏର ସୁପାରିଶ ପରେ ତତ୍ପର ହୋଇଛି ବନ ବିଭାଗ । ଡେବ୍ରିଗଡ଼ରେ ବାଘ ଗତିବିଧି ଜାଣିବାକୁ ଅଧିକ କ୍ୟାମେରା ଖଞ୍ଜା ଯାଇଥିବାବେଳେ ସୁରକ୍ଷା ପାଇଁ ଅତିରିକ୍ତ ସ୍କ୍ୱାଡ ବି ମଂଜୁର କରାଯାଇଛି । ଯାହାକୁ ନେଇ ଉଭୟ ବନ୍ୟଜନ୍ତୁ ଓ ପରିବେଶପ୍ରେମୀ ଖୁସି ପ୍ରକାଶ କରିଥିବାବେଳେ ଅଭୟାରଣ୍ୟ ଆଖପାଖ ବାସିନ୍ଦା କିନ୍ତୁ ଜନଜୀବନ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି ।

ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ ୨୦୨୧ରେ ଓଡ଼ିଶା ଜଙ୍ଗଲରେ ଥିଲେ ୯ଟି ବାଘ । ସେଥିରୁ ୮ଟି ଶିମିଳିପାଳ ଓ ଗୋଟିଏ ସାତକୋଶିଆରେ ଥିଲା । ତେବେ ସାତକୋଶିଆରେ ପୂର୍ବରୁ ଥିବା ବାଘର ମୃତ୍ୟୁ ଘଟିଥିବାବେଳେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରୁ ବଂଶବୃଦ୍ଧି ପାଇଁ ଅଣାଯାଇଥିବା ମହାବଳ ବାଘୁଣୀକୁ ଫେରାଇ ନିଆଯାଇଛି ।