• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସାଙ୍ଘାତିକ...ସଙ୍ଗୀନ ସ୍ଥିତିରେ ରାସ୍ତା । କେଉଁଠି ରାସ୍ତାରୁ ଗେଟି ଉଠିଯାଇଛି ତ ଆଉ କୋଉଠି ଆଣ୍ଠୁଏ ପର୍ଯ୍ୟନ୍ତ ଖାଲ । ଆଉ ତାହାରି ମଧ୍ୟରେ ଏମିତି ଝୁଲିଝୁଲି ମାଲବାହୀ ଟ୍ରକ୍‌ଠୁ ଆରମ୍ଭ କରି ଯାତ୍ରୀବାହୀ ବସ୍‌ ସମସ୍ତେ ଯାତ୍ରା କରୁଛନ୍ତି । ପ୍ରତିଦିନ ଛୋଟବଡ ଦୁର୍ଘଟଣା ବି ଘଟୁଛି । ନିଇତି ଅଭିଯୋଗ ବି ହେଉଛି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ।

ସୁବର୍ଣ୍ଣପୁର ବିନିକା ସହରରୁ ଡୁଙ୍ଗୁରିପାଲି ବ୍ଲକ ରାମପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ପୂରା ଖରାପ । ପୂର୍ତ୍ତ ବିଭାଗ ଅଧୀନରେ ଥିବା ୧୭ କିଲୋମିଟର ଏଇ ରାସ୍ତାରେ ୨୦ ଟି ପଚାଂୟତର ଲକ୍ଷାଧିକ ଲୋକ ବିନିକା ଓ ଡୁଙ୍ଗୁରିପାଲି ଉପରେ ନିର୍ଭର କରି ଏଇ ରାସ୍ତାଦେଇ ଯିବା ଆସିବା କରୁଛନ୍ତି । ହେଲେ ରାସ୍ତାରେ ଏବେ ଖାଲଢିପ ଭର୍ତ୍ତି ହୋଇ ରହିଛି ।

ଖାଲଖମା ଏତେ ମାତ୍ରାରେ ରହିଛି ଯେ ରାସ୍ତା ଏବେ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଫଳରେ ସେହି ରାସ୍ତାରେ ଯାନବାହାନ ତ ଦୂରର କଥା ଲୋକେ ସାଇକେଲରେ ବି ଯା-ଆସ କରିବା ପାଇଁ ମୁହଁ ମୋଡି ଦେଉଛନ୍ତି । ବିଶେଷକରି କଲେଜର ଛାତ୍ରଛାତ୍ରୀ,ସ୍କୁଲ ପିଲା,ରୋଗୀ ଓ ଅଚଂଳବାସୀ ଏଇ ରାସ୍ତାରେ ଯିବା ଆସିବାରେ ବହୁ ସମସ୍ୟାର ସାମ୍ନା କରୁଛନ୍ତି ।

ରାସ୍ତା ଅବସ୍ଥା ଏତେ ଖରାପ୍‌ ଥିବାରୁ ପ୍ରଶାସନଠୁ ଆରମ୍ଭ କରି ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ପାଖରେ ବାରମ୍ବାର ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ଅଭିଯୋଗ କେହି ଶୁଣୁନାହାନ୍ତି କି ସମସ୍ୟା ସମାଧାନ ହେଉନି ବୋଲି କହିଲେଣି ସ୍ଥାନୀୟ ଲୋକେ । ତେଣୁ ତୁରନ୍ତ ରାସ୍ତା କାମ ନସରିଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତବାନୀ ଦେଲେଣି ସ୍ଥାନୀୟ ବାସିନ୍ଦା । ସେପଟେ ରାସ୍ତା ସମସ୍ୟା ସମ୍ପର୍କରେ ସୁବର୍ଣ୍ଣପୁର ପିଡବ୍ଲୁଡି ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ରାସ୍ତାରେ ଖାଲଢିପ ରହିଛି । ଖୁବଶୀଘ୍ର କାମ ଆରମ୍ଭ ହେବା ସହିତ ସମସ୍ୟାର ସମାଧାନ କରାଯିବ ।

 

  • Reported by:
  • Dilip Sahoo