• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଥାରେ ଅଛି, ଚାଷ ତରତର ବଣିଜ ମଠ । ହେଲେ ଚାଷୀ ତରବର ହେବ କେମିତି । ଚାଷୀକୁ ଚିନ୍ତାରେ ପକାଇଛି ନିଅଣ୍ଟିଆ ବର୍ଷା । ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି । ମୁଣ୍ଡରେ ହାତ ଦେବା ଛଡା ଚାଷୀ ପାଖେ ଅନ୍ୟ ଉପାୟ ବି ନାହିଁ । ଉପକୂଳରୁ ଦକ୍ଷିଣ ଓଡିଶା ସବୁଠି ସ୍ଥିତି ସମାନ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ବର୍ଷା ଅଭାବରୁ ୧୨ଟି ଜିଲ୍ଲାରେ ସ୍ଥିତି ସଙ୍ଗୀନ ।

ଜୁଲାଇ ସରିବାକୁ ବସିଲାଣି, ହେଲେ ବ୍ରହ୍ମଗିରିରେ ଶୁଖିଲା ପଡିଛି ଜମି । ବର୍ଷା ଅଭାବରୁ ମାଟି ଫାଟି ଆଁ କରିଛି । ଚାଷୀ ପାଣି ବୋହି ତଳି ପକାଇଥିଲା, ଏବେ ସେହି ତଳି ତକ ବି ମରିବାକୁ ବସିଲାଣି । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଉଜୁଡିବାକୁ ବସିଛି ଚାଷୀର ଫସଲ । ପିପିଲି ବ୍ଲକରେ ବି ସ୍ଥିତି ସମାନ । ବର୍ଷା ଅଭାବରୁ ଏଠି ଜମି ହଳ ହୋଇପାରିନି । ଆଉ କିଛି ହଳ ଜମିରେ ଘାସ ଉଠିଗଲାଣି ।

ସେହିପରି କେନ୍ଦ୍ରାପଡାରେ ମଧ୍ୟ ସ୍ଥିତି ସଙ୍ଗୀନ । ପାଣି ଅଭାବରୁ ଏଠି ଚାଷଜମି ପଡିଆ ପଡିଛି । ବର୍ଷାକୁ ଚାହିଁ ଚାହିଁ ଶେଷରେ ନଳକୂଅରୁ ପାଣି ଆଣି ଫସଲ କରିବାକୁ ତରତର ଚାଷୀ । ସେପଟେ କଳାହାଣ୍ଡି ଧର୍ମଗଡରେ ଧାନ ଗଜା ବଞ୍ଚାଇବାକୁ ଜୀବନ ବିକଳେ ମୋଟର ପମ୍ପରେ ପାଣି  ଏଡେଇବାରେ ଲାଗିପଡିଛି ଚାଷୀ । ବାଲେଶ୍ୱର ଓ ନବରଙ୍ଗପୁରରେ ବି ସ୍ଥିତି ଜଟିଳ ହେଲାଣି । ବର୍ଷା ଅଭାବରେ ହତାଶ ଚାଷୀକୂଳ ।

ଏପଟେ ପାଣିପାଗ ବିଭାଗ କହିଛି, ଚଳିତ ମୌସୁମୀ ଋତୁ ଅର୍ଥାତ ଜୁନ ୧ ରୁ ଜୁଲାଇ ୩୦ ମଧ୍ୟରେ ସମଗ୍ର ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଚଳିତ ମୌସୁମୀ ଋତୁରେ ସ୍ୱାଭାବିକଠାରୁ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ୧୨ ଜିଲ୍ଲାର ସ୍ଥିତି ସଙ୍ଗୀନ । ନବରଙ୍ଗପୁରରେ ସର୍ବାଧିକ ୩୯ ପ୍ରତିଶତ ନିଅଣ୍ଟିଆ ରେକର୍ଡ ହୋଇଥିବା ବେଳେ ତା ପଛକୁ କଳାହାଣ୍ଡି ୩୮ ପ୍ରତିଶତ, କେନ୍ଦ୍ରାପଡା ଓ ପୁରୀ ୩୫ ପ୍ରତିଶତ, ଯାଜପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ଉପକୂଳ ଓଡିଶାର ପ୍ରାୟ ସମସ୍ତ ଜିଲ୍ଲା ଅଭାବୀ ବର୍ଷାର ସମ୍ମୁଖୀନ ହୋଇଛି । ତେବେ ଆଶ୍ୱସ୍ତି ଆଣିପାରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ । ସୋମବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ନିଅଣ୍ଟିଆ ବର୍ଷାକୁ ଭରଣା କରିବା ନେଇ ଆଶା କରାଯାଉଛି ।

ଅଭାବୀ ବର୍ଷା ଚାଷୀ ମୁଣ୍ଡରେ ଚଡକ ପକାଇଥିବା ବେଳେ କୃଷି ବିଶେଷଜ୍ଞ କହିଛନ୍ତି, ଏବେବି ବିଳମ୍ବ ହୋଇନି । ୫୦ ଦିନ ଯାଏଁ ତଳି ପଡିପାରିବ। ବର୍ଷା ଅଭାବକୁ ଦେଖି ଚାଷୀଙ୍କୁ ଅଳ୍ପ ସ୍ଥାନରେ ଅଧିକ ରୋଇବା ସହ ଅଧିକ ସାର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଆଗକୁ ଲଗାଣ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ଆଶଙ୍କା କରିଛନ୍ତି କୃଷି ବିଶେଷଜ୍ଞ ଡକ୍ଟର ତୁଷାରକାନ୍ତ ମହାନ୍ତି ।