• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଗେ ଆଗେ ମାଆ, ପରେ ବାପା ଆଉ ଶେଷରେ ଶେଷ ଆଶ୍ରା ପାଲଟି ଥିବା ଆଇମା । ଜଣକ ପରେ ଜଣେ ତିନିହେଁ ଚାଲିଯିବା ପରେ ଏବେ ସମ୍ପୂର୍ଣ୍ଣ ଅସହାୟ ଆଉ ବେସାହାରା ତିନି ଛୁଆ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଖସାପଡ଼ିଆ ଗାଁର ବାପା-ମାଆ ଛେଉଣ୍ଡ ତିନି ଭାଇ-ଭଉଣୀଙ୍କ ଜୀବନରେ ଦୁଃଖ ଏତେ ଯେ, ତାକୁ ଶବ୍ଦରେ ବର୍ଣ୍ଣନା ବି ଅସମ୍ଭବ ।

ପିଲାଦିନୁ ମାଆକୁ ହରାଇବା ପରେ ବାପାଙ୍କ ଆଶ୍ରାରେ ବଡ଼ ହେଉଥିଲେ ଏମାନେ । କିନ୍ତୁ ଆଜିକୁ ଠିକ୍ ୬ ବର୍ଷ ତଳେ ଏମାନଙ୍କଠାରୁ ବାପାଙ୍କ ସୁଖ ବି ଛଡ଼ାଇ ନେଲା ଦଇବ । ତା’ପରେ ଶେଷ ଆଶ୍ରା ପାଲଟି ଥିଲେ ବୃଦ୍ଧା ଆଇମା । ସେ ହିଁ ୩ ନାତି-ନାତୁଣୀଙ୍କ ମୁହଁରେ ଆହାର ଦେଇ ପାଳି ପୋଷି ଆସୁଥିଲେ କିନ୍ତୁ ଏଇ ୩ ମାସ ତଳେ ଆଇଙ୍କ ମୃତ୍ୟୁ ପରେ ଅନାଥରୁ ସମ୍ପୂର୍ଣ୍ଣ ଅସହାୟ ପାଲଟି ଯାଇଛନ୍ତି ତିନି ଭାଇ-ଭଉଣୀ ।

ଏବେ ପରିବାର କହିଲେ ୧୬ ବର୍ଷର ସାନ ଭାଇ ଓ ଦୁଇ ଭଉଣୀ । ଏ ଅବସ୍ଥାରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଉ ନିଜର ବୋଲି କେହି ନାହିଁ । ପାଖ ପଡ଼ୋଶୀ କି ସମ୍ପର୍କୀୟ କିଛି ଦେଲେ ଚୁଲି ଜଳେ, ନହେଲେ ନାହିଁ । ଓଳିଏ ଖାଇଲେ ଓଳିଏ ଓପାସ । ଅନେକ ସମୟରେ ଆଖିର ଲୁହ କିମ୍ବା ଓଦା କନା ହିଁ ଏମାନଙ୍କ ଭୋକ ମେଣ୍ଟାଏ । ତିନିହେଁ ଯାକ ନାବାଳକ ଥିବାରୁ ରୋଜଗାରର ସୁଯୋଗ ନାହିଁ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର, ଅତ୍ୟାବଶ୍ୟକ ସାମଗ୍ରୀ କିମ୍ବା ଭଲ ମନ୍ଦରେ ଖର୍ଚ୍ଚ ପାଇଁ ପାଖରେ ଟଙ୍କାଟିଏ ବି ନାହିଁ ।

ଏଭଳି ସ୍ଥିତିରେ ଦେହପା ଖରାପ ହେଲେ ବୁଝିବାକୁ କେହିଁ ନାହିଁ । ସେପଟେ ରୋଗ ସହ ଜୁଝି ଜୁଝି ମାଆ-ବାପା ଚାଲିଯିବାରୁ ରହିବାକୁ ଭଲ ଘର ଖଣ୍ଡେ ବି ନାହିଁ । ଏଭଳି ସ୍ଥିତିରେ କେବଳ ପରକୁ ଆଶ୍ରା କରି ଜୀବନ କାଟୁଛନ୍ତି ତିନି ଭାଇ-ଭଉଣୀ ।

ଅସରନ୍ତି ଦୁଃଖ ଆଉ ଉତ୍କଟ ଆର୍ଥିକ ଅନଟନ ଭିତରେ ଅଧାରୁ ପାଠପଢ଼ା ଛାଡ଼ି ଦେଇଛନ୍ତି ଦୁଇ ଭଉଣୀ ଜ୍ୟୋତି ଓ ସରସ୍ୱତୀ । ଦୁଃଖର ପାହାଡ଼ ତଳେ ଥାଇ ବି ଦଶମ ଶ୍ରେଣୀରେ ପଢ଼ୁଥିବା ସାନ ଭାଇ ପାଠପଢାାକୁ ବନ୍ଦ କରିବାକୁ ଚାହୁଁ ନାହାନ୍ତି ଦୁଇ ଭଉଣୀ । କାହାରି ସାହାଯ୍ୟ-ସହାୟତା ପାଇ ସାନ ଭାଇକୁ ମଣିଷ କରିବା ସହ ସେମାନେ ବି ପାଠ ପଢ଼ିବେ ବୋଲି କୋହଭରା କଣ୍ଠରେ କୁହନ୍ତି ଦୁଇ ଭଉଣୀ ଜ୍ୟୋତି ଓ ସରସ୍ୱତୀ ।

(ରିପୋର୍ଟ- ମନୋଜ ସ୍ୱାଇଁ, କେନ୍ଦ୍ରାପଡ଼ା)