• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବ୍ୟାଙ୍କରେ ଗ୍ରାହକଙ୍କ ଖଚାଖଚ୍ ଭିଡ଼ । କିଏ କାଉଣ୍ଟର ଆଗରେ ଲାଇନ ଲଗାଇଛନ୍ତି ତ ଆଉ କିଏ ଧାଡ଼ିରେ ଆସି ବ୍ୟାଙ୍କ ଭିତରକୁ ପ୍ରବେଶ କରୁଛନ୍ତି । କାରଣ ଏମାନଙ୍କ ମଧ୍ୟରୁ କାହା ଆକାଉଣ୍ଟକୁ ଆସିଛି ହଜାର ହଜାର ତ ଆଉ କାହା ଖାତାରେ ଡିପୋଜିଟ୍ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ଜଣେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ତ ୨ ଲକ୍ଷ ଯାଏଁ ଡିପୋଜିଟ୍ ହୋଇଛି । କେନ୍ଦ୍ରାପଡ଼ା ଆଳି ସ୍ଥିତ ବାଟିପଡ଼ା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର । ଟଙ୍କା ଡିପୋଜିଟ୍ ହେବା ନେଇ ମୋବାଇଲରେ ମେସେଜ୍ ଆସିବା ପରେ ଗତ ୨ ଦିନ ହେଲା, ଉଠାଣ ପାଇଁ ଅସମ୍ଭାଳ ଭିଡ଼ ଲଗାଇଛନ୍ତି ଉପଭୋକ୍ତା ।

ମିଳିଥିବା ସୂଚନା ଅନୁଯାୟୀ, ବାଟିପଡ଼ା ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଅଛନ୍ତି ୨୬ ହଜାରରୁ ଅଧିକ ଉପଭୋକ୍ତା । ତା’ମଧ୍ୟରୁ ପ୍ରାୟ ୫୦ ଜଣଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ ହୋଇଛି । କିଛି ବ୍ୟକ୍ତିଙ୍କ ପାଖକୁ ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ଦର୍ଶାଇ ଟଙ୍କା ଡିପୋଜିଟ୍ ହୋଇଛି । ହେଲେ ରୋଚକ କଥା ହେଉଛି, ସେହି ପରିବାରରେ କେହି ମାଟ୍ରିକ୍ ଛାତ୍ରଛାତ୍ରୀ ହିଁ ନାହାଁନ୍ତି । ଏଭଳି ଦ୍ୱନ୍ଦ୍ୱ ଭିତରେ କିଏ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ତ ଆଉ କିଏ ସେହି ଟଙ୍କା ଉଠାଇବା ପାଇଁ ଧାଡ଼ି ବାନ୍ଧିଥିବାବେଳେ ଅନ୍ୟ ଉପଭୋକ୍ତା ଏବେ ନାକେଦମ୍ ।

ତେବେ କେଉଁ ଅଜଣା ସୂତ୍ରରୁ ଆସିଛି ଏହି ଟଙ୍କା ? କିଏ ଓ କେଉଁ ଉଦ୍ଦେଶ୍ୟରେ ଟଙ୍କା ଡିପୋଜିଟ୍ କରିଛନ୍ତି ? କାହା ପାଖକୁ ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ବାବଦକୁ ତ ଆଉ କାହା ପାଖକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦକୁ ଟଙ୍କା ଆସିଥିବା ନେଇ ମେସେଜରେ ଦର୍ଶାଯାଇଥିବାବେଳେ ଟଙ୍କାର ପରିମାଣକୁ ନେଇ ପ୍ରଶ୍ନ ଉଠୁଛି । ଏସବୁ ଭିତରେ ରହସ୍ୟ ବଢ଼ାଉଛି, ଶାଖା ପରିଚାଳକଙ୍କ ମନ୍ତବ୍ୟ । କେତେବେଳେ କହୁଛନ୍ତି, ଏହା ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ତ ଆଉ କେତେବେଳେ କହୁଛନ୍ତି ଟଙ୍କାର ଉତ୍ସ ସଂପର୍କରେ ନିଶ୍ଚିତ ହୋଇପାରୁନି ।

ଖାଲି କ’ଣ ଆଳି ତା’ନୁହେଁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବିତନା ପଞ୍ଚାୟତର ୩୦୦ରୁ ଅଧିକ ଲୋକଙ୍କ ଆକାଉଣ୍ଟ ବି ୧୫ ହଜାରଠୁ ୧ ଲକ୍ଷ ୨୦ ହଜାର ଟଙ୍କା ଯାଏଁ ଡିପୋଜିଟ୍ ହୋଇଛି । ଆଉ ସେହି ଟଙ୍କାକୁ ଉଠାଇବା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କକୁ ଯାଇ ଭିଡ଼ ଲଗାଇଛନ୍ତି ଉପଭୋକ୍ତା । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି, ତଦନ୍ତ ପରେ ଜଣାପଡ଼ିବ ଟଙ୍କା କେଉଁଠୁ ଆସିଛି ।

ଏଠି ପ୍ରଶ୍ନ, ଯଦି ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଆସିଛି ତେବେ କେଉଁ ୟୁପିଆଇରୁ ଆସିଛି ? ୨୪ ଘଣ୍ଟା ପରେ ବି କାହିଁକି ସତକୁ ସାମ୍ନାକୁ ଆଣିପାରୁନାହାଁନ୍ତି ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ? ଯଦି ଏଥିରେ କୌଣସି ଅନିୟମିତତାର ଆଶଙ୍କା ରହୁଛି, ଏହାର ଅନୁସନ୍ଧାନ ପାଇଁ ବିଧିବଦ୍ଧ ଭାବେ ଉଚ୍ଚ କର୍ତ୍ତୃପକ୍ଷଙ୍କ କିମ୍ବା ପୋଲିସର ଆଶ୍ରୟ ନେଉନାହାଁନ୍ତି କାହିଁକି ?

  • Reported by:
  • BIBARTAN PANDA , Sanjeeb Nayak , Banamali Sahoo

OTV is now on Whatsapp

Join and get latest news update delivered to you via whatsapp

Join Now