• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୁଅ ଜନ୍ମ କରିଥିଲେ କ’ଣ ମାଡ଼ ଖାଇବା ପାଇଁ । କେତେ ଆଶା ଥିଲା, କେତେ ସ୍ୱପ୍ନ ଥିଲା । ହେଲେ ସବୁ ସ୍ୱପ୍ନକୁ ଚୁରମାର୍‌ କରିଦେଲା କଳିଯୁଗର କୁଳାଙ୍ଗାର ପୁଅ । ବୁଢ଼ା ବୟସରେ ମୁହଁରେ ଆହାର ତ ଦେଲାନି ବରଂ ପିଠିରେ ଦେଲା ଶକ୍ତ ପାହାର । ଏହି ବୟସରେ ବାର ଦୁଆର ସୁଣ୍ଢିପିଣ୍ଡା ହେଉଛନ୍ତି ବୃଦ୍ଧ ମଉସା ।

ବୁଢ଼ା ବରଗଛ ଯେବେ ପାଲଟେ ବୃଦ୍ଧଙ୍କ ସାହାରା । ଯାହାକୁ ଦୁଃଖ କଷ୍ଟରେ ଜନ୍ମ ଦେଇଥିଲେ, ଆଜି ତା’ରି ଡ଼ରରେ ଗଛ ତଳେ ଦିନ କାଟୁଛନ୍ତି । ୩ ଝିଅରେ ପୁଅ ଜନ୍ମ କରିଥିଲେ । ତାଳପତ୍ର ଜିନିଷ ବିକ୍ରି କରି ପରିବାର ମୁହଁରେ ଆହାର ଦେଉଥିଲେ । ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା, ହେଲେ ପୁଅ ବାହାଘର ପରେ ସବୁକିଛି ବଦଳିଗଲା । ବୋହୂ ଆସିବା ପରେ ଆମ ବୁଢ଼ାବୁଢ଼ୀଙ୍କୁ ଅଲଗା କରିଦେଲା । ଏମିତିକି ମୋ ରାସନ କାର୍ଡ ଓ ଭତ୍ତା କାର୍ଡ ନେଇ ଘରୁ ତଡ଼ିଦେଲା ।

କଟକ ନରସିଂହପୁର ନୁଖାପଡା ଗାଁର ପ୍ରଫୁଲ ସେଠୀ । ପୁଅ ଘରୁ ତଡ଼ିଦେବା ପରେ କୁଆଡ଼େ ଯିବେ ଭାବି ଝିଅ ଘରେ ୫ ମାସ ରହିଲେ । ପୁଅ ଦେଇଥିବା କଷ୍ଟକୁ ଭାବି ଭାବି ମାନସିକ ସ୍ଥିତି ଠିକ୍‌ ରହିଲାନି । ଝିଅକୁ କିଛି ନକହି ପଳାଇ ଆସିଲେ । ପୁଅ ଭୟରେ ଘରକୁ ଯାଉନାହାନ୍ତି ବରଂ ବରଗଛ ତଳେ ଦିନ କାଟୁଛନ୍ତି ।

ତିନି ଦିନ ହେବ କାନପୁର ଥାନା ଅନ୍ତର୍ଗତ ଗମ୍ବିଲୋ ଗାଁ ନିକଟ ବରଗଛ ତଳେ ଏକୁଟିଆ ଥିବା ଦେଖି ସ୍ଥାନୀୟ ଯୁବକମାନେ ତାଙ୍କୁ କ୍ଲବ ଘରେ ରଖିଛନ୍ତି । ଅସହାୟ ବାପାଙ୍କୁ ଯିଏ ଦେଖୁଛି ଦିନକୁ ଦୁଇ ଓଳି ଖାଇବାକୁ ଦେଉଛନ୍ତି । ପ୍ରଫୁଲ କୁହନ୍ତି ପୁଅ ମୋର ଭୁଲ ଥିଲେ ବାଡ଼ାଏ, ଭୁଲ ନଥିଲେ ବି ବାଡ଼ାଏ । କାଳେ ଘରକୁ ଗଲେ ପୁଅ ପୁଣି ପିଟିବ, ସେହି ଡ଼ରରେ ଘରକୁ ଯାଉନାହାନ୍ତି ।

ବୟସର ଅପରାହ୍ନରେ ହାତଭାଗା ହୋଇପଡିଛନ୍ତି ପ୍ରଫୁଲ ସେଠି । କେବଳ ପ୍ରଫୁଲ ନୁହନ୍ତି, ହଜାର ହଜାର ପିତାମାତା ଏମିତି ଦୁଃଖକଷ୍ଟରେ ଜୀବନ କାଟୁଛନ୍ତି । କାହାକୁ କହିପାରୁ ନାହାନ୍ତି କି ଆଉ ସହି ବି ପାରୁ ନାହାନ୍ତି ।