• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

୨୦୧୧ରେ କାମ ଆରମ୍ଭ ହୋଇଥିଲା, ଏବେ ୨୦୨୩ ହେଲାଣି କିନ୍ତୁ ସରିପାରିଲାନି ବିଜୁ ସେତୁ । କଥାଟା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଏମିତି ଦୃଶ୍ୟ ଦେଖିବା ପରେ ଘଟଣାଟି ପୂରା ବୁଝାପଡ଼ିବ । ବାଲେଶ୍ୱରର କସିମିଳା-ବାଲେଶ୍ୱର ମଧ୍ୟରେ ଚାଲିଥିବା ବିଜୁ ସେତୁକୁ ନେଇ ଏବେ ତେଜିବାରେ ଲାଗିଛି ଅସନ୍ତୋଷ । କାମ ତ ଆରମ୍ଭ ହୋଇଯାଇଛି ହେଲେ ସରିବାର ନା ନେଉନି । ଯେଉଁଥି ଲାଗି ହିନସ୍ତା ହେଉଛନ୍ତି ଶହଶହ ଲୋକ ।

ରେଲୱେ ଜାଗାରେ ପୋଲ କାମ ଆରମ୍ଭ କରି ଏବେ ହିନସ୍ତା ହେବାକୁ ପଡିଛି ଗ୍ରାମ୍ୟ ଉନ୍ନୟନ ବିଭାଗକୁ । ଆଉ ପୋଲ ପାର୍ ହେବାରୁ ନିଜ ଜୀବନକୁ ବାଜିରେ ଲଗାଇ ରେଲୱେ ଓଭରବ୍ରିଜ୍‌ ଉପରେ ଯିବାଆସିବା କରୁଛନ୍ତି ଲୋକେ । ଏମିତିକି ଏହି ଅଧାପନ୍ତିରିଆ ପୋଲରେ ବାଧ୍ୟ ହୋଇ ଗାଡି ନେଇ ଯାଉଛନ୍ତି ଲୋକେ ।

ମିଳିଥିବା ସୂଚନା ଅନୁଯାୟୀ, ଏଯାଏଁ ବାଲେଶ୍ୱର ଜିଲ୍ଲାରେ ବିଜୁ ସେତୁ ଯୋଜନାରେ ଯେତିକି ପୋଲ ନିର୍ମାଣ ହେଉଥିଲା ସେଥି ମଧ୍ୟରେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ହେତୁ ୧୬ ପୋଲ ଅଧାପନ୍ତରିଆ ଭାବରେ ପଡିରହିଛି । ପୋଲ କାମ ଅଗ୍ରଗତି ହେଉନଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ପୋଲ ପାଖରେ ଥିବା ରେଲୱେ ବ୍ରିଜ ଉପରେ ପ୍ରତିଦିନ ୨୦ ଖଣ୍ଡ ଗାଁର ଲୋକେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଖାଲି ଏହି ଗୋଟିଏ ବ୍ରିଜ୍‌ ନୁହେଁ ବରଂ ରେମୁଣା ବ୍ଲକର ନୂଆପାଢି ପଞ୍ଚାୟତର ସୋନ ନଦୀ ଉପରେ ଘୁଙ୍ଗି ଘାଟରେ ହୋଇଥିବା ପୋଲକୁ ଆପ୍ରୋଚ୍‌ ରୋଡ ପାଇଁ ଜମି ଅଧିଗ୍ରହଣ ନସରିବା କାରଣରୁ ଅଧାରେ ଅଟକି ରହିଛି ।

ଗୋଟିଏ ପଟେ ଜିଲ୍ଲାରେ ବିଜୁ ସେତୁ କାମ ସରୁନଥିବା ବେଳେ ଅନ୍ୟପଟେ ପୁଣି ନୂଆ ନୂଆ ପୋଲର ନିର୍ମାଣ କାମ ଆରମ୍ଭ କରୁଛି ପ୍ରଶାସନ । ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟରେ ୨୦୨୪-୨୫ ବର୍ଷ ସୁଦ୍ଧା ଆହୁରି ୮୬୬ଟି ବିଜୁ ସେତୁ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରି ଦେଇଛି । ଯାହାକୁ ନେଇ ଚର୍ଚ୍ଚା ଚାଲିଛି । ସେପଟେ, ବିଜୁ ସେତୁ ଦାୟିତ୍ୱରେ ଥିବା ଜଣେ ପ୍ରମୁଖ ସଚିବ ପାହିଆର ଅଧିକାରୀ କହିଛନ୍ତି, ରାଜ୍ୟରେ ଜମିଅଧିଗ୍ରହଣ ସହ ଅନ୍ୟାନ୍ୟ ସମସ୍ୟା ପାଇଁ ପାଖାପାଖି ୭୦ ପ୍ରତିଶତ ବିଜୁ ସେତୁ ଅଧାରେ ଅଟକିଛି । ବକେୟା କାମ କେମିତି ସରିବ ସେ ସରକାରଙ୍କୁ ପରାମର୍ଶ ଦେବେ ବୋଲି କହିଛନ୍ତି ।

ବିଜୁ ସେତୁ ଯୋଜନାରେ ବ୍ୟାପକ ଅନିୟମିତତା ନେଇ କିଛ ଦିନ ତଳେ ଖୋଦ୍‌ ସିଏଜି ତାଙ୍କ ରିପୋର୍ଟ ଦେଇଥିଲେ । ରାଜ୍ୟରେ ବିଜୁ ସେତୁର ଭାଗ୍ୟ ଅନିଶ୍ଚିତତା ଭିତରେ ଗତି କରୁଥିବା ବେଳେ ଆଗକୁ ନିର୍ବାଚନ ଥିବାରୁ ତାହାକୁ ଆଖିରେ ରଖି ପୁଣି ନୂଆ ସେତୁ ଘୋଷଣା କରିବକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି ।

 

  • Reported by:
  • RASHMIRANJAN DAS