• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟ ସରକାର ପ୍ରତାରଣା କଲେ । ଗୁରୁ ଦିବସରେ ଭେଟି ଦେବା କଥା ବି ଭୁଲିଗଲେ । ତେଣୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ । ରାଜ୍ୟର ୩୧୪ଟି ଯାକ ବ୍ଲକ୍‌ରେ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ୍ ଆଗରେ ଏମିତି ପ୍ରତୀକାତ୍ମକ ଧାରଣା ଦେଇ ଗର୍ଜନ କରିଛନ୍ତି ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ । ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣିଙ୍କ ଜିଲ୍ଲା ବାରିପଦାଠୁ କୋରାପୁଟର ଜୟପୁର ଯାଏଁ ସବୁଠି ଶିକ୍ଷକଙ୍କ ମୁହଁରେ ଶୁଭିଛି ସରକାର ବିରୋଧୀ ନାରା ।

ସେମାନଙ୍କ ତିନି ଦଫା ଦାବି ଯଥାକ୍ରମେ- ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନସନ୍ ଓ କେନ୍ଦ୍ରୀୟ ହାର ଦରମା ଅନୁସାରେ ୪୨ଶହ ଟଙ୍କା ଗ୍ରେଡ୍ ପେ ଲାଗୁ ନହେଲେ ଆସନ୍ତା ସୋମବାରଠୁ ସ୍ଲୁଲ୍‌ରେ ତାଲା ଝୁଲାଇ ଅନିର୍ଦ୍ଦିଷ୍ଟକାଳ ଯାଏଁ ସାମୁହିକ ଛୁଟିରେ ଯିବାକୁ ବି ଧମକ ଦେଇଛନ୍ତି । ବାଲେଶ୍ୱର ବିଇଓ ଅଫିସ୍ ଆଗରେ ଜଣେ ଶିକ୍ଷୟିତ୍ରୀ ନିଜ କୁନିଝିଅକୁ କୋଳରେ ବସାଇ ଧାରଣା ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଗୋଟିଏ ପଟେ ଶିକ୍ଷକ-ଶିକ୍ଷୟିତ୍ରୀ ଆନ୍ଦୋଳନରେ ତ ଅନ୍ୟପଟେ ସ୍କୁଲରେ ଝୁଲୁଛି ତାଲା । ପିଲାଏ ସ୍କୁଲକୁ ଆସିଥିଲେ, ହେଲେ ସାର-ଦିଦିଙ୍କ ଷ୍ଟ୍ରାଇକ୍ କଥା ଶୁଣି ବହିବସ୍ତାନୀ ଧକି ପୁଣି ଘରକୁ ଫେରି ଯାଇଥିଲେ । ସରକାର ଶିକ୍ଷକମାନଙ୍କ ଦାବି ନଶୁଣିଲେ ପାଠପଢ଼ା ବ୍ୟାଘାତ ହେବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଇଓ ଅଫିସ୍ ଆଗରେ ଧାରଣାରତ ଶିକ୍ଷକଙ୍କୁ ସମର୍ଥନ ଜଣାଇ ପହଞ୍ଚିଥିଲେ ସ୍ଥାନୀୟ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଶିକ୍ଷକମାନଙ୍କ ଦାବି ନ୍ୟାୟୋଚିତ ଓ ଏହାକୁ ସେ ବିଧାନସଭାରେ ଉଠାଇବେ ବୋଲି କହିଥିଲେ । ତେଣେ ଶିକ୍ଷକମାନଙ୍କ ଦାବିର ସମାଧାନ ପାଇଁ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିରେ ବିଚାର କରାଯାଇ ଉଚିତ୍ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କମିଟିର ସଦସ୍ୟ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ଏବେ ଅପେକ୍ଷା ରାଜ୍ୟର ୧ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ସାମୁହିକ ଛୁଟିରେ ଯିବା ପୂର୍ବରୁ କି ପଦକ୍ଷେପ ନେଉଛନ୍ତି ସରକାର ।

OTV is now on Whatsapp

Join and get latest news update delivered to you via whatsapp

Join Now