• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାଉଜକୁ ସ୍ତ୍ରୀ ଭାବରେ ଗ୍ରହଣ କଲେ ଦିଅର । ଅନେକ ପ୍ରସ୍ତାବ ଆସୁଥିବା ସତ୍ତ୍ୱେ ନିଜ ଖୁସି କଥା ନଭାବି ଗୋଟିଏ ପରିବାରକୁ ନୂଆ ଜୀବନ ଦେଲେ ଯୁବକ । କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ବଡ଼ ଭାଇ ଚାଲିଯିବା ପରେ ତାଙ୍କର ତିନି ସନ୍ତାନ ଓ ଭାଉଜ ବେସାହାରା ହୋଇ ପଡିଥିଲେ । ଆଉ ବାପାମା’ଙ୍କ ଅନୁରୋଧରେ ଭାଉଜଙ୍କୁ ବିବାହ କରିବା ପାଇଁ ରାଜି ହୋଇଥିଲେ ଦିଅର । ଏହି କ୍ରମରେ ଗତକାଲି ଗାଁର ଜଗନ୍ନାଥ ମନ୍ଦିରରେ ବନ୍ଧୁ ପରିଜନ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଭାଉଜ ମଥାରେ ସିନ୍ଦୂର ଦେଇ ନିଜର ପତ୍ନୀ ଭାବେ ଗ୍ରହଣ କରିଛନ୍ତି ଦିଅର । କେନ୍ଦ୍ରାପଡା ଆଳି ବ୍ଲକ ଅନ୍ତର୍ଗତ କୁମାରଟଙ୍କା ଗାଁ ଜଗନ୍ନାଥ ମନ୍ଦିରରେ ଅତି ନିରାଡମ୍ବର ଭାବରେ ଭାଉଜ କାଜଲ ସହିତ ଦିଅର ଅନୀଲର ବିବାହ ଅନୁଷ୍ଠିତ ହୋଇଛି । ଅନୀଲଙ୍କର ଏଭଳି ମହାନତା ପାଇଁ ସାରା ଗାଁରେ ଏବେ ତାଙ୍କରି ପ୍ରଶଂସା ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ କୁମ୍ଭାରଟଙ୍କା ଗାଁ । ୬ ବର୍ଷ ତଳେ ଏହି ଗାଁର ପୁରୁଷୋତ୍ତମ ସେଠୀଙ୍କ ବଡ଼ ପୁଅ ସୁନିଲ ସେଠୀଙ୍କ ସହ ସେହି ଗାଁର କାଜଲ ସେଠୀଙ୍କର ପ୍ରେମ ବିବାହ ହୋଇଥିଲା । ଉଭୟଙ୍କର ତିନୋଟି ସନ୍ତାନ ହୋଇଥିଲେ । ଖୁବ୍‌ ହସଖୁସିରେ ପୂରି ଉଠୁଥିଲା ପରିବାର । ହେଲେ ଦେଢ଼ ବର୍ଷ ତଳେ ସୁନିଲ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ । କ୍ଷଣିକରେ ଉଡ଼ୁଡ଼ିଗଲା ସୁନାର ସଂସାର । ସ୍ତ୍ରୀ କାଜଲ ବିଧବା ହେବା ସହ ୩ ଛୋଟ ଛୋଟ ପିଲା ବାପ ଛେଉଣ୍ଡ ହୋଇଗଲେ । ଶେଷରେ ବିଦେଶରେ ରହୁଥିବା ସାନ ପୁଅ ଅନୀଲ ଘରକୁ ଆସିବା ପରେ ଭାଉଜ ସହ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ବାପାମା’ ।

ଅଧିକ ପଢ଼ନ୍ତୁ: ଗାଁ ଦାଣ୍ଡରେ ପଡ଼ିଲା ହାତଗଣ୍ଠି ! ପାଞ୍ଚ ଦିନର ଧାରଣା ପରେ ସିନ୍ଦୂର ନାଇଲା ଅଭିମାନୀ ପ୍ରେମିକା

ଏଥିରେ ଅନୀଲ ଓ କାଜଲ ଉଭୟ ରାଜି ହୋଇଥିଲେ । ଏସମ୍ପର୍କରେ ପରିବାର ଲୋକେ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଗତକାଲି ଗାଁର ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଛି ।

ଉଜୁଡିଯାଇଥିବା ପରିବାର ଏବେ ପୁଣି ହସି ଉଠିଛି । କାଜଲଙ୍କୁ ନୂଆ ଜୀବନସାଥି ମିଳିଥିବା ବେଳେ ବାପ ଛେଉଣ୍ଡ ୩ଟି ଛୋଟ ଛୋଟପିଲା ଏବେ ବାପା ଡାକିବାର ସୁଯୋଗ ପାଇଛନ୍ତି । ଅନୀଲ ଓ କାଜଲଙ୍କ ବିବାହକୁ ନେଇ ପରିବାର ଲୋକେ, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ବେଶ ଖୁସି ହୋଇଛନ୍ତି । ଆଉ ଉଭୟ ସମାଜକୁ ଏକ ନୂଆ ବାର୍ତ୍ତା ଦେଇଛନ୍ତି ।