Advertisment

ଅପେକ୍ଷା କାଲି ସଂଧ୍ୟାକୁ; ଶ୍ରୀଜିଉଙ୍କ ସୁନ୍ଦର ମୁଖ ଦର୍ଶନର ସୁଯୋଗ ପାଇବେ ଭକ୍ତ

ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଶ୍ରୀଜିଉମାନଙ୍କ ଶ୍ରୀମୁଖ ଶିଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ ।

author-image
Manoranjan Behera
undefined

Banaka Lagi Of Lord Jagannath

କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଖୁସି ଦେଲା ଭଳି ଖବର । ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ହେବ ବନକଲାଗି ନୀତି । ଦତ୍ତ ମହାପାତ୍ର ସେବକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ କାରଣରୁ ଦୀର୍ଘ ୪୦ ଦିନ ଧରି ଏହି ନୀତି ବନ୍ଦ ଥିଲା । ଆସନ୍ତାକାଲି ବନକ ଲାଗି ନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ଦର୍ଶନ ବନ୍ଦ ରହିବ । ଠାକୁରମାନଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ଦତ୍ତମହାପାତ୍ର ସେବକ ପ୍ରସ୍ତୁତି ଆରମ୍ଭ କରି ଦେଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ବି ସବୁ ସାମଗ୍ରୀ ଯୋଗାଇ ଦେଇଛି ।

Advertisment

ବିବାଦ ସମାପ୍ତ, ଭକ୍ତଙ୍କୁ ଆଶ୍ୱସ୍ତ । ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଶ୍ରୀଜିଉମାନଙ୍କ ଶ୍ରୀମୁଖ ଶିଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଶ୍ରୀମନ୍ଦିର ପ୍ରଶାସନ ଏହି ସୂଚନା ଦେଇଛି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନୀତି ପାଇଁ ଅତି ଦରକାରୀ କଜ୍ଜ୍ୱଳ, ହିଙ୍ଗୁଳ, କେଶର ଓ ହରିତାଳ ଭଳି ଆବଶ୍ୟକୀୟ ପ୍ରସାଧନ ସାମଗ୍ରୀ ଯୋଗାଇ ଦିଆଯାଇଛି ।

ଦତ୍ତମହାପାତ୍ର ସେବକ ରତ୍ନ ସିଂହାସନ ଉପରେ ଚଢ଼ି ଶ୍ରୀ ବିଗ୍ରହମାନଙ୍କ ମୁଖ ସିଂହାର କରିବେ । ଏହି ସମୟରେ ମୁଖ୍ୟ ମନ୍ଦିରର ସମସ୍ତ କବାଟ ବନ୍ଦ ରହିବ। ଯେହେତୁ ଏହା ଏକ ସମୟ ସାପେକ୍ଷ ପ୍ରକ୍ରିୟା ସେଥି ପାଇଁ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ।

Advertisment

ଦତ୍ତମହାପାତ୍ର ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବାରକୁ ନେଇ ବିବାଦ କାରଣରୁ ଦୀର୍ଘ ୪୦ ଦିନ ହେଲା ଠାକୁରଙ୍କ ଶ୍ରୀମୁଖ ଶିଙ୍ଗାର ହୋଇ ନାହିଁ । ଦତ୍ତ ମହାପାତ୍ର ନିଯୋଗ ଗୁରୁବାର ଶ୍ରୀମୁଖ ଶିଙ୍ଗାର ପାଇଁ ଜିଦ୍ ଧରିଥିଲାବେଳେ ଶ୍ରୀମନ୍ଦିର ପ୍ରଶାସନ ବୁଧବାରରେ କରିବାକୁ ଅଡ଼ି ବସିଥିଲା। ବିବାଦ ବଢ଼ିବାରୁ ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସକୁ ବି ଅନୁଧ୍ୟାନ ସହ ବିକଳ୍ପ ଖୋଜା ପର୍ଯ୍ୟନ୍ତ କଥା ଯାଇଥିଲା ।

ତେବେ ଗତ ୪ ତାରିଖ ମ୍ୟାନେଜିଂ କମିଟିରେ ଏହି ନୀତି ମାସକରେ ଦୁଇ ଥର କିମ୍ବା ଅତିକମ୍ ରେ ଥରେ ବୁଧବାର କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଯଦି ଏହି ବାରରେ ଯାନିଯାତ୍ରା ଓ ଭିଡ଼ ରହେ, ତାହାଲେ ମନ୍ଦିର ପ୍ରଶାସନର ନିଷ୍ପତ୍ତି କ୍ରମେ ଏହା ଗୁରୁବାର କରାଯାଇ ପାରିବ। ଶେଷ ଥର ପାଇଁ ଠାକୁରମାନେ ଗତ ରଥଯାତ୍ରା ସମୟରେ ବନକଲାଗି ହୋଇଥିଲେ । ହେରା ପଞ୍ଚମୀ ନୀତି ପୂର୍ବରୁ ଗୁଣ୍ଡିଚା ଘରେ ଶ୍ରୀମୁଖ ଶିଙ୍ଗାର ହୋଇଥିଲା ।

ନିଳାଦ୍ରୀ ବିଜେ ସରିବାର ଏହାରି ଭିତରେ ୪୦ ଦିନ ବିତି ଯାଇଥିଲେ ବି ବିବାଦ କାରଣରୁ ନୀତି ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାହାକୁ ନେଇ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମଳିନ ମୁଖକୁ ଦର୍ଶନ କରି ଭକ୍ତ କ୍ଷୁବ୍ଧ ହେଉଛନ୍ତି। ତେବେ ଆସନ୍ତାକାଲି ଠାକୁରଙ୍କ ବନକଲାଗି ହେବ ଓ ଶ୍ରୀଜୀଉମାନଙ୍କ ମୁଖ ପୁଣି ମନମୋହିବା କଥା ଶୁଣି ଭକ୍ତ ଖୁସି ହୋଇଛନ୍ତି । ତେଣେ ଅନ୍ୟ ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବି କାଲି ବନକଲାଗି ଘୋଷଣାକୁ ସ୍ୱାଗତ କରିଛନ୍ତି । ଏବେ ଅପେକ୍ଷା କାଲିର ସନ୍ଧ୍ୟାକୁ । ବନକଲାଗି ୬ଟାରୁ ଆରମ୍ଭ ହୋଇ ରାତି ୧୧ଟାରେ ସରିବ । ଏହା ପରେ ଶ୍ରୀଜିଉଙ୍କ ସୁନ୍ଦର ମୁଖ ଦର୍ଶନର ସୁଯୋଗ ପାଇବେ ଭକ୍ତ ।

Banaka Lagi Of Lord Jagannath
Advertisment
Advertisment