• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର ଏମ୍‌ସରେ ବିରଳ ଅସ୍ତ୍ରୋପଚାର ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଡାକ୍ତରୀ ଟିମକୁ ପ୍ରଂଶସା କରିଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ମେଡିକାଲ ଜଗତରେ ପରିବର୍ତ୍ତନ ଏବଂ ଡାକ୍ତରଙ୍କ କୌଶଳ ଆମକୁ ଗର୍ବିତ କରିଛି । ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି, ପୂର୍ବ ଭାରତରେ ଓଡ଼ିଶା ର ଏମ୍‌ସ ଉନ୍ନତମାନର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭିୟ ମଧ୍ୟ ଏମସ ଅସ୍ତ୍ରୋପଚାର ସଫଳତା ନେଇ ପ୍ରଂଶସା କରିଥିଲେ ।

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଜଣେ ୩୭ ବର୍ଷୀୟ ମହିଳାଙ୍କର ଏକକାଳୀନ ଦୁଇ ଆଣ୍ଠୁ ଓ ଦୁଇ ହିପ୍‌ର ସଫଳ ପ୍ରତିରୋପଣ କରାଯାଇଥିଲା । ଏହା ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ହୋଇଥିବା ବେଳେ ଓଡ଼ିଶାରେ ଏପରି ପ୍ରତିରୋପଣ ପ୍ରଥମ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି । ମହିଳା ଜଣକ ଆଣ୍ଠୁଗଣ୍ଠି ବାତରେ ପିଡ଼ୀତ ହୋଇ ନିଜର ଚାଲିବା ଶକ୍ତି ହରାଇ ବସିଥିବା ବେଳେ ସେ କିଛିଦିନ ତଳେ ଭୁବନେଶ୍ୱର ଏମ୍‌ସ ଆସିଥିଲେ । ପରେ ଡାକ୍ତରୀ ଟିମ୍‌ର ନିଷ୍ପତ୍ତି କ୍ରମେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବିରଳ ଅସ୍ତ୍ରୋପଚାର: ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ, ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି...

ଏବେ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଏହି ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରାଯାଇଛି ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି । ଅସ୍ଥିଶଲ୍ୟ ବିଭାଗର ଡାକ୍ତର ସୁଜିତ କୁମାର ତ୍ରିପାଠୀ ଏବଂ ଡ. ମଣ୍ଟୁ ଜୈନଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ।