• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pragyan Paramita Behera

ସ୍ୱାଧୀନତା ପୂର୍ବରୁ ଭାରତର ରାଜାମହାରାଜାଙ୍କ ଜୀବନ ଖୁବ ବିଳାସପୂର୍ଣ୍ଣ ଥିଲା। ଆଖି ଝଲସିଲା ଭଳି ରାଜପ୍ରାସାଦ, ଅମାପ ଧନ ସମ୍ପତ୍ତି, ଶହ ଶହ ଦାସଦାସୀରେ ପରିପୂର୍ଣ୍ଣ ହେଉଥିଲା ରାଜବାଟୀ । ରାଜକୀୟ ଠାଣି ଦେଖାଇବା ପାଇଁ ମହଙ୍ଗା କାର, ମୂଲ୍ୟବାନ ଅଳଙ୍କାର ଏବଂ ବିଳାସପୂର୍ଣ୍ଣ ଜିନିଷ କିଣୁଥିଲେ ରାଜାମହାରାଜା। ଏ ରାଜ ପରିବାରର କାହାଣୀରେ କୁଚ ବିହାରର ମହାରାଣୀ ଇନ୍ଦିରା ଦେବୀଙ୍କର ଏକ ବିଶେଷ ଉଲ୍ଲେଖ ରହିଛି । ଅଦ୍ଭୁତ ସୌନ୍ଦର୍ଯ୍ୟର ଅଧିକାରୀ ମହାରାଣୀ ଇନ୍ଦିରା ଖୁବ ସାହସୀ ଓ ନିର୍ଭିକ ଥିଲେ । ହିରାମୋତି ଖଞ୍ଜା ଜୋତା ପିନ୍ଧୁଥିବାରୁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ।

ରାଣୀ ଇନ୍ଦିରା ଦେବୀ ଏତେ ସୁନ୍ଦର ଥିଲେ ଯେ, ତାଙ୍କୁ ସେ ସମୟରେ ଦେଶର ସବୁଠାରୁ ସୁନ୍ଦର ମହିଳା କୁହାଯାଉଥିଲା । ସେ ଜୟପୁରର ମହାରାଣୀ ଗାୟତ୍ରୀ ଦେବୀଙ୍କ ମାତା ଥିଲେ। ବିଦେଶୀ ଫ୍ୟାଶନକୁ ଖୁବ ପସନ୍ଦ କରୁଥିଲେ ଇନ୍ଦିରା । ଶାଢ଼ୀ ଠାରୁ ଆରମ୍ଭ କରି ଜୋତା ପର୍ଯ୍ୟନ୍ତ ସବୁ କିଛି ଫ୍ୟାସନେବଲ ପିନ୍ଧିବା ପାଇଁ ପସନ୍ଦ କରୁଥିଲେ । ଅନେକ ବଲିଉଡ୍ ତାରକା ରାଣୀଙ୍କର ଭଲ ବନ୍ଧୁ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ତାଙ୍କ ପାର୍ଟୀରେ ଯୋଗଦେଉଥିଲେ । ତାଙ୍କୁ ଫ୍ୟାଶନର ଦେବୀ କୁହାଯାଉଥିଲା । ସିଫନ ଶାଢ଼ୀକୁ ସେ ହିଁ ଲୋକପ୍ରିୟ କରାଇଥିଲେ ।

୧୮୯୨ ମସିହାରେ ଜନ୍ମ ହୋଇଥିବା ଇନ୍ଦିରା ଦେବୀ ବଡ଼ୋଦାର ମହାରାଜା ସୟାଜିରାଓ ଗାୟକୱାଡ ତୃତୀୟଙ୍କ ଏକମାତ୍ର ତଥା ଅତି ଅଲିଅଳି ଝିଅ ଥିଲେ। ସୟାଜିରାଓ ଗାୟକୱାଡ ସେହି ସମୟରେ ଭାରତର ଦ୍ୱିତୀୟ ଶକ୍ତିଶାଳୀ ରାଜା ଥିଲେ ।

ଇନ୍ଦିରା ଦେବୀ ଲକ୍ଷ୍ମୀ ବିଲାସ ପ୍ୟାଲେସରେ ଖୁବ ଗେଲବସରରେ ନିଜ ଭାଇମାନଙ୍କ ସହିତ ବଢ଼ିଥିଲେ । ଲକ୍ଷ୍ମୀ ବିଲାସ ପ୍ୟାଲେସ୍ ଦେଶର ସବୁଠାରୁ ମହଙ୍ଗା ସମ୍ପତ୍ତି ମଧ୍ୟରୁ ଗୋଟିଏ । ମିଡିଆ ରିପୋର୍ଟ ଅନୁଯାୟୀ, ୭୦୦ ଏକରରୁ ଅଧିକ ବ୍ୟାପିଥିବା ଏହି ପ୍ରାସାଦର ଆନୁମାନିକ ମୂଲ୍ୟ ପ୍ରାୟ ୨୪୦୦ କୋଟି ଟଙ୍କା । ସେ ପ୍ରଥମ ଭାରତୀୟ ରାଜକୁମାରୀ ଯିଏକି ଉଭୟ ସ୍କୁଲ ଏବଂ କଲେଜରେ ନାମ ଲେଖାଇଥିଲେ।

ଗ୍ୱାଲିଅରର ମହାରାଜାଙ୍କ ସହ ନିର୍ବନ୍ଧ

ଇନ୍ଦିରା ନିଜର ସୌନ୍ଦର୍ଯ୍ୟ, ବୁଦ୍ଧିମତ୍ତା ଏବଂ ଶାଳୀନତା ପାଇଁ ଖୁବ ଲୋକପ୍ରିୟ ଥିଲେ । ଅନେକ ରାଜ୍ୟର ରାଜକୁମାର ତାଙ୍କୁ ବିବାହ କରିବାକୁ ସ୍ୱପ୍ନ ଦେଖୁଥିଲେ, କିନ୍ତୁ ତାଙ୍କ ପିତା ଗ୍ୱାଲିଅରର ମହାରାଜା ମାଧୋରାଓ ସିନ୍ଧିଆଙ୍କ ସହ ବିବାହ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିବାହ ଭାରତର ଦୁଇଟି ବଡ ରାଜ ପରିବାରକୁ ଏକାଠି କରିବାକୁ ଯାଉଥିଲା । ତେବେ ମାଧୋରାଓ ପୂର୍ବରୁ ବିବାହିତ ଥିବାବେଳେ ଇନ୍ଦିରାଙ୍କ ଠାରୁ ୨୦ ବର୍ଷ ବଡ଼ ଥିଲେ ।

ହେଲେ ଏହି ବିବାହ ପାଇଁ ରାଜି ନଥିଲେ ଇନ୍ଦିରା । ତଥାପି ତାଙ୍କ ଅନିଚ୍ଛା ସତ୍ତ୍ୱେ ନିର୍ବନ୍ଧ କରାଯାଇଥିଲା । ଏକ ବର୍ଷ ପରେ କୁଚ ବିହାରର ରାଜକୁମାର ଜିତେନ୍ଦ୍ରଙ୍କ ନାରାୟଣଙ୍କ ସହ ଇନ୍ଦିରାଙ୍କର ସାକ୍ଷାତ ହୋଇଥିଲା । ଆଉ ପ୍ରଥମ ଦେଖାରେ ହିଁ ସେ ତାଙ୍କୁ ହୃଦୟ ଦେଇ ବସିଥିଲେ । ହେଲେ ନିର୍ବନ୍ଧ ପରେ ବିବାହ ଭାଙ୍ଗିବା ସେତେବେଳେ ରାଜ ପରିବାର ଏବଂ ସମାଜ ପାଇଁ ଏହା ଏକ ବିବାଦୀୟ ପଦକ୍ଷେପ ଥିଲା । ଏଥିପାଇଁ ଇନ୍ଦିରା ନିଜେ ଗ୍ୱାଲିଅରର ମହାରାଜାଙ୍କୁ ଏକ ଚିଠି ଲେଖି ନିଜର ନିର୍ବନ୍ଧ ଭାଙ୍ଗିଥିଲେ ।

କୁଚ ବିହାର ରାଜାଙ୍କ ସହ ନିରାଡମ୍ବର ବିବାହ

ରାଜ ପରିବାରରେ ବିବାହ ଭାଙ୍ଗିବା ଭଳି ପଦକ୍ଷେପ ଏତେ ସହଜ ନଥିଲା । ଏଥିରେ ଇନ୍ଦିରାଙ୍କ ପିତା ଓ ମାତା ଝିଅ ଉପରେ ଅସନ୍ତୁଷ୍ଟ ହୋଇଥିଲେ । ଆଉ ଏପରି ସମୟରେ କୁଚ ବିହାର ରାଜାଙ୍କୁ ବିବାହ କରିବା କଥା ବାପାମା’ଙ୍କ ଆଗରେ ରଖିବା ଭାରି କଠିନ ଥିଲା । ଜିତେନ୍ଦ୍ର ନାରାୟଣ ମହାରାଜା ଶ୍ରୀପେନ୍ଦ୍ର ନାରାୟଣ ଏବଂ ରାଣୀ ସୁନୀତି ଦେବୀଙ୍କ ଦ୍ୱିତୀୟ ପୁତ୍ର ଥିଲେ । ବିବାହ ପାଇଁ ଇନ୍ଦିରାଙ୍କ ପିତାମାତା ସହମତି ଦେଇନଥିଲେ । କାରଣ ଜିତେନ୍ଦ୍ର ରାଜା ହୋଇଥିଲେ ସୁଦ୍ଧା ଭିନ୍ନ ଜାତି ଓ ଧାର୍ମିକ ପରମ୍ପରାର ଥିଲେ । ଏହା ବ୍ୟତୀତ ତାଙ୍କ ପରିବାରର ଆଭିଜାତ୍ୟ ମଧ୍ୟ ବଡୋଦା ତୁଳନାରେ ବହୁତ କମ୍ ଥିଲେ।

