• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କେନ୍ଦୁଝର ଗୋନାସିକାର ଜନ୍ତାରୀ ଗାଁରେ ଅଜଣା ରୋଗ ଆତଙ୍କ । ଆଦିମ ଜନଜାତି ଜୁଆଙ୍ଗ ବସ୍ତିରେ ଦୁଇ ମାସରେ ଚାଲିଗଲାଣି ୧୧ ଜୀବନ । ଖବର ପ୍ରସାରଣ ପରେ ଆଜି ଗାଁରେ ପହଞ୍ଚିଛି ଡାକ୍ତରୀ ଟିମ । ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରୋଗର ଜଡ଼ ଖୋଜିବ ସ୍ୱାସ୍ଥ୍ୟ ବିଭାଗ ଟିମ ଓ ନିଆଯିବ ଆବଶ୍ୟକ ପଦକ୍ଷେପ ।

କେନ୍ଦୁଝର ଜନ୍ତାରୀ ଗାଁ ଜୁଆଙ୍ଗ ବସ୍ତିରେ ମୃତ୍ୟୁର ତାଣ୍ଡବ । ଦେଢ଼ ଦୁଇ ମାସ ଭିତରେ ଅଜଣା ରୋଗ ନେଲାଣି ୧୧ ଜୀବନ । ଭୋକ ହେଉନି, ଦେହହାତ ଶୁଖିଯାଉଛି । ଆଉ ତା’ ପରେ ସବୁ ଶେଷ । ଏମିତିକି ଗାଁର ଆହୁରି ଅନେକ ଜୁଆଙ୍ଗଙ୍କୁ ବି କବଳିତ କଲାଣି ଏ ଅଜଣା ରୋଗ । ଗ୍ରାମବାସୀଙ୍କ କହିବା କଥା ଡାକ୍ତରଖାନା ଗଲେ ବି ରୋଗ କ’ଣ ଜଣାପଡ଼ୁନି । ଏନେଇ ଖବର ପ୍ରସାରଣ ପରେ ଆଜି ଜନ୍ତାରୀ ଜୁଆଙ୍ଗ ବସ୍ତିରେ ପହଞ୍ଚିଛି ପ୍ରଶାସନ ଓ ଡାକ୍ତରୀ ଟିମ ।  ପ୍ରାଥମିକ ଯାଞ୍ଚରୁ ଲୋକଙ୍କଠାରେ ଜଣ୍ଡିସ, ରକ୍ତହୀନତା ସମେତ ଅନ୍ୟ ରୋଗ ଥିବା ଜଣାପଡ଼ିଛି । ଏପଟେ ବାପ ମାଆ ଛେଉଣ୍ଡ ପିଲାଙ୍କୁ ଆର୍ଥିକ ସହାୟତା ଦିଆଯିବ ବୋଲି କହିଛି ପ୍ରଶାସନ ।

ଏବେ ପ୍ରଶ୍ନ, କ’ଣ ହୋଇଛି ଜୁଆଙ୍ଗ ବସ୍ତିରେ ? କାହିଁକି ଚାଲିଯାଉଛି ଗୋଟିଏ ପରେ ଗୋଟିଏ ଜୀବନ ? ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଅଜଣା ରୋଗ ଯୋଗୁ ଲୋକଙ୍କ ମୃତ୍ୟୁ ଅଭିଯୋଗର ତଦନ୍ତ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜୁଆଙ୍ଗ ବସ୍ତିକୁ ଏକ ୫ ଜଣିଆ ଡାକ୍ତରୀ ଟିମ ପଠାଯାଇଛି । ଏହି ଟିମ୍ ଏ ରୋଗ ଓ ଏହାର କାରଣ ଖୋଜିବା ସହ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ସ୍ଥାନୀୟ ଅଞ୍ଚଳର ପାଣି ନମୁନା ବି ଯାଞ୍ଚ କରିବ ।

ରାଜ୍ୟର ବିଲୁପ୍ତପ୍ରାୟ ଏ ଅନ୍ୟତମ ଆଦିମ ଜନଜାତିଙ୍କୁ କି ରୋଗ ଗ୍ରାସିଛି ଓ କିଭଳି ଏହାର ନିରାକରଣ ହେବ, ଏବେ ସ୍ୱାସ୍ଥ୍ୟ ବିଭାଗ ନିକଟରେ ବଡ଼ ଆହ୍ୱାନ ।

  • Reported by:
  • PRANAYA PANI , KAPILENDRA PRADHAN