• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦେଶରେ ୟୁନିଟ୍ ପିଛା ବିଜୁଳିର ହାରାହାରି ମୂଲ୍ୟ ଯେତିକି, ରାଜ୍ୟରେ ସେହି ମୂଲ୍ୟଠୁ ଅଧିକ ୭୯ ପାଇସା ଅଧିକ ଦେଉଛନ୍ତି ଗ୍ରାହକ । ଦେଶର ସମସ୍ତ ୧୧୭ଟି ବିଜୁଳି ବିତରଣ କମ୍ପାନୀ ଗୁଡ଼ିକର ପ୍ରଦର୍ଶନ ଉପରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଅଧୀନ ପାୱାର ଫାଇନାନ୍ସ କର୍ପୋରେସନ୍ ବା ପିଏଫ୍‌ସିର ଅଡିଟ୍ ରିପୋର୍ଟରୁ ଏ ତଥ୍ୟ ମିଳିଛି । ବର୍ଷ ୨୦୨୧-୨୨ ପାଇଁ ପିଏଫସିର ଅଡିଟ୍ ରିପୋର୍ଟ ପରେ ଏବେ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କଠୁ ନିଆଯାଇଥିବା ଅଧିକ ଟଙ୍କା କେମିତି ଗ୍ରାହକଙ୍କୁ ଫେରାଯିବ, ସେନେଇ ବିଭିନ୍ନ ସଗଂଠନ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ ।

ବିଜୁଳି ବଳକା ରାଜ୍ୟରେ ମହଙ୍ଗା ବିଜୁଳି । ଏଇଠୁ ଉତ୍ପାଦନ ହେଉଥିଲେ ବି କିଣିବା ପାଇଁ ଲୋକେ ଗଣୁଛନ୍ତି ଅଧିକ ଟଙ୍କା । ଦେଶ ତୁଳନାରେ ଓଡ଼ିଶା ଖାଉଟିଙ୍କୁ ୟୁନିଟ୍ ପିଛା ଦେବାକୁ ପଡୁଛି ଅଧିକ ୭୯ ପଇସା । କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟର ଅଧିନସ୍ଥ ପାୱାର ଫାଇନାନ୍ସ କର୍ପୋରେସନ୍ ବର୍ଷ ୨୦୨୧-୨୨ ଲାଗି କରିଥିବା ଅଡିଟ୍ ରିପୋର୍ଟରୁ ଏ ତଥ୍ୟ ସାମ୍ନାକୁ ଆସିଛି ।

ରିପୋର୍ଟ କହୁଛି, ଦେଶରେ ଉଭୟ ସରକାରୀ ଓ ଘରୋଇ ବିତରଣ କମ୍ପାନୀର ବିଜୁଳି ୟୁନିଟ୍ ପିଛା ହାରାହାରି ମୂଲ୍ୟ ୫ଟଙ୍କା ୧୯ ପଇସା । କିନ୍ତୁ ସେହି ତୁଳନାରେ ଓଡ଼ିଶାରେ ୟୁନିଟ ପିଛା ହାରାହାରି ଦର ୫ଟଙ୍କା ୯୮ ପଇସା । ଯାହାକି ଜାତୀୟ ହାରଠୁ ୭୯ ପଇସା ଅଧିକ। ଏ ରିପୋର୍ଟରେ ଉଭୟ ସରକାରୀ ଓ

ଘରୋଇ ସଂସ୍ଥାକୁ ମିଶାଇ ବିଜୁଳି ବଣ୍ଟନ ଦାୟିତ୍ୱରେ ଥିବା ଦେଶରେ ମୋଟ୍ ୧୧୭ଟି କମ୍ପାନୀ ପକ୍ଷରୁ ଖାଉଟିଙ୍କ ପାଇଁ ଧାର୍ଯ୍ୟ ଦରର ହିସାବ ରଖାଯାଇଛି । PFC ରିପୋର୍ଟର ଏ ତଥ୍ୟ ପରେ ଓଡ଼ିଶାର ବିତରଣ କମ୍ପାନୀ, ଓଇଆରସି, ଏବଂ ସରକାର ମିଳିମିଶି ଗ୍ରାହକଙ୍କୁ ଶୋଷଣ କରୁଥିବା କହିଛନ୍ତି ଶକ୍ତି ସମୀକ୍ଷକ ଏବଂ ବିଭିନ୍ନ ଖାଉଟି ଅଧିକାର ସୁରକ୍ଷା ମଞ୍ଚ ।

ଶକ୍ତି ସମୀକ୍ଷକଙ୍କ ମତରେ ଓଡ଼ିଶାରେ ଜାତୀୟ ହାରଠୁ ଅଧିକ ଦରରେ ବିଜୁଳି ବିକ୍ରି ହେବା ଫଳରେ ଗତ ୩ ବର୍ଷରେ ଘରୋଇ ବିତରଣକାରୀ କମ୍ପାନୀଗୁଡ଼ିକ ଉପଭୋକ୍ତାଙ୍କଠାରୁ ପ୍ରାୟ ୨ ହଜାର କୋଟିରୁ ଅଧିକ ଟଙ୍କା ମୁନାଫା କମାଇଛନ୍ତି । ବିଦ୍ୟୁତ୍ ଆଇନର ଧାରା ୬୨-୬ ଅନୁସାରେ ଗ୍ରାହକଙ୍କୁ ଏହି ଅର୍ଥ ତୁରନ୍ତ ଫେରାଇ ଦେବାକୁ ଦାବି ହୋଇଛି । ଏପରିକି ଏ ଦାବି ନେଇ ଲୋକଙ୍କୁ ସଚେତନ କରାଯିବା ସହ ଆଗକୁ ବଡ଼ ଧରଣର ଆନ୍ଦୋଳନ କରିବାକୁ କିଛି ସଂଗଠନ ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷରେ ଏନେଇ ଶକ୍ତି ବିଭାଗ କିମ୍ବା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ବା ଓଇଆରସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ଓଡ଼ିଶାରେ ଲଗାତର ବିଜୁଳି ବିଭ୍ରାଟ ଓ ପାୱାର କଟକୁ ନେଇ ଲୋକଙ୍କ ଆକ୍ରୋଶ ଥମିନି । ଏହାରି ଭିତରେ ବିଜୁଳି ଉତ୍ପାଦିତ ରାଜ୍ୟର ବାସିନ୍ଦା ହୋଇ, ବିଜୁଳି ପାଇଁ ଅଧିକ ଟଙ୍କା ଗଣୁଥିବା ଜାଣିବା ପରେ, ସେମାନେ ଯେ ଶୋଷିତ ହେଉଛନ୍ତି, ତାହା ଜଳ ଜଳ ଦିଶୁଛି ।

  • Reported by:
  • SOUMYA RANJAN SAHOO