• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କାଲି ଅପରାହ୍ନ ସୁଦ୍ଧା ଦେଖାଦେଇପାରେ ପେଟ୍ରୋଲ ସଙ୍କଟ । ଅଯଥାରେ ଆତଙ୍କିତ ହୋଇ ପେଟ୍ରୋଲ ପମ୍ପକୁ ଯାଇ ଗାଡ଼ିରେ ତେଲ ପକାନ୍ତୁନି । ଏଭଳି ଯଦି ସ୍ଥିତି ଲାଗି ରହିବ, ତେବେ ଆସନ୍ତାକାଲି ସୁଦ୍ଧା ଟାଙ୍କିରେ ପେଟ୍ରୋଲ ଓ ଡିଜେଲ୍ ସରିଯାଇପାରେ । ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପେଟ୍ରୋଲ, ଡିଜେଲ ପରିବହନ ପ୍ରଭାବିତ ହେବାର ଆଶଙ୍କା ରହିଛି । ପାନିକ୍ ବାଇଂ ତଥା କାଳେ ତେଲ ମିଳିବନି ବୋଲି ଗ୍ରାହକଙ୍କ ଆଶଙ୍କା ଯୋଗୁ ଗତକାଲି ରାଜ୍ୟରେ ୨୦ ପ୍ରତିଶତ ଅଧିକ ପେଟ୍ରୋଲ, ଡିଜେଲ ବିକ୍ରି ହୋଇଛି । ଆନ୍ଦୋଳନ ଯୋଗୁଁ ଗତକାଲି ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ମଧ୍ୟ ୭୫ ପ୍ରତିଶତ କମିଛି । ଗତକାଲି ମାତ୍ର ୨୫ % ଗାଡ଼ିରେ ତେଲ ଲୋଡିଂ ହୋଇଥିଲା ।

ଆଜି ପାରାଦୀପ ଡିପୋରୁ ତେଲ ଲୋଡ଼ିଂ ସମ୍ପୂର୍ଣ୍ଣ ବନ୍ଦ ଅଛି । ଜଟଣୀ ଓ ବାଲେଶ୍ୱର ଡିପୋରୁ ମାତ୍ର ଅଳ୍ପ କିଛି ଗାଡ଼ିରେ ତେଲ ଲୋଡିଂ ହୋଇଛି । ଏଭଳି ସ୍ଥିତି ଲାଗି ରହିଲେ କାଲି ଅପରାହ୍ନ ସୁଦ୍ଧା ଅନେକ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଓ ଡିଜେଲ୍ ସରିଯାଇପାରେ ବୋଲି ଆଶଙ୍କା କରିଛି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ । ତେଣୁ ପାନିକ୍ ବାଇଂ ନକରିବାକୁ ଆସୋସିଏସନ୍ କହିଛି ।

ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଆଜି ତୃତୀୟ ଦିନ । ଆନ୍ଦୋଳନର ପ୍ରଭାବ ସବୁଠି ଦେଖିବାକୁ ମିଳିଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଓମଫେଡ ସେବା ପ୍ରଭାବିତ ହୋଇଛି । ଓମଫେଡ କ୍ଷୀର ବଜାରକୁ ଆସିପାରିନାହିଁ । ଆଜି ପାଇଁ ଭୁବନେଶ୍ୱର, କଟକ, ପୁରୀ ଓ କେନ୍ଦୁଝର ଏହି ୪ଟି ସହରରେ ୭୦ହଜାର ଲିଟର କ୍ଷୀର ଅର୍ଡର ଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ କ୍ଷୀର ପ୍ଲାଣ୍ଟରୁ ବାହାରି ପାରିନାହିଁ ।

ସେହିପରି କଟକ ନେତାଜୀ ବସ୍ ଟର୍ମିନାଲରେ ବସ୍ ଚଳାଚଳ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି । କେବଳ ଯାହା ମୋ ବସ୍ ଚାଲୁଛି, ଫଳରେ ମୋ ବସରେ ଅତ୍ୟଧିକ ଭିଡ ହେଉଛି । ସେହିପରି ଆନ୍ଦୋଳନର ପ୍ରଭାବ ସୁନ୍ଦରଗଡ଼ ବଣାଇ ଅଂଚଳରେ ପଡିଛି । ଡ୍ରାଇଭରମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।