• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାଖେଇ ଆସୁଛି ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିବେ ଶ୍ରୀଜିଉ । ତେବେ ତା’ପୂର୍ବରୁ ସରିପାରିବ ତ ଗୁଣ୍ଡିଚା ମନ୍ଦିରର ଦୁର୍ବଳ ନାଟମଣ୍ଡପ ମରାମତି କାମ । ଭକ୍ତ ଓ ସେବାୟତଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରିଥିବାବେଳେ ମୁଖ୍ୟ ପ୍ରଶାସକ କହିଛନ୍ତି କଲୋମ କ୍ୟାପିଟଲା ଓ ବିମ୍ ମରାମତି କାମ ଜୋରସରରେ ଚାଲିଛି, ଘୋଷଯାତ୍ରା ଆଗରୁ ସରିଯିବ।

ରଥଯାତ୍ରା ପୂର୍ବରୁ ସରିଯିବ ତ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ମରାମତି ? ନାଟମଣ୍ଡପର ସବୁ ଦୁର୍ବଳ କଲୋମ କ୍ୟାପିଟାଲ୍ ଓ ବିମ୍ ବଦଳିଯିବ ତ ? ହାତରେ ସମୟ କମ୍ । ଜୁନ୍ ୨୦ରେ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା । ତେଣୁ ଏଭଳି ସ୍ଥିତିରେ ଭକ୍ତ ଓ ସେବାୟତଙ୍କ ମନରେ ଶଙ୍କା ବଢ଼ି ଚାଲିଛି । ସେପଟେ କିଭଳି ମହାପ୍ରଭୁଙ୍କ  ନବଦିନାତ୍ମକ ଯାତ୍ରା ଆଗରୁ ଗୁଣ୍ଡିଚା ମନ୍ଦିର ଉଭୟ ଭକ୍ତ ଓ ଭଗବାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇପାରିବ, ତାକୁ ଗୁରୁତ୍ୱର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଗତକାଲି ଦଇତାପତି ନିଯୋଗ ସଦସ୍ୟ ମାନେ ଗୁଣ୍ଡିଚାମନ୍ଦିରକୁ ଯାଇ ମରାମତି କାମର ତଦାରଖ କରିଛନ୍ତି । ତେବେ ତାପୂର୍ବରୁ ନୂଆକରି ପୂର୍ଣ୍ଣକାଳୀନ ଦାୟିତ୍ୱ ନେଇଥିବା ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ରଞ୍ଜନ ଦାସ ମଧ୍ୟ ଗୁଣ୍ଡିଚା ମନ୍ଦିର ମରାମତି କାମର ଅନୁଧ୍ୟାନ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ଏହାକୁ ସାରିବାର ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ, ଖଣ୍ଡୋଲାଇଟ୍ ପଥରରେ ତିଆରି ୪ଟି କଲୋମ୍ କ୍ୟାପିଟାଲକୁ ଗ୍ରାନାଇଟ୍ ପଥର ଦ୍ୱାରା  ପରିବର୍ତ୍ତନ କରାଯାଇଛି । ମୋଟ୍ ୮ଟି କଲୋମ୍ ବିମରୁ ୭ଟିରେ ଷ୍ଟେପଲେସ୍ ଷ୍ଟିଲ୍ ବିମ୍ ଦିଆଯାଇ ସାରିଲାଣି, ବାକି ଗୋଟିଏର କାମ ଚାଲିଛି । ଆଗରୁ ବିମ୍‌ରେ ଯେଉଁ ଭଳି ଫାଟ ଜଳ ଜଳ ଦିଶିବା ସହ ବିପଦ ସଙ୍କୁଳ ଅବସ୍ଥାକୁ ଆସିଯାଇଥିଲା ଏବେ ଆଉ ସେ ସ୍ଥିତି ନାହିଁ ।

ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିପଦସଙ୍କୁଳ । କଲୋମ୍ କ୍ୟାପିଟାଲ ଓ ବିମ୍‌ରେ ଫାଟ । ଗତବର୍ଷ ଗତବର୍ଷ ରଥଯାତ୍ରା ସମୟରେ ଏକଥା ଜଣାପଡ଼ିବା ପରେ ଚିନ୍ତା ବଢ଼ିଥିଲା । ଗଲା ନଭେମ୍ବର ମାସରେ ଗଜପତି ମହାରାଜଙ୍କ ନେତୃତ୍ୱରେ ସାଇଣ୍ଟିଷ୍ଟ ଓ କୋର କମିଟି ସଦସ୍ୟ ଡକ୍ଟର ଏନ୍ ସି ପାଲ ପ୍ରମୁଖ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ମରାମତି ଉପରେ ଗୁରୁତ୍ୱ ଦେଇଥିଲେ। ତା’ପରେ ପରେ ଏହି କାମ ଆରମ୍ଭ ହୋଇଥିଲା । ଯାହା ଏବେ ଜୋରସରରେ ଜାରି ରହିଛି । ତେବେ ଗୁଣ୍ଡିଚାମନ୍ଦିରରୁ ଶ୍ରୀଜିଉଙ୍କ ବାହୁଡ଼ା ପହୁଣ୍ଡିବେଳେ ନାକଚଣା ଦ୍ୱାର ଚଟାଣ ସିମେଣ୍ଟ ଓ ଗୋଡ଼ିରେ ତିଆରି ହୋଇଥିବାରୁ ଏଥିଯୋଗୁଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଞ୍ଚାଉଥିବାରୁ ଏହି ପଥକୁ ଖଣ୍ଡୋଲାଇଟ ପଥର ଲଗାଇଯାଇ ମସୃଣ କରାଯିବାକୁ ଦଇତାପତି ନିଯୋଗ ଦାବି କରିଛି ।

ସେହିପରି ପୁରୀ ବାସିନ୍ଦାଙ୍କ ଦାବି ରଥଯାତ୍ରାବେଳେ ଗୁଣ୍ଡିଚା ମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ମନ୍ଦିର ଚତୁଃପାର୍ଶ୍ୱରେ ଶୌଚାଳୟ ଓ ପାନୀୟ ଜଳ ବ୍ୟବ୍ୟସ୍ଥା କରାଯାଉ । ଏବେ ଅପେକ୍ଷା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସହ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ ପୂର୍ବରୁ ନାଟମଣ୍ଡପ ମରାମତି କାମ ସରିପାରୁଛି ନା ନାହିଁ ।

  • Reported by:
  • MADHUSUDAN MISHRA