• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଅଁଳ କାନ୍ଧ ବୋହୁଛି ସଂସାର ବୋଝ । ଦିବ୍ୟାଙ୍ଗ ବାପା ଆଉ ଦୃଷ୍ଟିବାଧିତ ମା’ ପାଇଁ ସେ ଏକମାତ୍ର ସାହାରା । ମାତ୍ର ୧୪ ବର୍ଷ ବୟସରେ ଘରର ଦାୟିତ୍ୱ ମୁଣ୍ଡାଇଛି କୁନି ପୁଅ । ଖେଳିବା ବୁଲିବା ବୟସରେ ପୁଅର କର୍ତ୍ତବ୍ୟ କରୁଛି । ପୁରାଣରେ ଶ୍ରବଣ କୁମାର ନିଜର ଦୃଷ୍ଟିହୀନ ବାପାମାଙ୍କୁ କାନ୍ଧେଇ ତୀର୍ଥ କରିଥିବା କଥା ଶୁଣିଥିବେ l କିନ୍ତୁ ଆଜିକାଲିର କଳିଯୁଗରେ ଏପରି ପୁଅ ପାଇବା ସତରେ ପୂଣ୍ୟର ବିଷୟ । ଏ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସିବ l

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଶୀଳପୋଖରୀ ଗାଁର ୧୩ ବର୍ଷିୟ ରାକେଶ । ବାପା ଗିରେନ ବୈଦ, ମା’ ରୀନା ବୈଦ ଓ ଭାଇଙ୍କୁ ନେଇ ତାଙ୍କ ସଂସାର l ବେଶ ହସଖୁସିରେ ଚାଲିଥିଲା ଚାରି ପ୍ରାଣୀ ପରିବାର l ହେଲେ ହଠାତ ପରିବାର ଉପରେ କଳାବାଦଲ ଢାଙ୍କି ହୋଇ ଆସିଲା l ଆସିଲା ଦୁଃଖ ଆଉ ଦୁଃଖ l ମା’ ରୀନା ବୈଦଙ୍କ ଆଖିକୁ ପ୍ରଥମେ ଝାପସା ଦେଖାଗଲା l ତାପରେ ପୁରା ଅନ୍ଧାର....... l ଆଉ ରୀନାଙ୍କ ଚିକିତ୍ସା ପାଇଁ ବାହାର ରାଜ୍ୟରେ କାମ କରି ଅର୍ଥ ପାଇଁ ଯାଇଥିଲେ ବାପା ଗିରେନ l

ମାତ୍ର ବୋଝ ଉପରେ ନଳିତା ବିଡା ସଦୃଶ କାମ କରିବା ସମୟରେ ୬ ତାଲାରୁ ଖସି ପଡିଲେ ଗିରେନ l ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ପାଇ ସିନା ବଂଚିଗଲେ କିନ୍ତୁ ସବୁଦିନ ପାଇଁ ହୋଇଗଲେ ପଙ୍ଗୁ l ପରିବାରର ବୋଝ ବୋହୁ ବୋହୁ ସେ ନିଜେ ପରିବାର ପାଇଁ ହୋଇଗଲେ ବୋଝ l 

ରାକେଶ ଏବେ ନିଜର ପାଠପଢ଼ା ସହ ବାପା, ମାଙ୍କ ସେବା କରି ଘରର ସବୁ କାମ ବି କରୁଛନ୍ତି । ରୋଷେଇ ଠାରୁ ଆରମ୍ଭ କରି ଘରର ଛୋଟବଡ଼ ସବୁ କାମର ଭାର ତାଙ୍କ ଉପରେ । ସଂସାର ବୈତରଣୀ ପାରି କରିବାକୁ ନିଜ କାନ୍ଧରେ ଦିବ୍ୟାଙ୍ଗ ବାପା ଓ ଦୃଷ୍ଟିବାଧିତ ମାକୁ ବୋହି ଚାଲିଛନ୍ତି l ତେବେ ଏ ସମ୍ପର୍କରେ ଜାଣିବା ପରେ ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ରାକେଶଙ୍କ ବାପାମା’ଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥା କରାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ସ୍ଥାନୀୟ ବିଡ଼ିଓଙ୍କୁ କହି ଭତ୍ତା ବ୍ୟବସ୍ଥା ମଧ୍ୟ କରିଦେଇଛନ୍ତି l

(ପ୍ରବୀର କୁମାର ନାୟକ, ପଟ୍ଟାମୁଣ୍ଡାଇ)