• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସରିବା ସରିବା ହେଲାଣି। ହେଲେ ଜୟପୁର-ମାଲକାନଗିରି ଓ ଜୟପୁର- ନବରଙ୍ଗପୁର ରେଳ ଲାଇନ୍ ପ୍ରକଳ୍ପ ଆରମ୍ଭରୁ ଝୁଣ୍ଟିଛି। ଏଥିପାଇଁ କେନ୍ଦ୍ର ବଜେଟରେ ବ୍ୟୟବରାଦ କରୁଥିଲେ ବି ରାଜ୍ୟ ସରକାର ଇଞ୍ଚେ ସୁଦ୍ଧା ଜମି ହସ୍ତାନ୍ତର କରିନାହାନ୍ତି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ୨ ଜିଲ୍ଲା ବାସୀ। ଏଥିସହ ରାଜନୀତି ଜୋର ଧରିଛି।

ମାଲକାନଗିରିକୁ ଆକାଶ ମାର୍ଗରେ ଯୋଡ଼ିବାକୁ ବ୍ୟଗ୍ର ,ହେଲେ ସେଠାରେ ରେଳ ଗଡ଼ିବା କଥା ପାଶୋରି ଯାଇଛନ୍ତି ରାଜ୍ୟ ସରକାର। ନବରଙ୍ଗପୁରକୁ ଟ୍ରେନ୍ ଗଡ଼ିବା ସ୍ବପ୍ନ ସତ ହେବ କି ନାହିଁ, ତାହାକୁ ନେଇ ବି ସନ୍ଦେହ।୨୦୧୬ରୁ ୨୦୨୪। ପ୍ରତି ଥର ରେଳ ବଜେଟରେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ଲାଇନ୍ ପାଇଁ ଅର୍ଥ ବରାଦ ହେଉଛି ହେଲେ ପ୍ରକଳ୍ପ ଉଧୋଉନି।

୧୨୮ କିଲୋମିଟର ଲମ୍ବ ଏହି ନୂଆ ରେଳପଥ ପାଇଁ ୨୦୧୬ରେ କେନ୍ଦ୍ର-ରାଜ୍ୟ ଚୁକ୍ତି ହୋଇଥିଲା । ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇବା ସହ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ବହନ କରିବାକୁ କହିଥିଲେ। ମାଲକାନଗିରିରେ ୮୦ କିଲୋମିଟର ଲାଇନ୍ ପାଇଁ ୭୧୩ ଏକର ଘରୋଇ, ୨୫୨ ଏକର ସରକାରୀ ଓ ୮୮୦ ଏକର ଜଙ୍ଗଲ ଜମି ଦରକାର। ଜିଲ୍ଲାର ଖଇରୁପଟ, ମାଥିଲି ଓ ମାଲକାନଗିରି ବ୍ଲକର ୪୨ଟି ଗାଁ ଦେଇ ଟ୍ରେନ୍ ଯିବ। କିନ୍ତୁ ପ୍ରକଳ୍ପ କେବଳ ସର୍ଭେରେ ଅଟକିଛି। ୭ବର୍ଷ ପରେ ବି ଅଧିଗ୍ରହଣ ହୋଇନି ଇଞ୍ଚେ ସୁଦ୍ଧା ଜମି।

ସେହିପରି ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ନବରଙ୍ଗପୁର ଜିଲ୍ଲାରେ ଜମି ଅଧିଗ୍ରହଣ ସରିଥିବା କୁହାଯାଉଥିବାବେଳେ କୋରାପୁଟର ଜୟପୁର ଓ ବୋରିଗୁମ୍ମା ତହସିଲର ୨୦ଟି ଗାଁରେ ଏ କାମ ଅଧପନ୍ତରିଆ। ଏହାରି ଭିତରେ ଭୂ-ଅର୍ଜନ ଅଧିକାରୀ କିନ୍ତୁ ବଦଳି ଚାଲିଛନ୍ତି। ତିନୋଟି ଜିଲ୍ଲା ପାଇଁ ଜଣେ ମାତ୍ର ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ଏହା ମନ୍ଥର ଗତିର କାରଣ ସାଜିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଓ ମାଲକାନଗିରି ବାସୀ କହିଲେଣି- ଆମ ଜୀବଦଶାରେ ଟ୍ରେନ୍ ଦେଖିଲା ଭଳି ଲାଗୁନି।

ରେଳପଥର କଚ୍ଛପ ଗତିକୁ ନେଇ ଦୋଷ ଲଦାଲଦି ହୋଇଛନ୍ତି ସ୍ଥାନୀୟ ନେତା। ବିଜେପି ଅଭିଯୋଗ କରିଛି- କେନ୍ଦ୍ର ପ୍ରତି ବଜେଟରେ ବ୍ୟୟ ବରାଦ କରୁଛି, ହେଲେ ରାଜ୍ୟ ଇଞ୍ଚେ ବି ଜମି ହସ୍ତାନ୍ତର କରିନି। କଂଗ୍ରେସ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। ବିଜେଡି କେନ୍ଦ୍ର ଅବହେଳା ଆଳ ଦେଖାଇ ସବୁଦୋଷ ରେଳ ବିଭାଗ ମୁଣ୍ଡକୁ ଠେଲିଛି।