• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନଇ କୂଳରେ ଛିଡା ହୋଇଛି ବିରାଟ ବରଗଛ । ବର୍ଷେ କି ଦୁଇବର୍ଷ ନୁହେଁ ବରଂ ଶହଶହ ବର୍ଷ ହେଲାଣି ଏମିତି ଛିଡା ହୋଇଛି ଏହି ଗଛ । କେତେ ଝଡ ବତାସ ଆସିଛି, କେତେ ବନ୍ୟା ଆସିଛି କିନ୍ତୁ ଏହି ଗଛ ସେମିତି ଛିଡା ହୋଇ ରହିଛି । ଆଉ ଏହି ଗଛକୁ ନେଇ ସ୍ଥାନୀୟ ଲୋକଙ୍କର ଅନେକ କଥା ବି ଶୁଣିବାକୁ ମିଳିଛି ।.

ପୂଣ୍ୟତୋୟା ବୈତରଣୀ ନଇର ବାମ ପାର୍ଶ୍ୱରେ ଝଙ୍କାଳିଆ ବରଗଛଟିଏ ଅଛି । ଅନେକ ଇତିହାସର ସିଏ ମୂକସାକ୍ଷୀ । ପିଢି ପରେ ପିଢି ଚାଲିଯାଉଛନ୍ତି ହେଲେ ସିଏ ସେମିତି ଛିଡା ହୋଇ ରହିଛି । ପାଖାପାଖି ୫ ଏକରରୁ ଅଧିକ ପରିଧି ଜମିରେ ଛିଡ଼ା ହୋଇ ରହିଛି ସେହି ବରଗଛଟି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୂରା ବ୍ଲକ୍‌ରେ ଏହାଠୁ ଅଧିକ ପୁରୁଣା ଗଛ ଆଉ କୋଉଠି ନାହିଁ । କାରଣ ଏହି ଗଛରେ ୩୦ରୁ ଅଧିକ ମୂଳ ଅଛି । ତେଣୁ ବର୍ତ୍ତମାନ ସମୟରେ ଗଛର ପ୍ରକୃତ ମୂଳ କେଉଁଟା କେହି ପାରୁନାହାନ୍ତି ।

ବରଗଛଟି ଭଦ୍ରକ ଧାମନଗର ବ୍ଲକ ସୋହଡ଼ା କଣ୍ଟାପାରୀ ଅଂଚଳରେ ରହିଛି । ଯାହାକୁ ନେଇ ପୂରା ଜିଲ୍ଲାରେ ଏବେ ଚର୍ଚ୍ଚା । ଗଛ ଏତେ ବିଶାଳ ଯେ ଏହାରି ଛାଇ ତଳେ ଅନେକ ଓଡ଼ିଆ ଫିଲ୍ମ ମଧ୍ୟ ସୁଟିଂ ହୋଇଛି । ହେଲେ କେହି ସଠିକ୍‌ ଭାବରେ କହିପାରୁନାହାନ୍ତି ପ୍ରକୃତରେ ସେହି ବୁଢା ବରଗଛର ବୟସ କେତେ?

ଉଦ୍ଭିଦ ବିଜ୍ଞାନ ଅନୁସାରେ ବରଗଛର ଜୀବନକାଳ ୩୦୦ରୁ ୧୫ଶହ ବର୍ଷ ହୋଇଥାଏ । ତେଣୁ ଲୋକ କୁହନ୍ତି ଏହାର ଆୟୂଷ ୫୦୦ ବର୍ଷ ହେବ । ତେଣୁ ଏହାରି କୋଳରେ ବୁଢାଠୁ ପିଲା ସମସ୍ତେ ବସନ୍ତି, ମସ୍ତି କରନ୍ତି । ଖାଲି ବସନ୍ତି ତାହା ନୁହେଁ ବରଂ ତାସ୍‌ ଖେଳହୁଏ, ଏହାରି ବାହୁରେ ଦୋଳିରେ ଝୁଲା ବି ହୁଏ । ବେଳେବେଳେ ଏମିତି ହୁଏ କି ଏହାରି ମୂଳରେ ଶହଶହ ଲୋକ ଭୋଜିଭାତ ବି କରନ୍ତି ।

ସେହି ଗଛ କେବଳ ଛାଇ ଦେଉଛି ତାହା ନୁହେଁ ବରଂ ତାହା ଲାଗି ମହାବାତ୍ୟାରେ ଶହଶହ ଲୋକଙ୍କ ଘର ଭାଙ୍ଗିବାରୁ ବଞ୍ଚିଯାଇଛି । ସୁ ସୁ ହୋଇ ଯେତେବେଳେ ବାତ୍ୟା ବତାସ ମାଡି ଆସୁଥିଲା ସେତେବେଳେ ଏହି ସମୟରେ ଏହି ଗଛ ହିଁ ନିଜର ଡାଳ ଭାଙ୍ଗି ପବନକୁ ଅଟକାଇଥିଲା । ତେଣୁ ଏହି ବିଶାଳକାୟ ବରଗଛକୁ ସୁରକ୍ଷା ଦେବା ସହିତ ରକ୍ଷଣାବେକ୍ଷଣ ଲାଗି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଗଲେ ଅନେକ ଲୋକ ଉପକୃତ ହେବେ ବୋଲି କହିଛନ୍ତି ଅଂଚଳର ଯୁବବର୍ଗ ।

 

  • Reported by:
  • Partha Sarathi nayak