• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରୀକ୍ଷା ଦେବାକୁ ଘରୁ ବାହାରିବା ସମୟରେ କାମୁଡ଼ି ଦେଲା ବିଷାକ୍ତ ସାପ । ହେଲେ ହସ୍ପିଟାଲ ଯିବା ବଦଳରେ ପରୀକ୍ଷା ଦେଇଯିବାକୁ ଜିଦ୍‌ କଲେ ଯୁକ୍ତ ଦୁଇ ଛାତ୍ରୀ । ଶେଷରେ ପରିବାର ଲୋକ ତାଙ୍କ କଥାରେ ରାଜି ହୋଇଯାଇଥିଲେ । ହେଲେ ପରୀକ୍ଷା ହଲ୍‌ରେ ସମ୍ପୂର୍ଣ୍ଣ ପରୀକ୍ଷା ଦେଇ ପାରିନାହାନ୍ତି ଛାତ୍ରୀ ଜଣକ । ପରୀକ୍ଷା ଅଧାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।

ଦଧିବାମନପୁର ଗାଁର ଲିପ୍ସା ରାଣୀ ସାହୁ ଆଜି+2 ପରୀକ୍ଷା ଦେବାକୁ ବାହାରିଥିଲେ । ଆନନ୍ଦପୁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ପଢ଼ୁଥିବା ବେଳେ ଆଜି ତାଙ୍କର ଫାଇନାଲ ପରୀକ୍ଷା ଥିଲା । ହେଲେ ଘରୁ ବାହାରିବା ପୂର୍ବରୁ ସେ ବାଡ଼ିକୁ କୌଣସି କାମରେ ଯାଇଥିଲେ। ସେଠାରେ ତାଙ୍କ ଗୋଡ଼କୁ ଏକ କଳା ସାପ ଚୋଟ ମାରିଥିଲା ।

ସାପ କାମୁଡ଼ିବା ପରେ ଲିପ୍ସା ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ତୁରନ୍ତ ତାଙ୍କୁ ହସ୍ପିଟାଲ ନେବାକୁ କହିଥିଲେ । ହେଲେ ଲିପ୍ସା ପରୀକ୍ଷା ଦେବାକୁ ଜିଦ୍‌ ଧରିଥିଲେ । ଏପରିକି ପରୀକ୍ଷା ନ ଦେଲେ ଗୋଟିଏ ବର୍ଷ ନଷ୍ଟ ହୋଇଯିବ ବୋଲି ପରିବାର ଲୋକଙ୍କୁ ବୁଝାଇଥିଲେ । ଶେଷରେ ଇଚ୍ଛା ନଥିଲେ ସୁଦ୍ଧା ପରିବାର ଲୋକ ତାଙ୍କ କଥାରେ ରାଜି ହୋଇଥିଲେ ।

ହେଲେ ପରୀକ୍ଷା ଦେଉ ଦେଉ ହଠାତ୍‌ ଲିପ୍ସାଙ୍କ ମୁଣ୍ଡ ବୁଲାଇଥିଲା । ଫଳରେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କୁ ଅବଜରଭେସନରେ ରଖା ଯାଇଥିବା ଡାକ୍ତର କହିଛନ୍ତି ।