Advertisment

ଘନଘନ ବିଜୁଳି କାଟ; କାଳବୈଶାଖୀରେ ଯଦି ଏମିତି, ବାତ୍ୟା ଆସିଲେ ହେବ କେମିତି ?

ନିଇତି ଲୋକେ ଅଭିଯୋଗ କରୁଥିଲେ । ଆଉ ଏବେ ସିଧା ମୁଖ୍ୟ ଶାସନ ସଚିବ ବି ଅସନ୍ତୋଷ ଝାଡ଼ିଲେ । ଟ୍ୱିଟ୍‌ରେ ସଫା ସଫା ଟାଟା ପାୱାରକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶୁଣାଇ ଦେଇଛନ୍ତି କାଳବୈଶାଖୀରେ ବେହାଲ୍ ଭୁବନେଶ୍ୱରରେ ଶୀଘ୍ର ସଜାଡ଼ ବିଦ୍ୟୁତ୍ ବ୍ୟବସ୍ଥା।

author-image
Manoranjan Behera
undefined

Electricity Cuts

ଗୋଟେ କାଳବୈଶାଖୀରେ ଯଦି ରାଜଧାନୀରେ ବିଦ୍ୟୁତ୍ ସେବାର ସ୍ଥିତି ଏମିତି ତାହାଲେ ଯଦି ବାତ୍ୟା ଆସେ ସ୍ଥିତି କଣ ହେବ । ଗତକାଲି ଅପରାହ୍ନରୁ ରାତି ତମାମ କିଟିମିଟି ଅନ୍ଧାର ସାଙ୍ଗକୁ ଅସହ୍ୟ ଗରମରେ ଭୁବନେଶ୍ବରବାସୀ ଛଟପଟ ହେବା ପରେ ଖୋଦ୍ ମୁଖ୍ୟ ଶାସନ ସଚିବଙ୍କ ଟାଟା ପାୱାରକୁ ଏଭଳି ଟ୍ୱିଟ୍ କରି ତାଗିଦ୍ ଚର୍ଚ୍ଚାର ବିଷୟ ହୋଇଛି । ତେଣେ ଉପଭୋକ୍ତମାନେ ବି ପ୍ରବଳ ଅସନ୍ତୋଷ ଝାଡ଼ିଥିବାବେଳେ ରାଜନୈତିକ ବୟାନବାଜି ତେଜିଛି । ହେଲେ ଟାଟା ପାୱାର ସିଇଓ ଏଥିପାଇଁ ସବୁ ଦୋଷ କାଳବୈଶାଖୀ ଉପରେ ଲଦି ଦେଇଛନ୍ତି ।

Advertisment

ନିଇତି ଲୋକେ ଅଭିଯୋଗ କରୁଥିଲେ । ଆଉ ଏବେ ସିଧା ମୁଖ୍ୟ ଶାସନ ସଚିବ ବି ଅସନ୍ତୋଷ ଝାଡ଼ିଲେ । ଟ୍ୱିଟ୍‌ରେ ସଫା ସଫା ଟାଟା ପାୱାରକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶୁଣାଇ ଦେଇଛନ୍ତି କାଳବୈଶାଖୀରେ ବେହାଲ୍ ଭୁବନେଶ୍ୱରରେ ଶୀଘ୍ର ସଜାଡ଼ ବିଦ୍ୟୁତ୍ ବ୍ୟବସ୍ଥା। ସମାନ୍ୟ ଗୋଟିଏ କାଳବୈଶାଖୀ ପରେ ଯେମିତି ଢଙ୍ଗରେ ଧିମା କାମ ଚାଲିଛି, ଚିନ୍ତା କର, ବାତ୍ୟା ଆସିଲେ କଣ ପରିସ୍ଥିତି ହେବ ? ଏମିତି ମନ୍ଥର ଗତିରେ କାମ ଚାଲିଲେ ଲୋକେ ଜମା ପ୍ରଂଶସା କରିବେନି ବୋଲି ମୁଖ୍ୟ ଶାସନ ସଚିବ ଚେତେଇଦେବା ସହ ଚଟାପଟ୍ ବିଦ୍ୟୁତ୍ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଟାଟା ପୱାର ସିଇଓଙ୍କୁ ତାଗିଦ୍ ବି କରିଥିଲେ ।