ବିବାଦରୁ ରକ୍ଷା ପାଇବା ପାଇଁ ଇନ୍ଦିରାଙ୍କ ପିତାମାତା ତାଙ୍କୁ ୟୁରୋପ ପଠାଇ ଦେଇଥିଲେ। କିନ୍ତୁ ଜିତେନ୍ଦ୍ର ଏବଂ ଇନ୍ଦିରା ସେମାନଙ୍କ ନିଷ୍ପତ୍ତିରେ ଦୃଢ଼ ନିଶ୍ଚୟ ରହିଲେ। ଇନ୍ଦିରା ଖୋଲାଖୋଲି ସାମ୍ବାଦିକମାନଙ୍କୁ କହିଥିଲେ, ସେ କୁଚ ବିହାରର ରାଜକୁମାରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ପରିଶେଷରେ ଇନ୍ଦିରାଙ୍କ ପିତାମାତା ଯେତେବେଳେ ଜାଣିବାକୁ ପାଇଲେ ସେ ପଳାୟନ କରି ବବାହ କରିପାରନ୍ତି, ସେତେବେଳେ ବିବାହ ପାଇଁ ବାଧ୍ୟତାମୂଳକ ଭାବରେ ରାଜି ହୋଇଥିଲେ । କିନ୍ତୁ ସେମାନେ ବିବାହ ଉତ୍ସବରେ ଯୋଗଦେବାକୁ କିମ୍ବା ସମାରୋହ ଆୟୋଜନ କରିବାକୁ ପ୍ରସ୍ତୁତ ନଥିଲେ। ଫଳରେ ଅଗଷ୍ଟ ୧୯୧୩ ରେ ଇନ୍ଦିରା ଏବଂ ଜିତେନ୍ଦ୍ର ଲଣ୍ଡନର ଏକ ରେଜିଷ୍ଟ୍ରାର ଅଫିସରେ ଖୁବ ନିରାଡ଼ମ୍ବର ଭାବରେ ବିବାହ କରିଥିଲେ।

ବିବାହ ପରେ ଇନ୍ଦିରା ଦେବୀ କୁଚ ବିହାରର ମହାରାଣୀ ହୋଇଥିଲେ । ହେଲେ ୧୦ ବର୍ଷ ପରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ଏଥିରେ ଭାଙ୍ଗି ପଡ଼ିନଥିଲେ ଇନ୍ଦିରା । ଛାତିକୁ ଦୃଢ଼ କରି ନିଜ ୫ ପିଲାଙ୍କ ଦାୟିତ୍ୱ ନେବା ସହ ରାଜକାର୍ଯ୍ୟ ମଧ୍ୟ ସମ୍ଭାଳିଥିଲେ । ଇନ୍ଦିରାଙ୍କ ରାଜ୍ୟ ଶାସନ ଦକ୍ଷତା ଅଦ୍ଭୁତ ଥିଲା । ୧୫ ବର୍ଷ ପର୍ଯ୍ୟନ୍ତ ସେ ରାଜ୍ୟକୁ କୁଶଳତା ସହ ଚଳାଇଥିଲେ । ମାନ୍ଦାବସ୍ଥା ସମୟରେ ମଧ୍ୟ ସେ ନିଜ ରାଜ୍ୟକୁ ବଞ୍ଚାଇବ ସହ ପୁରୁଣା କରଜ ସବୁ ପରିଶୋଧ କରିଥିଲେ ।

ସାଲଭାଟୋର ତାଙ୍କ ଆତ୍ମଜୀବନୀରେ ରାଣୀଙ୍କ କଥା ଉଲ୍ଲେଖ କରିଥିଲେ

ଇଟାଲୀର ସାଲଭାଟୋର ଫେରେଗାମୋ ଇନ୍ଦିରାଙ୍କ ପ୍ରିୟ ପାଶ୍ଚାତ୍ୟ ଡିଜାଇନରମାନଙ୍କ ମଧ୍ୟରେ ଜଣେ ଥିଲେ । ସାଲଭାଟୋର ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, ଥରେ ରାଣୀ ତାଙ୍କ କମ୍ପାନୀକୁ ୧୦୦ ହଳ ଜୋତା ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜୋତାରେ ହୀରା, ମୋତି ଲଗାଇବା ପାଇଁ କୁହାଯାଇଥିଲା । ଆଉ ସେ ନିଜେ ସଂଗ୍ରହ କରିଥିବା ହୀରା, ମୋତିରେ ଚପଲ ତିଆରି କରିବା ପାଇଁ କହିଥିଲେ । ତେଣୁ ଚପଲ ତିଆରି ପାଇଁ ହୀରା,ମୋତି ମଧ୍ୟ ପଠାଇଥିଲେ ଇନ୍ଦିରା । ଫ୍ୟାଶନ ପ୍ରତି ଇନ୍ଦିରା ଦେବୀଙ୍କ ପ୍ରେମ ମଧ୍ୟ ଅନନ୍ୟ ଥିଲା।

 

OTV is now on Whatsapp

Join and get latest news update delivered to you via whatsapp

Join Now