• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନଈ ଘାଟରେ ହୁଳହୁଳି ପଡୁଛି, ଶଙ୍ଖ ବାଜୁଛି । ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ ପୂରା ଏରିଆ କମ୍ପୁଛି । ସକାଳୁ ସକାଳୁ ଏମିତି ଘଟଣା ଦେଖିବା ପରେ ହଠାତ୍‌ ସମସ୍ତେ ଆଶ୍ଚର୍ଯ୍ୟ ହେବେ । ଆଉ ପ୍ରଶ୍ନ କରିବେ ମଳ-ମାସରେ ନଈ ତୁଠରେ କି ପୂଜା ଚାଲିଛି ? କିନ୍ତୁ ପୂଜା ପଛରେ ଯେଉଁ ଘଟଣା ରହିଛି ତାହା ଜାଣିଲେ ଆପଣ ସରପଂଚଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହେବେ ।

ଏବେ ନୁହେଁ ଦୁଇମାସ ତଳେ ଡଙ୍ଗା ଭାଙ୍ଗି ଯିବା ପରେ ନାହିଁନଥିବା ଅସୁବିଧାର ସାମ୍ନା କରୁଥିଲେ ଲୋକେ । ଏମିତିକି ଡଙ୍ଗା ଭାଙ୍ଗିଯିବା ପରେ ନଈ ପାର ହେବା ଲୋକଙ୍କ ଲାଗି କାଠିକର ପାଠ ହୋଇଥିଲା । ଖଣ୍ଡେ ଡଙ୍ଗା ପାଇଁ ପ୍ରଶାସନକୁ ବାରମ୍ବାର ଗୁହାରି କରୁଥିଲେ ଲୋକେ କିନ୍ତୁ ସୁଫଳ ମିଳୁନଥିଲା । ହେଲେ ଲୋକଙ୍କ ସମସ୍ୟାକୁ ବେଶ୍‌ ଭଲରେ ବୁଝିପାରିଥିଲେ ସରପଂଚ ରେସମାରାଣୀ ମଲିକ । ଖାଲି ବୁଝିଥିଲେ ତାହା ନୁହେଁ ବରଂ ନିଜସ୍ୱ ଟଙ୍କାରେ ଲୋକଙ୍କ ଲାଗି କିଣିଦେଲେ ଡଙ୍ଗା । ଏମିତି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଆଳିରୁ ।

ପ୍ରଶାସନ ଶୁଣିଲାନି କିନ୍ତୁ ସରପଂଚ ଶୁଣିଲେ । ନିଜସ୍ୱ ଟଙ୍କାରେ ଡଙ୍ଗା କିଣିଦେଲେ । ଏବେ ଘାଟକୁ ନୂଆ ଡଙ୍ଗା ଆସିବା ପରେ ଏମିତି ଡଙ୍ଗାରେ ପୂଜାର୍ଚ୍ଚନା କରିଥିଲେ ଲୋକେ । ଆଳିର କଳମଡା-ଭୂଇଁପୁର ନଦୀଘାଟରେ ଗତ ଦୁଇମାସ ତଳେ ମଝି ନଈରେ ଦଦରା ଡଙ୍ଗା ଫାଟି ଦୁଇଫାଳ ହୋଇଯିବା ପରେ ସେହିଦିନଠୁ ଘାଟ ଡଙ୍ଗା ଚଳାଚଳ ବନ୍ଦ ହୋଇଯାଇଥିଲା । ଫଳରେ ଘାଟ ଡଙ୍ଗା ଉପରେ ନିର୍ଭରଶୀଳ ୨ ଟି ପଞ୍ଚାୟତର ଲୋକମାନେ ଆଳିର ସଦର ମହକୁମାକୁ ଆସିବା ପାଇଁ ନାନା ହଇରାଣ ହରକତ ହେଉଥିଲେ । ହେଲେ ଏବେ ଡଙ୍ଗା ଆସିବା ପରେ ଲୋକଙ୍କ ମୁହଁରେ ହସ ଫୁଟିଛି । ଆଉ ପୁଣି ଥରେ ସହଜରେ ନିଜ କାମ କରିପାରିବେ ବୋଲି କହିଛନ୍ତି ଲୋକେ ।

 

  • Reported by:
  • Banamali Sahoo