• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀରେ କଅଁଳୁନି ନିମ୍ବ ଗଛ । ଗଛ ପତ୍ରଝଡା ଦେଇ ଥୁଣ୍ଟା ହୋଇଯାଉଛି । ପ୍ରଥମେ ପତ୍ର ଗୁଡିକ ମଉଳି ଯାଉଛି, ଧୀରେ ଧୀରେ କଳା ପଡି ପୋଡିଯିବା ଭଳି ଦେଖାଯାଉଛି । ଏହା ପରେ ଝଡି ଯାଉଛି, ଆଉ ନୂଆ ପତ୍ର ଆସୁନି କି ଫୁଲ ଫଳ ମଧ୍ୟ ହେଉନି । ପ୍ରାୟ ଅଧିକାଂଶ ନିମ୍ବ ଗଛର ଏଭଳି ଅବସ୍ଥା ।

ଆଖପାଖ ଗଛ ଗୁଡିକ ଚଇତାଳି ପବନରେ ମୁଚୁକୁନ୍ଦା ହସ ହସୁଥିବା ବେଳେ ନିମ୍ବ ଗଛ ସବୁ ଝାଉଁଳି ଯାଉଛି । ଅନ୍ୟ ଗଛର ଛନଛନିଆ ପତ୍ର ଦେଖିଲେ ମନ ଆନ୍ଦୋଳିତ ହେଉଛି । ହେଲେ ସେହି ପାଖକୁ ଲାଗି ରହିଥିବା ନିମ୍ବ ଗଛ କିନ୍ତୁ ପୁରା ଶୁଖି ଯାଉଛି । ସତେ ଯେମିତି କେହି ନିଆଁ ଲଗାଇ ଦେଇଛି ।  ଆୟୁର୍ବେଦ ଅନୁସାରେ ନିମ୍ବ ଗଛରେ ଅନେକ ଔଷଧୀୟ ଗୁଣ ଭରପୁର ରହିଛି । ଏମିତି ବି ଚୈତ୍ର ମାସରେ ନିମ୍ବ କଢି ଖାଇବା ଅନେକଙ୍କର ପସନ୍ଦ ହୋଇଥାଏ। ହେଲେ ଗଛର ଏଭଳି ସ୍ଥିତି ଅନେକଙ୍କୁ ବିଚଳିତ କରିଛି ।

ପତ୍ରପୋଡା ଏକ କୀଟାଣୁର ପ୍ରକୋପରୁ ହେଉଥିବା କହିଛନ୍ତି ବିଶେଷଜ୍ଞ । ଟି ମସ୍କ୍ୟୁଟୋ ବଗ୍ ବା 'ଚା ମଶକ ପୋକ' ନିମ୍ବ ଗଛର ପତ୍ର ଖାଇବା ସହ ଗଛରେ ଏକ ବିଷ ଛାଡିବା ଦ୍ୱାରା ପତ୍ର ଗୁଡିକ ଜଳି ଯାଇଥାଏ ବୋଲି କହିଛନ୍ତି ଓୟୁଏଟିର ପ୍ରଫେସର । ପତ୍ର ଓ ଡାଳ ଖାଉଥିବା ଏହି ପୋକ ପ୍ରଥମେ ପତ୍ର ଗୁଡିକୁ କଣା କରି ଦିଅନ୍ତି । ଏହି ସମୟରେ ଏକ ବିଷ ଛାଡିଥାନ୍ତି । ଫଳରେ ପତ୍ରରେ କଳା କଳା ଦାଗ ହୋଇଯାଏ, ପତ୍ରର ଟିସ୍ୟୁ ଗୁଡିକ ନଷ୍ଟ ହୋଇଯାଏ ।

ଯଦିଓ ଗଛ ସଂପୂର୍ଣ୍ଣ ମରେ ନାହିଁ, କିନ୍ତୁ ଗଛର ସମସ୍ତ ନୂଆ କଅଁଳିଆ ପତ୍ର, ଫୁଲ ନଷ୍ଟ ହୋଇଯାଏ । ଏହି ପୋକର ପ୍ରଭାବ ୨୫ରୁ ୩୦ ଦିନ ପର୍ଯ୍ୟନ୍ତ ଥାଏ । ଦକ୍ଷିଣ ଭାରତରେ ଏହି ପୋକ ଲାଗୁଥିବା ବେଳେ ଏବେ ଓଡିଶାରେ ମଧ୍ୟ ଏହାର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି ।

କେବଳ ନିମ୍ବ ନୁହେଁ, କାଜୁ, ସଜନା, ପିଜୁଳି, ବିଭିନ୍ନ ମସଲା ଗଛ ଆଦିରେ ଏହି ପୋକ ଲାଗିଥାଏ । ଏହି ପୋକକୁ ଦମନ କରାନଗଲେ, ଏହା ବିପଦ ସୃଷ୍ଟି କରିପାରେ ।

(ଭୁବନେଶ୍ୱରରୁ କ୍ୟାମେରାପର୍ସନ ସୌମ୍ୟଙ୍କ ସହ ସ୍ୱାତୀ ଜେନାଙ୍କ ରିପୋର୍ଟ)