Advertisment

OTV ସୋସିଆଲ ମିଡିଆରେ ଭାଇରାଲ ଅଡିଓ ପୋଷ୍ଟ ମାମଲା, ଇନପୁଟ ଏଡିଟରଙ୍କ ବିରୋଧରେ ଅପରାଧିକ ମାମଲା ଖାରଜ

ଅଭିଯୋଗର ଆଧାର ନଥିବା କହି ମାମଲା ଖାରଜ କଲେ ହାଇକୋର୍ଟ । ଏଭଳି ମାମଲା ପ୍ରେସ ସ୍ୱାଧୀନତା ଉପରେ ନକାରତ୍ମକ ପ୍ରଭାବ ପକାଇବ କହିଲେ କୋର୍ଟ ।

author-image
Satyendu Shekher Mishra
undefined

OTV

କରୋନା ମହାମାରୀ ବେଳେ ଓଟିଭି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଖବରକୁ ନେଇ ଓଟିଭି ଇନପୁଟ ଏଡିଟରଙ୍କ ବିରୋଧରେ ଦାଏର ଅପରାଧିକ ମାମଲା ହାଇକୋର୍ଟରେ ଖାରଜ। ଏଭଳି ମାମଲା ପ୍ରେସ ସ୍ୱାଧିନତା ଉପରେ ଅତ୍ୟନ୍ତ ନକାରାତ୍ମକ ପ୍ରଭାବ ପକାଇବ କହିଛନ୍ତି ହାଇକୋର୍ଟ । ତାସହ ଅପରାଧିକ ମାମଲା ପାଇଁ ଏତଲାରେ ବିଏମସି ଯାହା ଦର୍ଶାଇଛି, ତାର ପ୍ରାଥମିକ ଆଧାର ନଥିବା ମଧ୍ୟ କୋର୍ଟ ସ୍ପଷ୍ଟ କହିଛନ୍ତି ।

Advertisment

କୋଭିଡ୍ ମହାମାରୀ ବେଳେ ଏକ ଖବର ପୋଷ୍ଟକୁ ନେଇ ଓଟିଭି ସାମ୍ବାଦିକଙ୍କ ବିରୋଧରେ ଅପରାଧିକ ମାମଲାକୁ ହାଇକୋର୍ଟଙ୍କ ନା । ଭୁବନେଶ୍ୱର ମହାନଗର କର୍ତ୍ତୃପକ୍ଷ ଓଟିଭି ସାମ୍ବାଦିକଙ୍କ ବିରୋଧରେ ଦାଏର କରିଥିବା ଅପରାଧିକ ମାମଲା ହାଇକୋର୍ଟରେ ଖାରଜ ହୋଇଛି । ୨୦୨୦ ମସିହା ଅଗଷ୍ଟ ମାସରେ ଓଟିଭି ସୋସିଆଲ ମିଡିଆ ହାଣ୍ଡେଲରେ କରୋନା ଚିକିତ୍ସା ସମ୍ପର୍କିତ ଏକ ଅଡିଓର ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଦୁଇଜଣ ବ୍ୟକ୍ତି କୋଭିଡ୍ ହସ୍ପିଟାଲରେ ଚିକିତ୍ସା ସମ୍ପର୍କୀତ ଅନୁଭୂତି ବର୍ଣ୍ଣନା କରୁଥିବା ବେଳେ ଏହାକୁ ଭାଇରାଲ ଅଡିଓ ଭାବେ ଓଟିଭି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଥିଲା।

ତେବେ ଅଡିଓ ପୋଷ୍ଟ ପରେ ଓଟିଭି ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଖବର ପରିବେଷଣ କରୁଥିବା ଦର୍ଶାଇ, ବିଏମସି ପକ୍ଷରୁ କ୍ୟାପିଟାଲ ଥାନାରେ ଏକ ଅପରାଧିକ ମାମଲା ଦାଏର ହୋଇଥିଲା। ଓଟିଭିର ଇନପୁଟ୍ ଏଡିଟରଙ୍କ ବିରୋଧରେ ପୋଲିସ ଆପିସିର ଧାରା ୨୬୯, ୨୭୦, ୫୦୫ ବି ଏବଂ ୧୨୦ ବି ଏବଂ ସେକ୍ସନ ଥ୍ରୀ ଏପିଡେମିକ୍ ଡିଜିଜ୍ ଆକ୍ଟରେ ମାମଲା ରୁଜୁ କରୁଥିଲା। ଏଭଳି ଅଡିଓ ପୋଷ୍ଟ ପଛରେ ମନ୍ଦ ଉଦ୍ଦେଶ୍ୟ ଥିବା ଏବଂ କୋଭିଡ୍ ମହାମାରୀ ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରଚାର କରାଯାଉଥିବା ଦର୍ଶାଯାଇଥିଲା।

Advertisment

ତେବେ ଏହାକୁ ବିରୋଧ କରି ହାଇକୋର୍ଟ ଯାଇଥିଲା ଓଟିଭି। ଏବେ ପ୍ରାୟ ତିନି ବର୍ଷ ପରେ ହାଇକୋର୍ଟ ମାମଲାର ଶୁଣାଣି କରି ମାମଲାକୁ ଖାରଜ କରିଛନ୍ତି। ଏପରିକି, ଏତଲାରେ ଯାହା ଦର୍ଶାଯାଇଛି, ସେଭଳି ଅଭିଯୋଗର ପ୍ରାଥମିକ ଆଧାର ନଥିବା ମଧ୍ୟ କୋର୍ଟ ଅନୁଭବ କରିଛନ୍ତି।

କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ, କୋଭିଡ୍ ହସ୍ପିଟାଲରେ ଚିକିତ୍ସା ସମ୍ପର୍କିତ ଅଡିଓ କ୍ଲିପିଂରେ ଯେଉଁ କଥୋପକଥନ ହୋଇଛି, ତାହା ଅତି ସାଧାରଣ। ଜନସାଧାରଣରେ ଏହା କୌଣସି ଭୟର ବାତାବରଣ ସୃଷ୍ଟି କରିବାର କାରଣ ନାହିଁ। ଏହାଦ୍ୱାରା ଲୋକେ କୋଭିଡ୍ ଚିକିତ୍ସାକୁ ବର୍ଜନ କରିବାର ସମ୍ଭାବନା ମଧ୍ୟ ନାହିଁ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ଉପରେ ଯେଉଁ ଅପରାଧିକ ମାମଲା ଚାଲିଛି, ତାହା ପ୍ରେସ ସ୍ୱାଧୀନତା ଉପରେ ନକାରତ୍ମକ ପ୍ରଭାବ ପକାଇବ ବୋଲି କୋର୍ଟ ରାୟ ଦେଇଛନ୍ତି। ଏପଟେ ହାଇକୋର୍ଟଙ୍କ ଏ ରାୟକୁ ଗଣମାଧ୍ୟମର ବିଜୟ ବୋଲି କହିଛନ୍ତି ବହୁ ବରିଷ୍ଠ ସାମ୍ବାଦିକ।

Otv Viral Audio Odisha Tv
Advertisment
Advertisment