• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁନି କୁନି ଛାତ୍ରଛାତ୍ରୀଙ୍କୁ ମିଳୁନି ଯାତାୟତ ଖର୍ଚ୍ଚ । ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରି ସ୍ଥାନୀୟ ସ୍କୁଲରେ ମିଶ୍ରଣ କଲେ ରାଜ୍ୟ ସରକାର । ସେହି ସମୟରେ ଛାତ୍ରଛାତ୍ରୀଙ୍କ ଲାଗି ସୁବିଧା କରାଯିବାକୁ କହିବା ସହ ସେମାନଙ୍କୁ ହଷ୍ଟେଲ ବ୍ୟବସ୍ଥା କିମ୍ବା ଯାତାୟାତ ଖର୍ଚ୍ଚ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସରକାର । ହେଲେ ନବରଙ୍ଗପୁର ଜିଲ୍ଲାର କୋମଳମତି ଶିଶୁଙ୍କ ପାଇଁ ସରକାରଙ୍କ ଏଭଳି ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି ।

ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ୍ ଝାଡବନ୍ଧଗୁଡା ପଞ୍ଚାୟତର ଲଙ୍ଗଳଅଟାଳ ପ୍ରାଥମିକ ବିଦ୍ୟାଳୟ । ୨୦୧୯-୨୦ ଶିକ୍ଷା ବର୍ଷରୁ ୨୦ରୁ କମ୍ ପିଲା ଥିବା କାରଣରୁ ଏହି ସ୍କୁଲ ବନ୍ଦ କରାଯାଇଛି । ଫଳରେ ଲଙ୍ଗଳଅଟାଳ ଗାଁର ଛାତ୍ରଛାତ୍ରୀ ଏବେ ୩ କିଲୋମିଟର ଦୂରରେ ଥିବା ମୁଦୁଲିଗୁଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଚାଲି ଚାଲି ଯାଉଛନ୍ତି । ଜଙ୍ଗଲ ପାହାଡ ଘେରା ରାସ୍ତାରେ ଚାଲି ଚାଲି ଯାଉଛନ୍ତି କୁନି କୁନି ପିଲା । ସ୍କୁଲ ଯାଆସ ବେଳେ ହିଂସ୍ର ଜନ୍ତୁଙ୍କ ଭୟ ମଧ୍ୟ ରହିଛି । ତଥାପି ମନରେ ସାହସ ରଖି ଆଗେଇ ଚାଲିଛନ୍ତି ଛାତ୍ରଛାତ୍ରୀ । ଏପରିକି ପ୍ରତିଦିନ ଏହି ରାସ୍ତାରେ ଜଙ୍ଗଲିଜନ୍ତୁ ଦେଖିବାକୁ ମିଳିଥାଏ ।

ସେହିପରି ଗରୁଡ଼ଗୁଡା ଗାଁ ବିଦ୍ୟାଳୟ ବନ୍ଦ ହେଲା ପରେ ପ୍ରାୟ ୩ କିଲୋମିଟର ବିପଦପୂର୍ଣ୍ଣ ରାସ୍ତାରେ ଚାଲି ଚାଲି ଛାତ୍ରଛାତ୍ରୀ ଏକମ୍ବା ସ୍କୁଲକୁ ଯାଉଛନ୍ତି । ଅନେକ ଅସୁବିଧା କାରଣରୁ ପିଲାମାନେ ନିୟମିତ ସ୍କୁଲ ଯାଉନାହାନ୍ତି। ଗାଁରେ ପାଠପଢା ବୟସର ଅନେକ ପିଲା ଅଛନ୍ତି । କିନ୍ତୁ ବିପଦକୁ ଦୃଷ୍ଟିରେ ରଖି ଅଭିଭାବକ ବିଦ୍ୟାଳୟ ଛାଡୁନଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଯେଉଁ ପିଲାମାନେ ନିୟମିତ ସ୍କୁଲ ଯାଉଛନ୍ତି, ସେମାନଙ୍କୁ ଏପର୍ଯ୍ୟନ୍ତ ମିଳିଥିବା ପ୍ରତିଶ୍ରୁତି ଅନୁଯାୟୀ ଯାତାୟାତ ବାବଦ ଖର୍ଚ୍ଚ ମଧ୍ୟ ମିଳିନି । ଏନେଇ ଅଭିଭାବକ ଜିଲ୍ଲା ଶିକ୍ଷା ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିବା କହିଛନ୍ତି।

ଯେଉଁ ସ୍କୁଲଗୁଡିକ ବନ୍ଦ ହୋଇ ଅନ୍ୟତ୍ର ମିଶ୍ରଣ ହୋଇଛି । ନିୟମ ଅନୁଯାୟୀ, ବନ୍ଦ ହୋଇଯାଇଥିବା ସ୍କୁଲର ଛାତ୍ରଛାତ୍ରୀଙ୍କୁ ସରକାର ଯାତାୟତ ଖର୍ଚ୍ଚ ଦେବାର ବ୍ୟବସ୍ଥା ରହିଛି । ସ୍କୁଲ ପ୍ରଧାନଶିକ୍ଷକ ସମସ୍ତ ପିଲାଙ୍କ କାଗଜପତ୍ର ଠିକ କରି ସ୍ଥାନୀୟ ବିଇଓଙ୍କୁ ଦେଲା ପରେ ଗୋଷ୍ଠୀ ଶିକ୍ଷାଧିକାରୀ ତୁରନ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଡିପିସିଙ୍କୁ ସମସ୍ତ କାଗଜପତ୍ର ଦେଇ ପିଲାଙ୍କ ଯାତାୟାତ ଖର୍ଚ୍ଚ ଦେବାର ସରକାର ନିୟମ କରିଛନ୍ତି । ହେଲେ ଅନେକ ସ୍କୁଲର ଛାତ୍ରଛାତ୍ରୀ ଏହି ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏପଟେ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ତୁରନ୍ତ ପିଲାମାନଙ୍କୁ ଯାତାୟାତ ଖର୍ଚ୍ଚ ଯୋଗାଇ ଦିଆଯିବାର ବନ୍ଦୋବସ୍ତ କରାଯିବ।

କେବଳ ଏହି ଦୁଇଟି ସ୍କୁଲ ନୁହେଁ, ୨୦୧୯-୨୦ ଶିକ୍ଷାବର୍ଷରେ ସ୍କୁଲ ମିଶ୍ରଣ ଫଳରେ ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକର ୧୧୦ଟି ବିଦ୍ୟାଳୟର ପ୍ରାୟ ୧୮ଶହ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି ।

  • Reported by:
  • Naba Ghana Bishoi