ସୂଚନା ଅନୁସାରେ-ଗତକାଲି ଅପରାହ୍ନରେ ରାଜଧାନୀରେ ବେଶ କିଛି ସମୟ ଧରି କୋପ ଦେଖାଇଥିଲା କାଳବୈଶାଖୀ । ପ୍ରବଳ ପବନ ସାଙ୍ଗକୁ ବର୍ଷାରେ ବହୁ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିଲା । ଯେହେତୁ ପବନ ଓ ବର୍ଷା ଲାଗିଥିଲା- ସେତେବେଳେ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ସରୋବରାହ ବନ୍ଦ ରଖିଥିଲା ବିତରଣ କଂପାନୀ ଟାଟା ପାୱାର । ହେଲେ ସନ୍ଧ୍ୟା ଯାଇ ରାତି ହେଲା, ଏମିତିକି ଆଜି ସକାଳ ପର୍ଯ୍ୟନ୍ତ ବି ବହୁ ସ୍ଥାନରେ ବିଦ୍ୟୁତ୍ ସେବା ସ୍ୱାଭାବିକ୍ ହୋଇପାରିନଥିବାରୁ ଲୋକେ ରାତି ସାରା ପ୍ରବଳ ଗରମ ଓ ଗୁଳୁଗୁଳିରେ ଛଟପଟ ହୋଇଥିଲେ ।

Advertisment

କେମିତି ୧୮ ଘଣ୍ଟା ପରେ ବି ବିଦ୍ୟୁତ୍ ଯୋଗାଣରେ ଟାଟା ପାୱାର ଫେଲ୍ । ଭୁବନେଶ୍ୱର ୟୁନିଟ-୩ ର ରିଜର୍ଭ ବ୍ୟାଙ୍କ ପଛପଟ ସରକାରୀ କଲୋନୀରେ ଲାଇନ ନାହିଁ କି ପାଣି ଆସୁନି । ଅସହ୍ୟ ଗୁଳୁଗୁଳିରେ ଘରେ ରହି ହେଉନଥିବାରୁ ପିଲା ଛୁଆଙ୍କ ସହ ବାହାରେ ବିଞ୍ଚଣା ଧରି ବସିଛନ୍ତି । ସେମିତି ଲାପଟପରେ ଚାର୍ଜ ନଥିବାରୁ ଅନଲାଇନରେ ପରୀକ୍ଷା ଦେବାକୁ ଜଣେ ଛାତ୍ରୀ ଅପେକ୍ଷା କରି ବସିଛନ୍ତି । କେତେବେଳେ କରେଣ୍ଟ ଆସିବ- ଲୋକେ ପଚାରି ପଚାରି ହାଲିଆ ହେଉଥିବାବେଳେ ବିତରଣ କଂପାନୀର କିନ୍ତୁ ନିଘା ନଥିବା ଲୋକେ ଅଭିଯୋଗ କରିଛନ୍ତି । କହିଛନ୍ତି ବିଲ୍ ନେବାରେ ଢିଲା ନାହିଁ, ହେଲେ ସେବା ଯୋଗାଣରେ ଟାଟା ପାୱାର ସମ୍ପୂର୍ଣ୍ଣ ଦୁର୍ବଳ ।

ସେପଟେ ଗଣମାଧ୍ୟମ ପ୍ରତିନିଧି ଓ ରାଜନେତା ସମସ୍ତେ ଟିପିସିଓଡିଏଲ ସିଇଓଙ୍କ ପ୍ରତିକ୍ରିୟା ଜାଣିବାକୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ତାଙ୍କ ସେ ଗତକାଲିର କାଳବୈଶାଖୀ ନେଇ ନୂଆ ତଥ୍ୟ ଦେଇଥିଲେ ।ଗଲା ୧୫ ବର୍ଷ ଭିତରେ କୁଆଡ଼େ କାଲିର କାଳବୈଶାଖୀ ଅଧିକ ଶକ୍ତିଶାଳୀ ଥିଲା । ବହୁ ସ୍ଥାନରେ ଗଛ ଉପୁଡି ବିଦ୍ୟୁତ ତାର ଉପରେ ପଡିଥିବାରୁ ମରାମତିରେ ସାମାନ୍ୟ ବିଳମ୍ବ ହେଉଛି । ଶୀଘ୍ର ସବୁଆଡ଼େ ଲାଇନ୍ ଆସିଯିବ ।

