• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମୟ । ଏଥିପାଇଁ ତତ୍ପର ପ୍ରଶାସନ, ତତ୍ପର ସରକାର । ଜାନୁଆରୀ ୧୧ ସନ୍ଧ୍ୟା ସୁଦ୍ଧା ପ୍ରକଳ୍ପ କାମ ସାରି ହସ୍ତାନ୍ତର କରିବାକୁ ଆଜି ଓବିସିସିକୁ ଡେଡ୍ ଲାଇନ୍ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ତାସହ ଶ୍ରୀଦାଣ୍ଡ, ଜଗନ୍ନାଥବଲ୍ଳଭ ପାର୍କିଂ ବୁଲି ଦେଖିବା ପରେ ୧୨ ତାରିଖ ସୁଦ୍ଧା ଶ୍ରୀସେତୁ ଖୋଲିବାକୁ କହିଛନ୍ତି । ଏଣେ ଏଡିଜି ଆଇନଶୃଙ୍ଖଳାଙ୍କ ସୂଚନା ଭବ୍ୟ ଉତ୍ସବବେଳେ ପୁରା ବ୍ଲାଙ୍କେଟ୍ ସିକ୍ୟୁରିଟିରେ ରହିବ ପୁରୀ ସହର ।

ଫିକ୍ସ ହେଲା ଡେଡଲାଇନ୍ । ଜାନୁଆରୀ ୧୧ ତାରିଖ ଶେଷ କଣ୍ଟ । ସେଇ ଦିନ ସନ୍ଧ୍ୟା ସୁଦ୍ଧା ପୁରୀ ପ୍ରଶାସନକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ଓବିସିସି । ତାର ଠିକ୍ ଦୁଇ ଦିନ ପରେ ଅର୍ଥାତ୍ ୧୪ରେ ପୁରୀ ପୋଲିସ ଏହାକୁ ନିଜ ନିୟନ୍ତ୍ରଣକୁ ନେଇ ସୁରକ୍ଷା ବନ୍ଦୋବସ୍ତ କରିବ । ଆଜି ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ ଓ ଶ୍ରୀଦାଣ୍ଡ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ନିଜେ ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି- ଭବ୍ୟ ଲୋକାର୍ପଣ ଉତ୍ସବ ସମାରୋହରେ ସାମିଲ ହେବାକୁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ମାନେ ପୁରୀ ଆସିବେ । ସେମାନଙ୍କ ପାଇଁ ସମଙ୍ଗରେ ପାର୍କିଂ ବ୍ୟବସ୍ଥା ହୋଇଛି । ୧୨ ତାରିଖ ସୁଦ୍ଧା ଶ୍ରୀସେତୁ ସ୍ୱାଗତ ତୋରଣକୁ ଖୋଲିଦେବାର ଯୋଜନା ରହିଛି । ସେଠୁ ଭକ୍ତମାନେ ସିଧା ଜଗନ୍ନାଥ ବଲ୍ଳଭ ପାର୍କିିଂକୁ ଆସି ସେଠୁ ଶ୍ରୀଦାଣ୍ଡ ବାଟେ ବ୍ୟରିକେଡରେ ସିଂହଦ୍ୱାର ପାଖକୁ ଆସିବେ ।

ଯେହେତୁ ଲୋକାର୍ପଣ ଉତ୍ସବରେ ବାହାର ଅତିଥିଙ୍କ ଭିଡ଼ ହେବ, ତେଣୁ ପୂର୍ଣ୍ଣାହୂତି ସରିବା ପରେ ଅର୍ଥାତ୍ ୧୮ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କୁ ପୁରୀ ଅଣାଯିବାକୁ ବ୍ୟବସ୍ଥା ହୋଇଛି । ଗାଁ, ପଞ୍ଚାୟତ ଓ ଏନଏସି ସ୍ତରରୁ ଦୈନିକ ୧୦ ହଜାର ଭକ୍ତ ପୁରୀ ଆସିବା ଯୋଜନା ରହିଛି। ସେମାନେ କେମିତି ଆସିବେ, କେଉଁଠି ରହିବେ, ସେଥିପାଇଁ ପଞ୍ଚାୟତିରାଜ ବିଭାଗର ନୋଡାଲ୍ ଡିପାର୍ଟମେଣ୍ଟକୁ ଦାୟିତ୍ୱ ଦିଆଯାଇଛି । ଘରୁ ଘରୁ ସଂଗୃହୀତ ହୋଇଥିବା ଗୁଆ ଓ ଚାଉଳ ଜଗନ୍ନାଥବଲ୍ଳଭ କଲେକ୍ସନ ସେଣ୍ଟରରେ ଦେବେ ।

ସେପଟେ ଭବ୍ୟ ପରିକ୍ରମା ପ୍ରକଳ୍ପ ଉତ୍ସବକୁ ନେଇ ସୁରକ୍ଷା ବନ୍ଦୋବସ୍ତରେ ଲାଗିଛି ପୋଲିସ୍ । ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ମଧ୍ୟ ଆଜି ପରିକ୍ରମା ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରିବା ସହ ଉତ୍ସବ ପାଇଁ ପୁରା ପୁରୀ ସହର ବ୍ଲାଙ୍କେଟ୍ ସୁରକ୍ଷାରେ ରହିବ ବୋଲି ସୂଚନା ଦେଇଛନ୍ତି । ଆସନ୍ତା ୧୫ରୁ ଆରମ୍ଭ ହୋଇଯିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାଯଜ୍ଞ । ସେଥିପାଇଁ ଶ୍ରୀମନ୍ଦିର ଉତ୍ତର ପୂର୍ବ କୋଣରେ ଆଗେଇ ଚାଲିଛି ଯଜ୍ଞକୁଣ୍ଡ ନିର୍ମାଣ ସ୍ଥଳ । ଏଣେ ଏସି ସେଡ୍ ବ୍ୟାରିକେଡ୍ କାର୍ଯ୍ୟକ୍ଷମ ହେବା ଦିନଠୁ ଶ୍ରୀମନ୍ଦିର ସଂଲଗ୍ନ ହରଚଣ୍ଡୀ ସାହି, ବାସେଳି ସାହି, ମାର୍କଣ୍ଡେଶ୍ୱର ସାହି ଓ ବାଲିସାହି ଲୋକେ ବଡ଼ଦାଣ୍ଡକୁ ବାହାରି ନପାରି ନାହିଁନଥିବା ଯନ୍ତ୍ରଣା ଭୋଗୁଛନ୍ତି । ଏମିତିକି ଆମ୍ବୁଲାନ୍ସ ଯିବାକୁ ବି ରାସ୍ତା ନାହିଁ ।

  • Reported by:
  • PRADEEP MAHANTY , MADHUSUDAN MISHRA