• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ପ୍ରାକୃତିକ ଗ୍ୟାସ ବ୍ୟବହୃତ ଶବଦାହ ଗୃହ । ଅର୍ଥାତ ସିଏନଜି ଗ୍ୟାସ ବ୍ୟବହାର କରି ମୃତଦେହ ଗୁଡିକୁ ଦାହ କରାଯିବ । ଖଣ୍ଡଗିରି ଧର୍ମବିହାର ଠାରେ ଆଜି ଏଇ ପ୍ରଦୂଷଣ ବିହୀନ ଶବଦାହ କେନ୍ଦ୍ର ଉଦଘାଟିତ ହୋଇଥିବା ବେଳେ ଖୁବଶୀଘ୍ର ଆଇଗିଣିଆ ଏବଂ କଟକ ଖାନନଗରରେ ମଧ୍ୟ ଅନୁରୂପ ଶବଦାହ କେନ୍ଦ୍ର ହେବ ବୋଲି ସୂଚନା ଦିଆଯାଇଛି । ସେପଟେ ନିୟନ୍ତ୍ରଣ ସତ୍ତ୍ୱେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଯୋଗ ଦେଇନଥିବାରୁ ଏହାକୁ ନେଇ ତେଜିଛି ରାଜନୀତି ।

ଏଣିକି ଶବଦାହ ପାଇଁ ନା ଦରକାର ହେବ କାଠ ନା ବିଜୁଳି । CNG ଜାଳିବ ଶବ । ଓଡ଼ିଶାରେ ପ୍ରଥମ କରି ରାଜଧାନୀର ଖଣ୍ଡଗିରି ଧର୍ମବିହାର ଠାରେ ଆଜି ପ୍ରାକୃତିକ ଗ୍ୟାସ ଆଧାରିତ ଏଭଳି ଅତ୍ୟାଧୁନିକ ଶବଦାହ ଗୃହର ଶୁଭାରମ୍ଭ ହୋଇଛି । ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ନିର୍ମିତ ଏଇ କେନ୍ଦ୍ରକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କେନ୍ଦ୍ରରେ ରହିଛି ୨ଟି ସିଏନଜି କନେକ୍ଟେଡ୍ ଚୁଲା । ପ୍ରତି ଚୁଲାରେ ଗୋଟିଏ ଶବ ଦାହ ପାଇଁ ଲାଗିବ ମାତ୍ର ୬୦ ମିନିଟ ।

ସେହିପରି ପ୍ରତି ଚୁଲାରେ ୨ଟି ଲେଖାଁଏ ବର୍ଣ୍ଣର । ସବୁଠୁ ବଡ କଥା ହେଲା, ଶବଦାହ ସମୟରେ ଏଥିରୁ ବାହାରୁଥିବା ଗ୍ୟାସକୁ ସିଧାସଳଖ ବାୟୁମଣ୍ଡଳକୁ ଛଡ଼ା ନଯାଏ ପ୍ୟୁରିଫାଏ କରି ଛଡାଯିବ । ଫଳରେ ଶବଦାହ ଜନିତ ପରିବେଶ ପ୍ରଦୁଷଣର ସମସ୍ୟା ରହିବ ନାହିଁ । ୫ କୋଟି ବ୍ୟୟରେ ଧର୍ମବିହାର ଠାରେ ଏହି ଶବଦାହ କେନ୍ଦ୍ରର ନିର୍ମାଣ କରାଯାଇଛି । ନିକଟରେ ଅନୁରୂପ ଆଉ ଦୁଇଟି ଶବଦାହ ଗୃହ- ଆଇଗିଣିଆ ଏବଂ କଟକ ଖାନନଗର ଠାରେ ଉଦଘାଟନର କାର୍ଯ୍ୟକ୍ରମ ରହିଛି । ମୋଟ ୩ଟି ପ୍ରକଳ୍ପ ପାଇଁ ସିଏସଆର୍ ଫଣ୍ଡରୁ ୧୬ କୋଟି ଖର୍ଚ୍ଚ କରିବ ଗେଲ ଇଣ୍ଡିଆ ।

ସେପଟେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଯୋଗ ଦେଇନଥିବାରୁ ଏହାକୁ ନେଇ ତେଜିଛି ରାଜନୀତି । ବିଧିବଦ୍ଧ ନିମନ୍ତ୍ରଣ ଥିବା ସତ୍ତ୍ୱେ ମେୟର ନ ଆସିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରପକ୍ଷେ ମେୟର ଆସିନଥିବାରୁ ସ୍ଥାନୀୟ କର୍ପୋରେଟରଙ୍କୁ ଶବଦାହ ଗୃହର ରକ୍ଷଣାବେକ୍ଷଣ ପାଇଁ ଚାବି ହସ୍ତାନ୍ତର କରାଯାଇଥିଲା ।

ତେବେ କ୍ୟାମେରାରେ ପ୍ରତିକ୍ରିୟା ରଖିବାକୁ ମନା କରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ସେ ଯୋଗ ଦେଇ ପାରି ନଥିଲେ ବୋଲି କହିଛନ୍ତି ମେୟର । ସତ୍ୟନଗର ସ୍ଥିତ ଶ୍ମଶାନରେ ଇଲେଟ୍ରିକ ଚୁଲ୍ଲା ବ୍ୟବସ୍ଥା ଥିବା ବେଳେ କୋଭିଡ ପରଠାରୁ ଯାନ୍ତ୍ରିକ ତ୍ରୁଟି ପାଇଁ ଏହା ବନ୍ଦ ରହିଛି । ନୂଆ ଟେଣ୍ଡର ପରେ ଏହାକୁ କାର୍ଯ୍ୟକ୍ଷମ ହେବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଆଜି ପ୍ରଥମକରି ଉଦ୍ଘାଟିତ ହୋଇଥିବା ରାଜ୍ୟର ଏ ଅତ୍ୟାଧୁନିକ ସିଏନଜି ଶବଦାହ ଗୃହର କିଭଳି ରକ୍ଷଣାବେକ୍ଷଣ ହେଉଛି ଏବେ ତା’ଉପରେ ନଜର ।

  • Reported by:
  • SOUMYA RANJAN SAHOO , NIRANJAN REDDY