• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗାଁ ରାସ୍ତାରେ ବାଘକୁ ଦେଖି ଭୟଭୀତ ଲୋକେ । ଟାଇଗର୍‌ଟା ଶୋଇଛି । ଶଁ ଶଁ ହେଇ ନିଶ୍ୱାସ ବି ନେଉଛି । ତା ଭୟଙ୍କର ଚିତ୍ରିତ ଶରୀର ଆପଣଙ୍କୁ ମଧ୍ୟ ଡରାଇଦେବ । ସତେ ଯେମିତି ସେ ଝପଟି ପଡି ଆପଣଙ୍କୁ ରାମ୍ପି ବିଦାରି ପକାଇବ । ହେଲେ …

ଆରେ ଆରେ ଏ କ’ଣ ଫେକ୍ ଟାଇଗର! କୁହାଯାଏ ନା, ଅପନେ ଗଲି ମେ କୁତା ଭି ସେର୍ । ଆଜି ତାହା ସତ ହୋଇଛି । ବାଘ ବେଶରେ ଏକ ଦେଶୀ କୁକୁର ଲୋକଙ୍କ ନିଦ ହଜେଇ ଦେଇଛି । ରଜ ମଉଜକୁ ଫିକା କରିଦେଲା ବାଘ ରୂପୀ କୁକୁର । ଗାଁରେ ହାଲ୍ଲା ପଡିଲା ବାଘ ଆଇଲା ବାଘ ଆଇଲା ।

ଲୋକେ ତାଟି କବାଟ ପକାଇଦେଲେ । ବନବିଭାଗକୁ ବି ଡକା ପଡିଲା, ଖୋଜି ଖୋଜି ନୟାନ୍ତ ହେଲେ କର୍ମଚାରୀ । ହେଲେ ବାଘ କାଇଁ? ଦେଖିଲାବେଳକୁ ନୀଳବର୍ଣ୍ଣ ଶୃଗାଳ ପରି ଗାଁରେ ବାହାରିଲା ବାଘରୂପୀ ଦେଶୀ କୁକୁର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ଚରାଭଉଁରୀ, ବାଳି ଓ ସାରକୋଳି ଅଞ୍ଚଳରେ ।

କିଛି ଅସାମାଜିକ ଯୁବକ ଗୋଟିଏ ଦେଶୀ କୁକୁର ଶରୀରରେ ଟିପା ଟିପା କଳାରଙ୍ଗ ବୋଳି ଦେଇଥିଲେ । ଯାହା ଦୂରରୁ ଅବିକଳ ବାଘ ପରି ଦେଖାଯାଉଥିଲା । ସଂଧ୍ୟା ସମୟ ଥିବାରୁ କୁକୁରଟି ଯେଉଁ ଗାଁକୁ ଗଲା ଲୋକେ ଏହାକୁ ବାଘ ଭାବି ଛାନିଆ ହୋଇଗଲେ, ଏବଂ ତାଟି କବାଟ ପକାଇ ଦେଇଥିଲେ । ଆତଙ୍କିତ ଲୋକେ ଏନେଇ ଖୁଣ୍ଟୁଣୀ ବନବିଭାଗକୁ ଖବର ଦେଇଥିଲେ ।

ପରେ ବନବିଭାଗର କର୍ମଚାରୀ ପହଞ୍ଚି ବିଭିନ୍ନ ସ୍ଥାନରେ ତଦନ୍ତ କରିବା ପରେ ଜଣାପଡ଼ିଲା ଏହି ଜନ୍ତୁଟି ଅସଲରେ ବାଘ ନୁହେଁ କୁକୁର ଥିଲା । ଏନେଇ ତେବେ ବନବିଭାଗ ଭିଡ଼ିଓ ଜାରୀ କରି ସ୍ପଷ୍ଟ କରିବା ପରେ ସ୍ଥାନୀୟ ଲୋକ ଏବେ ଭୟ ମୁକ୍ତ ଅଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now