• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ପୁଣିଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉଦବେଗ । ରତ୍ନ ଭଣ୍ଡାରର ସ୍ଥିତି ଆଦୌ ଭଲ ନଥିବାରୁ ଏହାକୁ ତୁରନ୍ତ ମରାମତିର ଆବଶ୍ୟକତା ଥିବା ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଗଜପତି । ଗତକାଲି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ରତ୍ନଭଣ୍ଡାର ସ୍ଥିତି ନେଇ ଚିନ୍ତାପ୍ରକଟ କରିଥିଲେ । ପ୍ରାୟ ୫ ବର୍ଷ ତଳୁ ରତ୍ନଭଣ୍ଡାର ସ୍ଥିତି ଖରାପ ଥିବା ଜଣାପଡ଼ିବା ସତ୍ତ୍ୱେ ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନେଉନଥିବାରୁ ସେବାୟତ ଓ ଭକ୍ତ ମହଲରେ ମଧ୍ୟ ଉଦବେଗ ବଢ଼ିବାରେ ଲାଗିଛି ।

ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହଣ ମହଣ ସୁନା, ଅଳଙ୍କାର ଗଚ୍ଛିତ ଥିବା ରତ୍ନଭଣ୍ଡାର ଯେ କେତେ ଅସୁରକ୍ଷିତ ହୋଇପଡ଼ିଛି, ମହାରାଜଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇଛି । କେଉଁଠି ଫାଟ ଅଛି ତ ଆଉ କେଉଁଠି ବର୍ଷା ହେଲେ ପାଣି ଗଳୁଛି ।

ରତ୍ନଭଣ୍ଡାରର ଭିତର କାନ୍ଥର ଅବସ୍ଥା ଆଦୌ ଭଲ ହିଁ ନାହିଁ । ତେଣୁ ତୁରନ୍ତ ମରାମତିର ଆବଶ୍ୟକତା ଥିବା କଥାକୁ ପୁଣି ଦୋହରାଇଛନ୍ତି ଗଜପତି । କେବଳ କହିନାହାଁନ୍ତି, ଏ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ସତ୍ତ୍ୱେ ଏବଂ ଆଇନରେ ବ୍ୟବସ୍ଥା ଥିବା ସତ୍ତ୍ୱେ କାହିଁକି ରାଜ୍ୟ ସରକାର ଏଯାଏଁ ନିରବ ରହୁଛନ୍ତି ବୋଲି ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରବେଳେ କ୍ଷୋଭ ପ୍ରକାଶ କରିଛନ୍ତି ।

ରତ୍ନଭଣ୍ଡାର ଅସୁରକ୍ଷିତ ଥିବା କଥା ଆଜିର ନୁହେଁ । ରହସ୍ୟମୟ ରତ୍ନଭଣ୍ଡାରରେ ଫାଟ ଏବଂ ପାଣି ଗଳିବା ଘଟଣା ଗତ ୫ ବର୍ଷ ତଳୁ ଜଣାପଡ଼ିଲାଣି । ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ୟମବେଳେ ହିଁ ସବୁ ସ୍ପଷ୍ଟ ହୋଇସାରିଥିଲା । ହେଲେ ଚାବି ହଜିବା କାରଣରୁ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରିଲା ନାହିଁ କି ଆଜି ଯାଏଁ କୌଣସି ପଦକ୍ଷେପ ନିଆଗଲା ନାହିଁ ।

ଗତବର୍ଷ ଅଗଷ୍ଟ ୮ରେ ରତ୍ନଭଣ୍ଡାର ଅନୁଧ୍ୟାନ ଓ ମରାମତି ପାଇଁ ଅନୁମତି ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରାଜ୍ୟ ଆଇନ ବିଭାଗକୁ ASI ସୁପରିନଟେଣ୍ଡେଣ୍ଟଙ୍କୁ ପୂରା ଚିଠି ଘଟଣାକୁ ନୂଆ ମୋଡ଼ ଦେଇଥିଲା । ଯେଉଁଥିରେ ଲେଖାଯାଇଥିଲା ଭିତର ରତ୍ନଭଣ୍ଡାରର ୩ଟି ବିମ୍ ସହ ପ୍ଲାଷ୍ଟର ଖରାପ ଅଛି । ତେଣୁ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲିବାକୁ ବ୍ୟବସ୍ଥା ଗ୍ରହଣ କରୁ । ଏପରିକି ଭକ୍ତ, ସେବାୟତ ବି ସମାନ ଦାବି ଉଠାଇଛନ୍ତି । ଏପରିକି ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । କହିଛନ୍ତି ଯେତେଶୀଘ୍ର ସମ୍ଭବ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ସହ ଅଳଙ୍କାରର ଗଣତି କରନ୍ତୁ ।

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ବ୍ୟାପି ହଇଚଇ ହୋଇଥିଲା । ରତ୍ନଭଣ୍ଡାରରୁ ବହୁ ମୂଲ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ହୋହଲ୍ଲା କରିଥିଲେ । ଚାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସଙ୍କୁ ନେଇ ଏକ ତଦନ୍ତ କମିଶନ ଗଠନ କରିଥିଲେ । କମିଶନ ୨୯ ନଭେମ୍ବର ୨୦୧୮ରେ ସରକାରଙ୍କୁ ତଦନ୍ତ ରିପୋର୍ଟ ବି ପ୍ରଦାନ କରିଥିଲେ । ହେଲେ ଏଯାଏଁ ରିପୋର୍ଟକୁ ସାର୍ବଜନୀନ ହୋଇନି ।

ସେପଟେ ରତ୍ନଭଣ୍ଡାର ପ୍ରସଙ୍ଗରେ ଜବାବ ଲୋଡିଥିଲେ ହାଇକୋର୍ଟ । ଆସନ୍ତା ଜୁଲାଇ ୧୦ ସୁଦ୍ଧା ଏନେଇ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଏବଂ ଆଇନ ସଚିବଙ୍କୁ କୋର୍ଟ ନୋଟିସ୍ କରିଛନ୍ତି । ଏପଟେ ଏହାକୁ ନେଇ ପୁଣି ତାଜା ହୋଇଛି ରାଜନୈତିକ ବୟାନବାଜି । ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ କେବେ ନେଉଛନ୍ତି ପଦକ୍ଷେପ ତା’ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ନଜର ।