• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନାହିଁନାହିଁରେ ଚାଲିଛି ବାଣପୁର ଏନଏସି । ନା ଅଛି ଡ୍ରେନର ବ୍ୟବସ୍ଥା ? ନା ଅଛି ସ୍ୱଛ ପରିମଳ ବ୍ୟବସ୍ଥା ? ମାସମାସ ଧରି ଷ୍ଟ୍ରିଟ୍‌ ଲାଇଟ୍ ଅଚଳ ହେବାରୁ ଅନ୍ଧାରରେ ରହୁଛି ପୂରା ଏରିଆ । ଏମିତିକି ଅସରାଏ ବର୍ଷା ହେଲେ ଜମି ରହୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଆଉ ଏତେ ସବୁ ସମସ୍ୟା ଭିତରେ ଏବେ ଯୁଝି ହେଉଛନ୍ତି ଅର୍ଦ୍ଧ ଶତାବ୍ଦୀର ସହର ବାଣପୁର ।

୧୯୭୨ ମସିହାରେ ଏନ.ଏ.ସିର ମାନ୍ୟତା ପାଇଲା ବାଣପୁର । ୫୦ ବର୍ଷ ପୂରିଲା ପରେ ବି ବିଭିନ୍ନ ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇ ରହିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାୟୀ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ହେଲେ ସହରର ମୁଖ୍ୟ ରାସ୍ତା ସହ ବିଭିନ୍ନ ସାହି ଓ ଗାଁ ଭିତରେ ଜମି ରହୁଛି ପାଣି । ଯେଉଁଥି ଲାଗି ରୋଗ ବଢିବା ସହିତ ନାନାପ୍ରକାର ସମସ୍ୟା ଭୋଗୁଛନ୍ତି ଲୋକେ ।

ସ୍ଥିତି ଏମିତି ହେଲାଣି ଯେ କଲେଜ ଛକଠାରୁ ଅଚ୍ୟୁତରାଜପୁର ଛକ ମୁଖ୍ୟରାସ୍ତାର ଷ୍ଟ୍ରିଟ ଲାଇଟ୍ ଜଳୁନଥିବା ଯୋଗୁଁ ଅନ୍ଧାରରେ ରହିଛି ପୂରା ଅଞ୍ଚଳ । ଅନ୍ଧାର ଭିତରେ ବିପଦରେ ଅଛି ତିନିତିନୋଟି ବ୍ୟାଙ୍କ । ଲୋକ ପ୍ରତିନିଧି ହୁଅନ୍ତୁ କି ଏନ.ଏ.ସି କର୍ତ୍ତୃପକ୍ଷ...ଲୋକଙ୍କ ସମସ୍ୟାକୁ ସେମାନେ ସତେ ଯେମିତି ଆଖି ବୁଜି ଦେଇଛନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାର୍କିଂ ବ୍ୟବସ୍ଥା ନଥାଇ ମଧ୍ୟ ଫି’ ଆଦାୟ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ଖାଲି ଏତିକି ନୁହେଁ ଏନଏସିରେ ରହିବା ପରେ ବି ପଂଚାୟତରେ ରହିବା ପରି ମନେ ହେଉଛି ବୋଲି କହିଲେଣି ଲୋକେ । ସେପଟେ ଲୋକଙ୍କ ସମସ୍ୟାକୁ ଏନ.ଏ.ସି କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ଆଉ କହିଛନ୍ତି, ୭ ଦିନ ମଧ୍ୟରେ ଏ ସବୁ ସମସ୍ୟାର ସମାଧାନ ହେବ ।

ସହରର ବିକାଶ ଲାଗି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସହରର ବିକାଶ ହେବ କଣ? ବରଂ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ରହୁଛନ୍ତି ଜନତା । ତେବେ ୭ ଦିନ ଭିତରେ ସମସ୍ୟାର ସମାଧାନ ହେଉଛି କି ନାହିଁ ତାହା ସମୟ କହିବ ।

 

  • Reported by:
  • Sakti Mohapatra