Advertisment

ଆକ୍ସନ ମୋଡ୍‌ରେ ପୋଲିସ ! ରାଜଧାନୀର ଖଟି ମନା, ସନ୍ଧ୍ୟାରେ ଗଳି କନ୍ଦିରେ ବି କରିପାରିବେନି ଗହଳି

ଏସବୁ ସ୍ଥାନରେ ମଦ୍ୟପାନ କିମ୍ବା ନିଶାଦ୍ରବ୍ୟ ସେବନ କରି ବସିଥିଲେ ବାନ୍ଧିବ ପୋଲିସ। ସେଫ ସିଟି ଡ୍ରାଇଭ ଅଧିନରେ କମିଶନରେଟ ପୋଲିସ ଏହି ଚଢ଼ାଉ କରୁଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bhubaneswar Khati

Bhubaneswar Khati

ଆକ୍ସନ ମୋଡରେ ପୋଲିସ । ଖଟି କରୁଥିଲେ ସାବଧାନ । ଆଉ ଦେଖିବାକୁ ମିଳିବନି ରାଜଧାନୀରେ ଗଳିକନ୍ଦିରେ ଖଟି । କେଉଁ ମୂହୁର୍ତ୍ତରେ ବି ଚଢାଉ କରିପାରେ କମିଶନରେଟ ପୋଲିସ । କିଛି ଖଟିରୁ ଆରମ୍ଭ ହୁଏ ଅପରାଧ ପାଇଁ ବ୍ଲୁ ପ୍ରିଣ୍ଟ । ଯେଉଁଥିପାଇଁ କମିଶନରେଟ ପୋଲିସର ଟାର୍ଗେଟରେ ଏବେ ସନ୍ଧ୍ୟାକାଳିନ ଖଟି । ତେଣୁ ପାର୍ବଣ ପୂର୍ବରୁ ରାଜଧାନୀରେ କଡ଼ା ପହରା ଆରମ୍ଭ କରିଛି ପୋଲିସ ।

Advertisment

ଗତକାଲି ରାତିରେ କ୍ୟାପିଟାଲ ଥାନା, ଲକ୍ଷ୍ମୀସାଗର ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଟିମ୍- ୬୦ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ରାତି ତମାମ ଚଢାଉ କରିଥିଲେ । ବିଭିନ୍ନ ଖଟି ଓ ଖୋଲାରେ ମଦ ପିଉଥିବା ସ୍ଥାନ ଉପରେ ରେଡ ହୋଇଛି। ୧୬ ଜଣଙ୍କୁ ଉଠାଇ ନେଇ ଜରିମାନା ଆଦାୟ ସହ ଚେତାବନୀ ଦେଇ ଛାଡିଛି ପୋଲିସ। ୧୨ ଜଣଙ୍କଠାରୁ ୬ ହଜାର ଟଙ୍କା ଆଦାୟ କରିଛି ପୋଲିସ।

ସନ୍ଧ୍ୟା ହେଲେ ମଦଦୋକାନ ପାଖ, ସ୍କୁଲ ପଡିଆ, ଖେଳ ପଡିଆ ଆଜି ସ୍ଥାନ ଉପରେ ନଜର ରଖିଛି ପୋଲିସ । ଏସବୁ ସ୍ଥାନରେ ମଦ୍ୟପାନ କିମ୍ବା ନିଶାଦ୍ରବ୍ୟ ସେବନ କରି ବସିଥିଲେ ବାନ୍ଧିବ ପୋଲିସ। ସେଫ ସିଟି ଡ୍ରାଇଭ ଅଧିନରେ କମିଶନରେଟ ପୋଲିସ ଏହି ଚଢ଼ାଉ କରୁଛି।

Advertisment

କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା ସତ୍ତ୍ବେ ଥମିବାରେ ନା ନେଉନି ଲୁଟପାଟ, ଛିନତାଇ ଭଳି ଅପରାଧ । ଗତ ମାସେ ଭିତରେ ରାଜଧାନୀର ବିଭିନ୍ନ ଥାନାରେ ହେଲାଣି ୫୦ରୁ ଅଧିକ ଅଭିଯୋଗ । ଗତ ଅଗଷ୍ଟ ୨୮ରେ ଭୁବନେଶ୍ବର ଶିଶୁପାଳଗଡରେ ନିଶାସକ୍ତ ଅବସ୍ଥାରେ ଆତଙ୍କ ରଚିଥିଲେ ଅପରାଧୀ । ୧୦ତାରିଖରେ ଜଣେ ଯୁବକଙ୍କୁ ମଧୁସୂଦନ ପାର୍କ ନିକଟରେ ନିଶା ଦେଇ ଲୁଟ ପରେ ରାସ୍ତାକଡରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ ।

ସେହିପରି ଠିକ ଦୁଇ ଦିନ ପରେ ଅର୍ଥାତ ଗତ ୧୨ ତାରିଖରେ ବରମୁଣ୍ଡାରେ ଯାତ୍ରୀଙ୍କୁ ଖଣ୍ଡା ଓ ଲୁହାରଡରେ ଆକ୍ରମଣ କରି ସୁନା ଓ ଟଙ୍କା ଲୁଟିଥିଲେ ଦୁର୍ବୃତ୍ତ । କେବଳ ଏହି ଗୋଟିଏ କି ଦୁଇଟି ଘଟଣା ନୁହେଁ, ରାଜଧାନୀରେ ଏଭଳି ଗୋଟିଏ ପରେ ଗୋଟିଏ ଆତଙ୍କ ଖେଳାଇ ଅପରାଧୀ କମିଶନରେଟ ପୋଲିସକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ । 

ଖୋଲା ସ୍ଥାନରେ ଯଦି କେହି ମଦ୍ୟପାନ କିମ୍ବା ଖଟି କରୁଥିବା ସେନେଇ ସୂଚନା ଦେବା ପାଇଁ ହ୍ବାଟ୍ସଆପ୍ ନମ୍ବର ଜାରି କରିଛି ପୋଲିସ। ୭୦୭୭୭୯୮୧୧୧ ନମ୍ବରରେ ତଥ୍ୟ ଦେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି କମିଶନରେଟ ପୋଲିସ ।

Advertisment
Advertisment