• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମହଙ୍ଗା ମାଡ଼ରେ ଘାଇଲା ଖାଉଟିଙ୍କୁ ଏବେ ଘାରିଛି ଡାଲି ଦରବୃଦ୍ଧି ଚିନ୍ତା । କାରଣ ଗତ ୬ ମାସ ଭିତରେ ଡାଲି ଦର କିଲୋ ପିଛା ପ୍ରାୟ ୭୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଯେଉଁଥି ପାଇଁ ବିଗିଡ଼ି ଗଲାଣି ଗୃହିଣୀଙ୍କ ଘର ଖର୍ଚ୍ଚ ବଜେଟ୍ । ଏପଟେ ବ୍ୟବସାୟୀଙ୍କ କହିବା କଥା, ବଡ଼ ବଡ଼ କର୍ପୋରେଟ ହାଉସଙ୍କ ହୋର୍ଡିଂ ଯୋଗୁ ସୃଷ୍ଟି ହୋଇଛି ଡାଲିର କୃତ୍ରିମ ଦରବୃଦ୍ଧି ।

ଡାଲି କଲାଣି ପକେଟ୍ ଖାଲି । ହୁ ହୁ ହୋଇ ବଢ଼ୁଛି ଦର । ୬ ମାସ ତଳେ ଯେଉଁ ହରଡ଼ ଡାଲି ୧୧୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ୧୫୫ରୁ ୧୭୫ ଟଙ୍କା ଛୁଇଁଲାଣି । ମାନେ କିଲୋ ପିଛା ପାଖାପାଖି ୭୦ ଟଙ୍କା ମହଙ୍ଗା । ସେହିପରି ୯୦ ଟଙ୍କାରେ ଗ୍ରାହକ କିଣୁଥିବା ମୁଗ ଡାଲି ୧୧୦ରୁ ୧୧୫ ଟଙ୍କା ପହଞ୍ଚିଗଲାଣି ।

ଖାଲି ସେତିକି ନୁହେଁ ଫେବ୍ରୁଆରୀରେ ୯୦ରୁ ୧୦୫ ଟଙ୍କାରେ ବିକ୍ରି ହେଉଥିବା ବିରି ଡାଲି ଏବେ ୧୧୫ରୁ ୧୨୮ ଟଙ୍କାରେ କିଣିବାକୁ ପଡ଼ୁଛି । ଏମିତିକି ବୁଟ ଡାଲି ୨୦ ଟଙ୍କା ଓ ମସୁର ଡାଲି ୭ ଟଙ୍କା ବଢ଼ିଲାଣି ଏହାକୁ ନେଇ ଗୃହିଣୀ ଓ ଖାଉଟିଙ୍କ ଭିତରେ ବଢ଼ୁଛି ଅସନ୍ତୋଷ । ଗୃହିଣୀ କହିଛନ୍ତି, ଯେହେତୁ ଖାଇବା ମେନୁରୁ ଡାଲିକୁ ବାଦ୍ ଦେଇହେଉନି, ଏହା ଘର ବଜେଟ୍‌କୁ ବିଗାଡ଼ି ଦେଲାଣି । ଏଣୁ କମ୍ ଡାଲି ବ୍ୟବହାର ହେଉଥିବା ଖାଦ୍ୟ ମେନୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି ।

ବ୍ୟବସାୟୀ ସଂଘଙ୍କ କହିବା କଥା, ଗତ ୬ ମାସ ହେଲା ଡାଲି ଦର ଲଗାତର ବଢ଼ିଚାଲିଛି । ଅଳ୍ପ କେତୋଟି ବଡ଼ କର୍ପୋରେଟ୍ ହାଉସଙ୍କ ମନମାନି ଯୋଗୁଁ ସୃଷ୍ଟି ହୋଇଛି ଏମିତି ସ୍ଥିତି । ସେମାନେ ଡାଲି ଅମଳ ବେଳେ ନିଜ ଗୋଦାମରେ ଡାଲି ମହଜୁଦ କରି ରଖୁଛନ୍ତି ଓ ଜାଣିଶୁଣି କୃତ୍ରିମ ଦରବୃଦ୍ଧି ସୃଷ୍ଟି କରୁଛନ୍ତି । ବେଆଇନ ହୋର୍ଡିଂ କରୁଥିବା କର୍ପୋରେଟ୍ ହାଉସ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁସ୍ଥ ବ୍ୟବସାୟିକ ବାତାବରଣ ସୃଷ୍ଟି ହୋଇପାରିବ ଓ ଖାଉଟି ଉପକୃତ ହେବେ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ।

ପୂର୍ବରୁ ମହଙ୍ଗା ମାଡ଼ରେ ଆକ୍ତାମାକ୍ତା ଖାଉଟିକୁ ଏବେକାର ଡାଲି ମାଡ଼ରୁ ବଞ୍ଚାଇବାକୁ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

  • Reported by:
  • PRAVAT BISOI , KAPILENDRA PRADHAN , CHANDAN PAIKRAY