/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688747944.jpg)
renovation of ponds
ନୂଆପଡ଼ା ଜିଲ୍ଲାର ବୃହତ୍ତମ ଗାଁ ତୁକଲା । ଗାଁରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ରହୁଛନ୍ତି । ହେଲେ ଗାଧୋଇବା ଏବେ ଗାଁ ଲୋକଙ୍କ ଲାଗି ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ବୈଶାଖ ଯାଇ ଆଷାଢ ହେଲାଣି କିନ୍ତୁ ଗାଁରେ ପାଣି ସମସ୍ୟାର ସମାଧାନ ହେଲାନି । ପୂର୍ବରୁ ଗାଁରେ ୨ଟି ପୋଖରୀ ଥିଲା । ଗୋଟିଏର ଅବସ୍ଥା ପୂରା ବେହାଲ ଥିବା ବେଳେ ଅନ୍ୟଟି ଖୋଳାଯାଇଛି । ତେଣୁ ଗାଧୋଇବା ଏଇ ଗାଁ ଲୋକଙ୍କ ଲାଗି ୭ ସପନ ହୋଇଯାଇଛି ।
ପୋଖରୀର ଅବସ୍ଥା ଏବେ ପୂରା ବେହାଲ । ପାଣି ତ ଦେଖାଯାଉନି ବରଂ ପୋଖରୀ ଭିତରେ ଅନାବନା ଗଛଲତା ସାଙ୍ଗକୁ ପଙ୍କ ଭରି ରହିଛି । ପୁଣି ଚତୁଃପାର୍ଶ୍ଵରେ ଗଦାଗଦା ଅଳିଆ ଆବର୍ଜନା ପଡ଼ିରହିଛି । ତେଣୁ ସମୟକ୍ରମେ ଏଇ ପୋଖରୀ ପୋତି ହେବାରେ ଲାଗିଲାଣି । ତେଣୁ ତୁରନ୍ତ ପୋଖରୀର ପୁନରୁଦ୍ଧାର କରିବାକୁ ଦାବି କଲେଣି ଗାଁ ଲୋକେ ।
ଏବେ ତୁକୁଲା ଗାଁର ଜଗନ୍ନାଥ ମନ୍ଦିର ପାଖରେ ଥିବା ଅନ୍ୟ ଏକ ପୋଖରୀ ହେଉଛି ମାନମତି ପୋଖରୀ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା ପ୍ରାଚୀନ ଜଳାଶୟ । ପାଖାପାଖି ୪ ଶହ ବର୍ଷ ପୂର୍ବରୁ ପଶ୍ଚିମ ଓଡିଶାର ଆଦିକବି ଚୈତନ୍ୟ ଦାସଙ୍କ ଗୁରୁ ଚମାର ରାୟ ନିଜ ପତ୍ନୀ ମାନମତିଙ୍କ ନାଁରେ ଏହି ପୋଖରୀ ଖୋଲିଥିଲେ । ଆଉ ସେହିଦିନରୁ ପୂରା ଗାଁ ଲୋକ ଏହା ଉପରେ ନିର୍ଭର କରନ୍ତି । ୨୦୧୮-୧୯ ମସିହାରେ ପୋଖରୀକୁ ଆଦର୍ଶ ପୋଖରୀ କରିବା ନାଁରେ ପାଣି ଶୁଖାଇ ଦିଆଗଲା । ତେଣୁ ଏବେ ଭୟଙ୍କର ଅସୁବିଧା ସାମ୍ନା କରୁଛନ୍ତି ଲୋକେ । ସେପଟେ ପଂଚାୟତରେ ଦେଖାଯାଇଥିବା ପାଣି ସମସ୍ୟା ନେଇ ମୁହଁ ଖୋଲୁନାହାନ୍ତି ସରପଂଚ, ସେପଟେ ବିଡିଓ କହୁଛନ୍ତି ଘଟଣାର ତଦନ୍ତ କରାଯାଇ ଖୁବଶୀଘ୍ର କରାଯିବ ସମାଧାନ ।
ପ୍ରତି ଗାଁରେ ଲୋକଙ୍କୁ ପାଣି ଯୋଗାଇ ଦେବା ସହିତ ବିଭିନ୍ନ ପଂଚାୟତରେ ଆଦର୍ଶ ପୋଖରୀ ନାଁରେ କୋଟି କୋଟି ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି । ହେଲେ ଏହା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ।
(ଖଡିଆଳରୁ କୁନାଲ ବେହେରାଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)