ଆପଣ ନିଶ୍ଚୟ ଅନୁଭବ କରିଥିବେ ଯେ, ଆପଣଙ୍କୁ ଯଦି କେହି କ’ଣ କହିଦିଏ ତେବେ ଆପଣ କ୍ରୋଧିତ ହୋଇଯାଆନ୍ତି । କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆପଣ ଚୁପ୍ ରୁହନ୍ତି । ଯେତେ କ୍ରୋଧ ଆସିଲେ ବି ଆପଣ ନିଜ ଉପରେ ସଞ୍ଜମତା ରଖିଥାନ୍ତି । କ୍ରୋଧ ବେଳେ ଆପଣଙ୍କୁ ଅନୁଭବ ହେବ ଯେମିତି ଆପଣଙ୍କ ରକ୍ତଚାପ ବଢ଼ିଯାଇଛି । ଆଉ ରଗେଇଥିବା ଲୋକକୁ ଯଦି ଆପଣ କିଛି କହିପାରନ୍ତି ନାହିଁ ତେବେ ଆପଣଙ୍କ ମୁହଁ ଲାଲ ହୋଇଯାଏ କିମ୍ବା ଆପଣଙ୍କ ମୁଣ୍ଡ ବୁଲାଏ ।
କ୍ରୋଧର ତୀବ୍ରତାରେ ଆମ ମସ୍ତିଷ୍କର ଏକ ବଡ଼ ଭୂମିକା ରହିଛି । ଆମ ମସ୍ତିଷ୍କ ହିଁ ସ୍ଥିର କରିଥାଏ ଯେ କେତେବେଳେ କାହା ଉପରେ କେଉଁଭଳି ପ୍ରତିକ୍ରିୟା ରଖିବା ଆବଶ୍ୟକ । ବାସ୍ତବରେ, କ୍ରୋଧ ଏପରି ଏକ ଅନୁଭବ, ଯାହା ଶାରୀରିକ ପ୍ରତିକ୍ରିୟା ଭାବରେ ଦେଖାଯାଏ । ଯେତେବେଳେ ଆମ ସହିତ କିଛି ଭୁଲ ହୋଇଯାଏ କିମ୍ବା ଆମର ଇଚ୍ଛା ଅନୁଯାୟୀ କିଛି ହୁଏ ନାହିଁ ସେତେବେଳେ ଆମକୁ କ୍ରୋଧ ଆସିଥାଏ । ବେଳେବେଳେ ଏହା କେବଳ ଚିତ୍କାରରେ ସୀମିତ ହୋଇଥାଏ ଏବଂ ବେଳେବେଳେ ଏହା ଝଗଡ଼ା ମାରପିଟ୍ ଆଡ଼କୁ ମଧ୍ୟ ବଢ଼ିଯାଏ । ଅନେକ ଥର ଆମ ମସ୍ତିଷ୍କ ଆମକୁ ଚେତାବନୀ ଦେଇଥାଏ ଯେ କେଉଁ ବ୍ୟକ୍ତିଙ୍କ ସହ ଝଗଡ଼ା କଲେ ଆମର କ୍ଷତି ହେବାର ସମ୍ଭାବନା ରହିଛି । ତେଣୁ ସେଠାରେ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡ଼ିଥାଏ ।
Also Read
କ୍ରୋଧ ଆମ ମସ୍ତିଷ୍କର ଆମିକଡାଲା ଅଂଶରେ ଉତ୍ପନ୍ନ ହୋଇଥାଏ । ଆମିକଡାଲା ମସ୍ତିଷ୍କର ମଧ୍ୟଭାଗରେ ଥିବା ଅଙ୍ଗପ୍ରତ୍ୟଙ୍ଗର ଏକ ଅଂଶ । ମଣିଷର ଯେକୌଣସି ଭାବନାକୁ ଆମିକଡାଲା ନିୟନ୍ତ୍ରଣ କରିଥାଏ । ଯେତେବେଳେ ଆମିକଡାଲା ହାଇପୋଥାଲାମସ୍ ରୁ ବହାରୁଥିବା ଷ୍ଟ୍ରେଟ୍ ହରମନ୍ ସହିତ ସମ୍ପର୍କରେ ଆସେ ସେତେବେଳେ ଆମେ କ୍ରୋଧିତ ହୋଇଥାଉ । ଅନ୍ୟପଟେ ମଣିଷ ଅତ୍ୟଧିକ କ୍ରୋଧିତ ହେଲେ ଏହା ହଜମ ପ୍ରକ୍ରିୟାରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।
ଏବେ ପ୍ରଶ୍ନ ଉଠୁଛି ଯେ, କ୍ରୋଧିତ ହେବା ଫଳରେ କ’ଣ ଶରୀରକୁ ଫାଇଦା ମିଳିଥାଏ ? ନା କେବଳ କ୍ଷତି ହୋଇଥାଏ । ତେବେ ଡାକ୍ତରଙ୍କ କହିବାନୁଯାୟୀ, ମଣିଷ ରାଗିବା ଫଳରେ ମଧ୍ୟ ଅନେକ ପାଇଦା ହୋଇଥାଏ । ବେଳେବେଳେ ଅତ୍ୟଧିକ କ୍ରୋଧିତ ହେବା ଆମକୁ ସଠିକ୍ ଦିଗ ଦେଖାଇବାରେ ସହାୟକ ହୋଇଥାଏ । ଅନେକ ବିଶେଷଜ୍ଞ କହିଛନ୍ତି ଯେ ଦୁଃଖ ଏବଂ ଉଦାସୀନତା ଆମକୁ ସମସ୍ୟାଠାରୁ ଦୂରେଇ ରହିବାକୁ କହିଥାଏ । କିନ୍ତୁ ମଣିଷ କ୍ରୋଧରେ ଥିଲେ ସମସ୍ୟା ସମାଧାନର ବାଟ ବାହାର କରିବାକୁ ଚେଷ୍ଟା କରିଥାଏ । କ୍ରୋଧ ବେଳେ ମୁଣ୍ଡ ସବୁବେଳେ ସମସ୍ୟା ସମାଧାନର ବାଟ ଖୋଜେ ।
ଅନ୍ୟପଟେ ଯଦି ମଣିଷ ସବୁବେଳେ ନିଜର କ୍ରୋଧକୁ ଚପାଇ ରଖିବାକୁ ଚେଷ୍ଟା କରେ ତେବେ ଅନେକ ରୋଗରେ ପୀଡ଼ିତ ହେବାର ସମ୍ଭାବନା ମଧ୍ୟ ରହିଛି । ଏମିତିରେ କ୍ରୋଧ କରିବା ବେଳେବେଳେ ଲାଭଦାୟକ ହୋଇଥାଏ ।