• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶାଶୁ-ବୋହୂ ସମ୍ମିଳନୀର ଆୟୋଜନ କରିବେ କରିବେ ଓଡ଼ିଶା ସରକାର । ଶାଶୁ ବୋହୂଙ୍କ ମଧ୍ୟରେ ଆଉ ରହିବନି ରାଗରୁଷା କି ମାନ ଅଭିମାନ । ଟିଭି ସିରିଏଲ ଓ ଯାତ୍ରାର ଶାଶୁ ବୋହୂ କାହାଣୀର ହେବନି ରିପିଟ୍‍ ଟେଲିକାଷ୍ଟ । ହେବ ତ କେବଳ ପରିବାରର ସୁଖ ଓ ସ୍ୱଚ୍ଛନ୍ଦ ପାଇଁ ଚର୍ଚ୍ଚା । କେବେ ଶାଶୁଙ୍କୁ ବୋହୂ ବୁଝାଇ ଦେବେ ତ ପୁଣି କେତେବେଳେ ଶାଶୁଙ୍କୁ ମନାଇବ ବୋହୂ । ଏଥିପାଇଁ ଶାଶୁ ବୋହୂଙ୍କୁ ନେଇ ଆରମ୍ଭ ହେବାକୁ ଯାଉଛି ଏକ ସମ୍ମିଳନୀ । ମଜାଦାର କଥା ହେଉଛି ଏହାର ନାମକରଣ ବି ଉଭୟଙ୍କୁ ଉତ୍ସର୍ଗ । ଅର୍ଥାତ ଶାଶୁ ବୋହୂଙ୍କୁ ନେଇ ଆରମ୍ଭ ହେବାକୁ ଯାଉଛି ଶାଶୁ ବୋହୂ ସମ୍ମିଳନୀ । ଯେଉଁଥିରେ ପ୍ରତି ଓଡ଼ିଆଙ୍କ ଘରର କଥାକୁ ନେଇ ଚର୍ଚ୍ଚା କରିବେ ଶାଶୁ ଓ ବୋହୂ । ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ପରିବାର ନିୟୋଜନ ସଂପର୍କରେ ଜାଣିବେ ଓ ଜଣାଇବେ ... ।

ପରିବାର ନିୟୋଜନ ନେଇ ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟୁଇଟ କରାଯାଇଛି । ଜନସଂଖ୍ୟା ନିୟନ୍ତ୍ରଣ ଏବଂ ପରିବାର ନିୟୋଜନ କ୍ଷେତ୍ରରେ ଉପଲବ୍ଧି ହାସଲ କରିବାକୁ ରାଜ୍ୟ ସରକାର ଶାଶୁ ବୋହୁ ସମିଟ୍‍ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ସହ ଏଥିରେ କୁହାଯାଇଛି ଯେ, ବର୍ଷକୁ ଦୁଇ ଥର ଏହା ସମସ୍ତ ଅଞ୍ଚଳରେ ଆୟୋଜିତ ହେବ । ଆଶା କର୍ମୀମାନେ ଏହାର ଆୟୋଜନ ଦାୟିତ୍ୱ ନେବେ । କେତେକ ସ୍ଥାନରେ ଏହା ଆୟୋଜିତ ହୋଇଥିବା ବେଳେ ସରକାର ଏହାକୁ ଏବେ ବ୍ୟାପକ ରୂପ ଦେବାକୁ ଯାଉଛନ୍ତି ।

ପ୍ରଥମ ସନ୍ତାନ ଜନ୍ମର କେତେ ଦିନ ପରେ ଦ୍ୱିତୀୟ ସନ୍ତାନ ପାଇଁ ନିଷ୍ପତ୍ତି ନେବେ ? ସୁରକ୍ଷିତ ମାତୃତ୍ୱ ଲାଭ ପାଇଁ କେମିତି ପ୍ରସ୍ତୁତ ରହିବେ ଏବଂ ନିଜର ଯତ୍ନ ନେବେ ? ଏମିତି ଅନେକ ପ୍ରଶ୍ନର ଉତ୍ତର ସାଙ୍ଗକୁ ବୋହୂ କାନରେ ମନ୍ତ୍ର ଦେବେ ଶାଶୁ । ଶାଶୁ ବୋହୂଙ୍କୁ ନେଇ ଆୟୋଜିତ ହେବ କୁଇଜ ପ୍ରତିଯୋଗିତା । ବିଜେତାଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯିବ । ଏହା ବାଦ୍‍ ନବ ଦଂପତିଙ୍କୁ ସରକାର ପରିବାର ନିୟୋଜନ କିଟ୍‍ ଗିଫ୍‍ଟ କରିବେ । ହେଲେ ଏବେ ବଡ଼ ପ୍ରଶ୍ନ ସରକାର ନିଜ ଲକ୍ଷ୍ୟ ସାଧନରେ ସଫଳ ହେବେ ନା ଏହାକୁ ନେଇ ଭୋଟ୍‍ ରାଜନୀତି କରିବେ ।