• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମଣିପୁରରେ ଏବେବି ଥମିନି ଉତ୍ତେଜନା । ତେବେ ଏହାର ପ୍ରଭାବ କେବଳ ମଣିପୁର ଭିତରେ ସୀମିତ ହୋଇନାହିଁ । ରାଜ୍ୟ ବାହାରେ ରହୁଥିବା ମଣିପୁରୀଙ୍କୁ ବି ପ୍ରଭାବିତ କରିଛି । ପରିବାର ସହ ଯୋଗାଯୋଗ ସମ୍ଭବ ହୋଇପାରୁନଥିବାରୁ ଚିନ୍ତାରେ ଦିନ କାଟୁଛନ୍ତି ଓଡ଼ିଶାରେ ପାଠପଢ଼ୁଥିବା ମଣିପୁରୀ ଛାତ୍ରଛାତ୍ରୀ । ତା’ ଉପରେ ଘାରିଛି ଫି' ଦାଖଲ ଟେନ୍‌ସନ । ମଣିପୁରରେ ଇଣ୍ଟରନେଟ୍ ସେବା କଟକଣା ପାଇଁ ଅଭିଭାବକ ଟଙ୍କା ପଠାଇପାରୁନାହାନ୍ତି । ଓଟିଭି କ୍ୟାମେରା ଆଗରେ ନିଜର ଦୁଃଖ ବଖାଣିଛନ୍ତି ଏମିତି କିଛି ମଣିପୁରୀ ଛାତ୍ରଛାତ୍ରୀ ।

ଘରଠୁ ଦୂରରେ ରହିଲେ ମନେପଡ଼େ ପରିବାର । କିନ୍ତୁ ପରିବାର ଯେତେବେଳେ ଥାଏ ବିପଦରେ ସେତେବେଳେ ମନ ଆନ୍ଦୋଳିତ ହୁଏ । ଝୁରେ ଭିଟାମାଟିକୁ । ଠିକ୍ ଏଭଳି ସ୍ଥିତି ଏବେ ପ୍ରବାସୀ ମଣିପୁର ଛାତ୍ରଛାତ୍ରୀଙ୍କର । ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ଆସିଥିଲେ । ଲକ୍ଷ୍ୟ ରଖିଥିଲେ ଡିଗ୍ରୀ ହାସଲ କରି ଘରକୁ ଫେରିବେ । କିନ୍ତୁ ସବୁ କିଛି ବିଗିଡ଼ିଗଲା ।

ମଣିପୁରରେ ହିଂସାକାଣ୍ଡ ପାଇଁ ପରିବାରଠାରୁ ବର୍ତ୍ତମାନ ଯୋଗାଯୋଗ ବିଚ୍ଛିନ୍ନ । ନିଜ ଲୋକଙ୍କ ସହ କଦବା କୋଚିତ୍ ହେଉଛି ଯୋଗାଯୋଗ । ସୁରକ୍ଷା ଦୃଷ୍ଟିରୁ ଇଣ୍ଟରନେଟ୍, ମୋବାଇଲ୍ ସେବା ଉପରେ କଟକଣା ଲାଗିଛି ମଣିପୁରରେ । ଯେଉଁଥିପାଇଁ ପ୍ରତିଦିନ ମନକୁ ଘାଣ୍ଟୁଛି ଅଜଣା ଆଶଙ୍କା । ତଥାପି ମନକୁ ଦମ୍ଭ କରି ଭୁବନେଶ୍ୱରରେ ଏହି ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି ଭବିଷ୍ୟତ ଗଢିବା ପାଇଁ । ନିଜ ରାଜ୍ୟର ଲୋକକଳାକୁ ବି ପ୍ରଚାର କରୁଛନ୍ତି । ଆଉ ସେମାନଙ୍କ ମନବଳକୁ ବଢାଉଛନ୍ତି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ।

ଏମାନଙ୍କ ମୁଖ୍ୟ ସମସ୍ୟା ହେଲା ଇଣ୍ଟରନେଟ୍ ସେବା କଟିଯାଇଥିବାରୁ ପରିବାରଠାରୁ ପଢା ଖର୍ଚ୍ଚ ବାବଦକୁ ଟଙ୍କା ଆସିପାରୁନାହିଁ । ଯେଉଁଥିପାଇଁ ଆଡମିଶନ, ପରୀକ୍ଷା ଓ ରି' ଆଡମିଶନ୍ ଫି' ଆଦି ଦାଖଲ କରିହେଉନି । ଖାଲି ସେତିକି ନୁହେଁ ଚଳିବା ମଧ୍ୟ କଷ୍ଟସାଧ୍ୟ ହୋଇଗଲାଣି । ଆଉ ଏକ ବଡ ସମସ୍ୟା ହେଲା ମଣିପୁର ଛାତ୍ରଛାତ୍ରୀଙ୍କର ଯେ ସେମାନେ ଜାତୀୟ ଓ ଅନ୍ୟ ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡିକରେ ଯୋଗ୍ୟତା ସତ୍ତ୍ୱେ ଆଡମିଶନ୍ ନେଇପାରୁନାହାନ୍ତି କେବଳ ହିଂସାକାଣ୍ଡ ଲାଗି । ସେପଟେ ମଣିପୁର ରାଜ୍ୟପାଳ ଓ ମୁଖ୍ୟଶାସନ ସଚିବଙ୍କ ଚିଠି ପାଇବା ପରେ ଉଚ୍ଚ ଶିକ୍ଷା ବିଭାଗ ବି ମଣିପୁର ଛାତ୍ରଛାତ୍ରୀଙ୍କ ସହାୟତା ଲାଗି ପ୍ରକ୍ରିୟା ଆରମ୍ଭ କରିଛି ।

  • Reported by:
  • JAGDISH DAS