/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696227248.jpg)
Jojanara Na Hariloot ,
୨୫୦ ମିଟର ରାସ୍ତାକୁ ୭ ଥର ବିଲ୍ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତରେ ଏଭଳି ହୋଇଛି ଦୁର୍ନୀତି। ମନରେଗା, ରାଜ୍ୟ ଅର୍ଥ କମିଶନ, କାଲାମିଟି ରିଲିଫ୍ ଫଣ୍ଡ ଭଳି ବିଭିନ୍ନ ସ୍କିମ୍ ଏବଂ ଶେଷରେ ସାଂସଦଙ୍କ ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହୋଇଛି। ଗତ ୫ ବର୍ଷ ଭିତରେ ଏଭଳି ୭ଥର ୧୫ ଲକ୍ଷ ୪୪ ହଜାର ଟଙ୍କା ବିଲ୍ ହୋଇଛି। ହେଲେ ରାସ୍ତାର ଭାଗ୍ୟ ବଦଳୁନି। କେବଳ ରାସ୍ତା ନୁହେଁ, ଶ୍ମଶାନ ଚାରିପଟେ ବୃକ୍ଷରୋପଣ ବାବଦରେ ମଧ୍ୟ ଘୋଟାଲା ହୋଇଛି।
କେନ୍ଦ୍ରାପଡ଼ା ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତରେ ବଡ଼ପଲ୍ଲୀ ହାଇସ୍କୁଲଠୁ ସବ୍ ଷ୍ଟେସନ୍ ସ୍କୋୟାର ପର୍ଯ୍ୟନ୍ତ ୨୫୦ ମିଟର ରାସ୍ତା କାମରେ ହୋଇଛି ଏଭଳି ଦୁର୍ନୀତି। ୭୦ ମିଟର ଢଳେଇ ପଡିଛି ଏବଂ ୧୮୦ ମିଟର ପେଭର ବ୍ଲକ କରାଯାଇଛି। କିନ୍ତୁ ୨୦୧୮ ମସିହାରୁ ବାରମ୍ବାର ଏହି ଗୋଟିଏ ରାସ୍ତାକୁ ସରକାରୀ ଦସ୍ତାବିଜରେ ଚକାଚକ୍ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡପ୍ କରାଯାଇଛି। ମନରେଗା, ରାଜ୍ୟ ଅର୍ଥ କମିଶନ, କାଲାମିଟି ରିଲିଫ ଫଣ୍ଡରୁ ବିଭିନ୍ନ ପର୍ଯ୍ୟାୟରେ ଲକ୍ଷାଧିକ ଟଙ୍କା ଉଠିଛି। ଏପରିକି କେନ୍ଦ୍ରାପଡ଼ା ସାଂସଦଙ୍କ ପାଣ୍ଠିରୁ କିଛି ମାସ ତଳେ ୪ ଲକ୍ଷ ୮୦ ହଜାର ଟଙ୍କା ପେମେଣ୍ଟ ହୋଇଛି। ଏଭଳି ଗତ ୫ ବର୍ଷ ଭିତରେ ୭ଥର ମୋଟ ୧୫ ଲକ୍ଷ ୪୪ ହଜାର ଟଙ୍କା ଉଠାଇ ନିଆଯାଇଛି।
ରାସ୍ତାର ଅବସ୍ଥା ଦେଖିଲେ ଆପଣ ଅନୁମାନ କରିପାରିବେ । ସାଇକେଲରେ ଗଲେ ମଧ୍ୟ ବିଲକୁ ଖସିପଡିବାର ଭୟ। ଦୁଇ ବର୍ଷ ଭିତରେ ରାସ୍ତାରେ ମାଟି କି ବାଲି ମୁଠାଏ ପଡିନି। ଗୋଟିଏ ୨୫୦ ମିଟର ରାସ୍ତାକୁ କେମିତି ୭ଥର ବିଲ୍ ହୋଇଛି ? କିଭଳି ଯାଞ୍ଚ ନକରି ବିଲ କରାଯାଉଛି ? ଏହାର ତଦନ୍ତ ଦାବି କରିଛନ୍ତି ବର୍ତ୍ତମାନର ସରପଞ୍ଚ ଓ ସମିତିସଭ୍ୟ।
କେବଳ ରାସ୍ତା ନୁହେଁ, କୋଇଲିପୁର ପଞ୍ଚାୟତର ବଡପଲ୍ଲୀ ଶ୍ମଶାନ ଚାରିପଟେ ବୃକ୍ଷରୋପଣ ଆଳରେ ପ୍ରାୟ ୫ ଲକ୍ଷ ଟଙ୍କା ଉଠିଛି। ୨୦୧୯ ଡିସେମ୍ବର ୨୮ ତାରିଖରେ ଥରେ ୧ ଲକ୍ଷ ୫୩ ହଜାର ଏବଂ ଆଉ ଥରେ ୫୩ ହଜାର ଉଠିଛି। ତାର ୪ ମାସ ପରେ ୨୦୨୦ ଏପ୍ରିଲ ୨୧ ତାରିଖରେ ପୁଣିଥରେ ୧ ଲକ୍ଷ ୭୨ ହଜାର ଟଙ୍କା ଏହିପରି ମୋଟ ଉପରେ ୪ ଲକ୍ଷ ୯୯ ହଜାର ଟଙ୍କା ଉଠାଯାଇଛି। କିନ୍ତୁ ତାର ଜାଲି ଘେରାଯାଇ ତା ଭିତରେ ଚାରି ପାଞ୍ଚୋଟି ଗଛ ଲାଗିଛି।
କୋଇଲିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରଶ୍ମିତା ପଢିହାରୀଙ୍କ ସମୟରେ ଏହି ଦୁର୍ନୀତି ହୋଇଛି। କିନ୍ତୁ ଏ ବାବଦରେ ତାଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିଲେ। ସେପଟେ ବିଡିଓ କହିଛନ୍ତି, ଯିଏ ବି ଦୋଷୀ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ।
ଲେଉଟିଆ ଶାଗକୁ କାଟି କାଟି ଖାଇବା ଭଳି ଗୋଟିଏ ରାସ୍ତାକୁ କାଗଜପତ୍ରରେ ଦେଖାଇ କିପରି ବାରମ୍ବାର ବିଲ୍ ହେଲା, ତାର ତଦନ୍ତ ଆବଶ୍ୟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)