ସେପଟେ ଗୋଟିଏ ମାତ୍ର କାଳବୈଶାଖୀ ଟାଟା ପାୱାରର ଖୋଲି ଯାଇଥିବା ପୋଲ୍ ଓ ସାଧାରଣ ଲୋକଙ୍କ ସହ କଂପାନୀ ଚଳାଇଥିବା ମନମାନିକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ଅଭିଯୋଗ କରିଛି- ମୁଖ୍ୟ ସଚିବଙ୍କ ଏଭଳି ଟ୍ୱିଟ୍‌ରୁ ଠିକ୍ ଧରାପଡୁଛି- ଟାଟା ପାୱାର କମ୍ପାନୀ ଉପରେ ରାଜ୍ୟ ସରକାରଙ୍କର କୌଣସି କର୍ତ୍ତୃତ୍ତ୍ୱ ନାହିଁ । ଟାଟା କମ୍ପାନୀ ଶକ୍ତି ବିଭାଗର ହର୍ତ୍ତାକର୍ତ୍ତା ପାଲଟିଛି । ସରକାର ସଂପୂର୍ଣ୍ଣ କ୍ଷମତା ଟାଟାକୁ ଦେଇଦେଇଥିବାରୁ ଏବେ ଗ୍ରାହକ ଘୋର ହୀନସ୍ତା ହେଉଛନ୍ତି । ସେମିତି ବିଜେପି କହିଛି- ରାଜ୍ୟ ସରକାର ଟାଟା ପାୱାର କମ୍ପାନୀ ପାଖରେ ସଂପୂର୍ଣ୍ଣ ବିକ୍ରୀ ହୋଇ ଯାଇଛନ୍ତି । 

ରାଜଧାନୀରେ ବିଦ୍ୟୁତ୍ ବିତରଣ ଅବସ୍ଥା ଯଦି ଏମିତି, ଗାଁ ଗହଳିରେ କି ଅବସ୍ଥା ଥିବ । ମାତ୍ର ୧୫ ରୁ ୨୦ ମିନିଟ ପବନରେ ଯଦି ଲାଇନ୍ ୧୮ ଘଣ୍ଟା ପରେ ବି ସ୍ୱାଭାବିକ ହୋଇପାରୁନି ଆଗକୁ କଣ ଅବସ୍ଥା ହେବ । ମୁଖ୍ୟ ଶାସନ ସଚିବ ଯାହା କହିଛନ୍ତି, ଠିକ୍ କହିଛନ୍ତି- ହେଲେ ଶାସକଦଳ ଏହାକୁ ପୁରା ହାଲୁକାରେ ନେଇଛି । ତେଣେ ବିଜେଡିର ଜବାବ- କାଳବୈଶାଖୀ ହେଲେ ଏମିତି ଲାଇନ୍ କଟେ । ବିରୋଧୀ ଶାସିତ ଅନେକ ରାଜ୍ୟରେ ବି ଏହି ଟାଟା ପାୱାର ବିଦ୍ୟୁତ୍ ଯୋଗାଣ ଦାୟିତ୍ୱରେ ଅଛି । କାଳବୈଶାଖୀ ପ୍ରଭାବରେ କେବଳ ରାଜଧାନୀ ନୁହେଁ କେନ୍ଦ୍ରାପଡାରୁ କୋରାପୁଟରେ ବି ବିଦ୍ୟୁତ୍ ଯନ୍ତ୍ରଣାର ମାଳ ମାଳ ଅଭିଯୋଗ ସାମ୍ନାକୁ ଆସୁଛି ।

TATA Power Odisha Chief Secretary Electricity Cuts
Advertisment
Advertisment