Advertisment

ଦୁର୍ଘଟଣା ପରେ ଚେତା ପଶିଲା; ନୋ ପାର୍କିଙ୍ଗରେ ଗାଡ଼ି ରଖିଲେ ଗଣିବେ ତଣ୍ତ

ରାଜପଥ ସାଜିଛି ମୃତ୍ୟୁର ଫାଶ । ଜୀବନ ନେଉଛି ବେଆଇନ ଟ୍ରକ୍ ପାର୍କିଂ ।

author-image
Manoranjan Behera
Illegal Parking

Illegal Parking

ଶୂନ୍ୟ ମୃତ୍ୟୁ ସପ୍ତାହରେ ବଢ଼ିଚାଲିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ । ଆଉ ଏ ମୃତ୍ୟୁର ଏକ ପ୍ରମୁଖ କାରଣ ସାଜିଛି ରାଜପଥରେ ବେଆଇନ ପାର୍କିଂ । ଯାହାକୁ ନେଇ ଗାଡ଼ି ଚାଳକ ଓ ଯାତ୍ରୀଙ୍କ ମଧ୍ୟରେ କୁହୁଳୁଛି ଅସନ୍ତୋଷ । ଏପଟେ ପରିବହନ ସଂଘ କହିଛି, ଟ୍ରାନ୍ସପୋର୍ଟ ନଗର ଓ ଟ୍ରକ୍ ଟର୍ମିନାଲ ଅଭାବରୁ ରାଜପଥ କଡ଼ରେ ଟ୍ରକ୍ ପାର୍କିଂ ହେଉଛି । ବେଆଇନ ପାର୍କିଂ ରୋକିବା ନେଇ ପ୍ରଶାସନର ମନୋବଳ ଓ ସମନ୍ୱୟ ଅଭାବକୁ ସଡ଼କ ସୁରକ୍ଷା ବିଶେଷଜ୍ଞ ଦାୟୀ କରିଥିବା ବେଳେ ପରିବହନ ଅଧିକାରୀ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Advertisment

ରାଜପଥ ସାଜିଛି ମୃତ୍ୟୁର ଫାଶ । ଜୀବନ ନେଉଛି ବେଆଇନ ଟ୍ରକ୍ ପାର୍କିଂ । ଗତକାଲି କେନ୍ଦୁଝର ଘଟଗାଁ ବାଲିଯୋଡ଼ା ନିକଟରେ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ୱିଙ୍ଗର ଧକ୍କାରେ ୮ ଜଣଙ୍କ ଜୀବନ ଯାଇଥିଲା । ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ଗତକାଲି ମଧ୍ୟରାତ୍ରରେ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଅନୁରୂପ ଦୁର୍ଘଟଣା । ଭୁବନେଶ୍ୱର ପାହାଳ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ କାର୍ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଏନ୍ଏଚ୍ ଉପରେ ଚାଲିଛି ବେଆଇନ୍ ପାର୍କିଂ । ସୁନ୍ଦରଗଡ଼ କୋଇଡା ନାରାୟଣପୋଷ ଖଣି ଅଞ୍ଚଳ ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥର NH ଉପରେ ହିଁ ଉଭୟ ପାର୍ଶ୍ୱରେ ଧାଡ଼ି ହୋଇ ଛିଡ଼ା ହୋଇଛି ଶହ ଶହ ଟ୍ରକ୍ । ସ୍ଥିତି ଏମିତି ଯେ ରାସ୍ତାରେ ଅନ୍ୟ ଗାଡ଼ି ଯିବା ବି ମୁସ୍କିଲ ।ସମାନ ସ୍ଥିତି କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର । ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇରହୁଛି ଟ୍ରକ୍, ଯାହାକି ଦୁର୍ଘଟଣାର କାରଣ ପାଲଟୁଛି ।

Advertisment

ଏବେ ପ୍ରଶ୍ନ, କାହିଁକି ରାଜପଥ ଉପରେ ପାର୍କିଂ ହେଉଛି ଟ୍ରକ୍ ? ଏହା ଟ୍ରାଫିକ୍ ନିୟମର ଉଲ୍ଲଂଘନ କରୁନି କି ? ପରିବହନ ସଂଘର କହିବା କଥା, ରାଜ୍ୟରେ ଯେତିକି ଟ୍ରକ୍ ଗଡୁଛି, ସେସବୁ ରହିବା ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଭୁବନେଶ୍ୱରରେ ଟ୍ରକ୍ ରହଣୀ ସହ ଗାଡ଼ି ଚାଳକଙ୍କ ନିମନ୍ତେ ବିଭିନ୍ନ ସୁବିଧା ଥିବା ଏକ ପରିବହନ ନଗର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରକ୍ ଟର୍ମିନାଲ ଖୋଲିବାକୁ ଦୀର୍ଘ ୧୫ ବର୍ଷ ହେଲା ପରିବହନ ସଂଘ ଦାବି କରିଆସୁଥିଲେ ବି ସରକାର ନିଦାବିଷ୍ଣୁ ସାଜିଛନ୍ତି । ଫଳରେ ଟ୍ରକ୍‌ ଗୁଡ଼ିକ ରାସ୍ତା କଡ଼ରେ ଛିଡ଼ା ହେବାକୁ ବାଧ୍ୟ ହେଉଛି ।

ଏଣେ ସଡ଼କ ସୁରକ୍ଷା ବିଶେଷଜ୍ଞ କହିଛନ୍ତି, ରାଜପଥ ପାର୍ଶ୍ୱରେ ଟ୍ରକ୍ ଛିଡ଼ା ହେବା ବେଆଇନ। ସେହିଭଳି ଟ୍ରକ୍ ହଟାଇବା ପାଇଁ ପରିବହନ ବିଭାଗ ସୁରକ୍ଷା ପାଣ୍ଠିରୁ ସବୁ ଜିଲ୍ଲା ପ୍ରଶାସନକୁ ଅର୍ଥ ଦିଆଯାଇଛି । କିନ୍ତୁ ଆରଟିଓ ଓ ପୋଲିସ ବିଭାଗର ମନୋବଳ ତଥା ସମନ୍ୱୟ ଅଭାବରୁ ରାଜପଥରୁ ଗାଡ଼ି ହଟୁନି । ଏସବୁ ଭିତରେ କେନ୍ଦୁଝରରେ ଘଟିଥିବା ଗତକାଲିର ଦୁର୍ଘଟଣା ଲାଗି ଏନ୍ଏଚ୍ଏଆଇକୁ ଦାୟୀ କରି ମାମଲା ରୁଜୁ କରିଛି ଘଟଗାଁ ପୋଲିସ ।

Accident Illegal Parking
Advertisment
Advertisment