• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ଦିନରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ରାଜଭବନରୁ କଡ଼ା ସୁରକ୍ଷା ଭିତରେ ସ୍ୱତନ୍ତ୍ର କାର୍ କେଡ୍ ଯୋଗେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ପହଞ୍ଚିଥିଲେ । ପ୍ରଥମେ ବିନ୍ଦୁସାଗର ପୁଷ୍କରିଣୀ ଯିବା ପରେ ଲିଙ୍ଗରାଜ ମନ୍ଦିର ଭିତରେ ପ୍ରବେଶ କରିଥିଲେ । ତେବେ ବିନ୍ଦୁ ସାଗର ଯିବା ନେଇ କୌଣସି କାର୍ଯ୍ୟକ୍ରମ ନଥିଲା । କିନ୍ତୁ ସେ ପରମ୍ପରାକୁ ସମ୍ମାନ ଜଣାଇ ପ୍ରୋଟୋକଲ ଭାଙ୍ଗି ବିନ୍ଦୁ ସାଗର ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ । ବିନ୍ଦୁ ସାଗରରେ ଗୋଡ଼ ଧୋଇ ପୁଣି ମନ୍ଦିର ଫେରିଥିଲେ । ହେଲେ ପ୍ରୋଟକଲ ଅନୁଯାୟୀ ରାଷ୍ଟ୍ରପତିଙ୍କ ଗୋଡ଼ ଧୋଇବା ବ୍ୟବସ୍ଥା ଅନ୍ୟତ୍ର ହୋଇଥିଲା ।

ଏହାସହ ମନ୍ଦିର ଭିତରେ କଡ଼ା ସୁରକ୍ଷା ଭିତରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି । ଲିଙ୍ଗରାଜ ଦର୍ଶନ ପରେ ଭୁବନେଶ୍ୱର ବିମାନବନ୍ଦର ଯାଇ ସେଠାରୁ ହେଲିକପ୍ଟର ଯୋଗେ କଟକ ଯାତ୍ରା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ ବେଳେ ମନ୍ଦିର ପରିସରରେ ସେବାୟତଙ୍କୁ ରାଷ୍ଟ୍ରପତି ଉତ୍ତରୀୟ ପ୍ରଦାନ କରିଛନ୍ତି ।

ନିଜ ହାତରେ ରାଷ୍ଟ୍ରପତି ସେବାୟତମାନଙ୍କ କାନ୍ଧରେ ଉତ୍ତରୀୟ ପକାଇଛନ୍ତି । ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ପରେ ଖୋର୍ଦ୍ଧା ଜିଲ୍ଲାପାଳ ରାଷ୍ଟ୍ରପତିଙ୍କୁ ଶ୍ରୀ ଲିଙ୍ଗରାଜଙ୍କ ଏକ ଫଟୋ ସହ କୋରାଖଇ ପ୍ରଦାନ କରିଥିଲେ । ମହାପ୍ରଭୁଙ୍କର ପ୍ରଥମ ବଲ୍ଲଭ ଭୋଗ କୋରାଖଇ । ଏହାକୁ ମହାପ୍ରଭୁଙ୍କ ନିକଟରେ ପ୍ରତିଦିନ ଲାଗି କରାଯାଇଥାଏ । ବିଷୋୟୀ ସେବାୟତ ନିଜ ହାତରେ ଏହି କୋରାଖଇ ପ୍ରସ୍ତୁତ କରିଥାନ୍ତି ।

ରାଷ୍ଟ୍ରପତିଙ୍କ ଏହି ଯାତ୍ରା ସମୟରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ପିଲାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗୋଲାପ ଫୁଲ ପ୍ରଦାନ କରିଥିଲେ । ପିଲାମାନଙ୍କୁ ରାଷ୍ଟ୍ରପତି ମଧ୍ୟ ଚକୋଲେଟ୍‌ ଦେଇଥିଲେ ।