• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୟସ ମାତ୍ର ୯ ବର୍ଷ । ନିଜେ ବାସନ ମାଜୁଛି । କୁନି ଭାଇ ଭଉଣୀଙ୍କୁ ହାତରେ ଖୁଆଇ ଦେଉଛି । ଡ୍ରେସ୍ ପିନ୍ଧାଇ ଦେଉଛି । ଛୋଟ ବୟସରେ ବି ତା ଦାୟିତ୍ୱବୋଧ ବେଶ ଗୁରୁତ୍ୱପୂର୍ଣ୍ଣ । ସେ ବୁଝିଛି ବାପାମାଆଙ୍କ ଅନୁପସ୍ଥିତିରେ ବଡ଼ ଭାଇର ଦାୟିତ୍ୱ, ଗୁରୁତ୍ୱ । ଆଉ ସେଇଥିପାଇଁ ସାନ ଭାଇ ଭଉଣୀଙ୍କ ଏତେ ସବୁ ଦାୟିତ୍ୱ ନିଜେ ନେଉଛି ।

ଆମେ କହୁଛୁ ନୂଆପଡ଼ା ଖଡ଼ିଆଳ ବ୍ଲକ ତୁକଲା ଗାଁର ସହଦେବଙ୍କ କଥା । ରୋଗରେ ପଡ଼ି ମାଆ ତ ସବୁଦିନ ପାଇଁ ଚାଲିଗଲେ । ତାସହ ବାପା ବି ପେଟକୁ ଦାନା ଯୋଗାଡ଼ ପାଇଁ ଦାଦନ ଖଟିବାକୁ ବାହାରିଗଲେ । ଏବେ ଘରେ ସହଦେବଙ୍କ କାନ୍ଧରେ ପରିବାରର ବୋଝ । ସାତ ବର୍ଷର ସାନ ଭାଇ କ୍ଷମା ଓ ତିନି ବର୍ଷର ଭଉଣୀ ଡାଳିମ୍ବର ଭଲମନ୍ଦ ସବୁ କଥା ସହଦେବକୁ ବୁଝିବାକୁ ପଡ଼ୁଛି ।

ସହଦେବର ବାପା ରାଜେଶ୍ ହାତୀଙ୍କର ନା ଅଛି ଜମିବାଡ଼ି, ନା ଗାଁରେ କାମ କରିବାର ସୁଯୋଗ । ତେଣୁ ବାଧ୍ୟ ହୋଇ ପୁଅ ଝିଅଙ୍କୁ ବଡ଼ ପୁଅ ସହଦେବ ହାତରେ ଜିମା ଦେଇ ଦାଦନ ଖଟିବାକୁ ଯାଆନ୍ତି ଆନ୍ଧ୍ରପ୍ରଦେଶ । ଚାରି ପାଞ୍ଚ ମାସରେ ଥରେ ଅଧେ ଆସି ସେମାନଙ୍କୁ ଦେଖି ଯାଆନ୍ତି । ବାପାଙ୍କ ଅନୁପସ୍ଥିତିରେ ସହଦେବ ଦୁଇ ଭାଇ ଭଉଣୀଙ୍କ ଦାୟିତ୍ୱ ନେଇଥାଏ । ଭାଇ ଭଉଣୀଙ୍କ ଯତ୍ନ ନେବା ପାଇଁ ସେ ଆଉ ସ୍କୁଲ ବି ଯାଉ ନାହିଁ ।

ରାଜେଶଙ୍କ ବଡ଼ଭାଇ ଭାଉଜ ବେଳେବେଳେ ତିନି ଭାଇ ଭଉଣୀଙ୍କ ଖାଇବା ପିଇବା ବୁଝୁଥିବା ବେଳେ ଅନେକ ସମୟରେ ମାଗିଯାଚି ଚଳିବାକୁ ପଡ଼େ ବୋଲି ସେମାନେ କୁହନ୍ତି । ରାଜେଶଙ୍କ ଜମି ବାଡ଼ି କିଛି ନଥିବା ବେଳେ ଘର ଖଣ୍ଡିକର ଅବସ୍ଥା ନ କହିଲେ ଭଲ । ରାସନ କାର୍ଡରେ ମାତ୍ର ଦଶ କିଲୋଗ୍ରାମ ଚାଉଳ ମିଳେ । ଏତିକିରେ ମାସକ ଯାକ ଚଳିବା କଷ୍ଟକର ହୁଏ । ଏନେଇ ନୂଆପଡ଼ା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ତଦନ୍ତ କରି ଥଇଥାନ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

ନିଜ ପାଇଁ ସଂଘର୍ଷ କରୁଥିବା ସହଦେବଙ୍କ ପରିବାର ଏବେ ମଧ୍ୟ ସରକାରୀ ସହାୟତା ଅପେକ୍ଷାରେ । ଆବାସ ଯୋଜନାରେ ଖଣ୍ଡେ ଘର ଓ ଆଉ ଦୁଇ ଜଣଙ୍କୁ ମାସିକ ରାସନ୍ ଯୋଗାଇ ଦେଲେ ତାଙ୍କର ଦୁଃଖ କେତେକାଂଶରେ ଲାଘବ ହୋଇପାରନ୍ତା ।