Advertisment

ମିଛ କାମ ହେଲେ ସତ ଟଙ୍କା ଉଠାଣ : ଟ୍ରେଞ୍ଚ ନଖୋଳି ଲକ୍ଷାଧିକ ଟଙ୍କା ଚଳୁ

ଶ୍ରମିକମାନେ ଆଦୌ କାମ କରିନଥିବା ବେଳେ କିଭଳି ସେମାନଙ୍କ ନାଁ କିଭଳି ମଷ୍ଟର ରୋଲରେ ଚଢାଗଲା

author-image
Prangyan Parimita
jojana Ra Na Hariloot

jojana Ra Na Hariloot

ନବରଙ୍ଗପୁର ଜିଲ୍ଲାରେ ପୁଣି ଏକ ମନରେଗା ଦୁର୍ନୀତି ସାମ୍ନାକୁ ଆସିଛି। ଟ୍ରେଞ୍ଚ୍ ଖୋଳା ପାଇଁ ଆସିଥିବା ୧୦ ଲକ୍ଷ ଟଙ୍କାରୁ ଲକ୍ଷେ ୬୦ ହଜାର ଟଙ୍କା ଉଠି ସାରିଲାଣି,କିନ୍ତୁ ଆଦୌ କାମ ହୋଇନି। ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚାୟତର କର୍ଲାଘାଟିଠାରେ ଏହି ଟ୍ରେଞ୍ଚ ହେବା କଥା। ହେଲେ ସରପଞ୍ଚ, ଜିଆରଏସ୍, ପିଇଓ, ଜେଇ ମିଳିମିଶି ଟଙ୍କା ଚଳୁ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଏପରିକି କାମ ବାବଦରେ ନାଏବ ସରପଞ୍ଚ ଓ ମନରେଗା ତଦାରଖ ଦାୟିତ୍ୱରେ ଥିବା ମେଟ୍ ମଧ୍ୟ ଜାଣିନାହାନ୍ତି।

Advertisment

ନବରଙ୍ଗପୁର ଜିଲ୍ଲା ଲମତାଗୁଡ଼ା ପଞ୍ଚାୟତର କର୍ଲାଘାଟିରେ ଟ୍ରେଞ୍ଚ ଖୋଳା ପାଇଁ ମନରେଗା ଯୋଜନାରେ ମଞ୍ଜୁର ହୋଇଥିଲା ୧୦ ଲକ୍ଷ ଟଙ୍କା। ସେଥିରୁ ୧ ଲକ୍ଷ ୫୯ ହଜାର ଟଙ୍କା ଉଠିସାରିଲାଣି। ଶତାଧିକ ଶ୍ରମିକ ଟ୍ରେଞ୍ଚ ଖୋଳା କାମ କରିଛନ୍ତି ଏବଂ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିବା ମଷ୍ଟର ରୋଲରେ ଦର୍ଶାଯାଇଛି। ତେବେ ଇଏ ହେଉଛି ବାସ୍ତବତା । କୋଦାଳରେ କିଛି ମାଟି ଖୋଳିଦେଇ ଜିଓ ଟ୍ୟାଗ୍ କରାଯାଇଛି। ବାସ୍, ଏତିକି ଦେଖେଇ ୧ ଲକ୍ଷ ୫୯ ହଜାର ଟଙ୍କା ବିଲ୍ ଉଠିସାରିଛି ।

କହ୍ନେଇମୁଣ୍ଡା ଗାଁର ଶ୍ରମିକ କାମ କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଯାଇ ବୁଝିବାରୁ ପୁଣି କାମ ଆରମ୍ଭ ହେଲେ ନିୟୋଜିତ କରାଯିବ ବୋଲି ତାଙ୍କୁ କୁହାଯାଇଥିଲା । କିନ୍ତୁ ବାରମ୍ବାର ଏଭଳି ପ୍ରତିଶ୍ରୁତି ଦିଆଯାଉଥିବାରୁ ଗ୍ରାମବାସୀ ଦୁର୍ନୀତି ହୋଇଥିବା ଆଶଙ୍କା କରି ପ୍ରକଳ୍ପ ସମ୍ପର୍କରେ ଅନଲାଇନରେ ତନାଘନା କରିଥିଲେ । ଟ୍ରେଞ୍ଚ କାମ ପାଇଁ ୧ ଲକ୍ଷ ୫୯ ହଜାର ୬୧୮ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ । ମନରେଗା କାମର ତଦାରଖ କରିବା ଦାୟିତ୍ୱ ମେଟର । ହେଲେ ମେଟର ଅଗୋଚରରେ କାମ ନହୋଇ ଟଙ୍କା ଉଠିଯାଇଛି ।

Advertisment

ଲମତାଗୁଡ଼ା ପଞ୍ଚାୟତର ସରପଞ୍ଚ କୃଷ୍ଣ ସଉରା ଏହି ପ୍ରକଳ୍ପ କାମ କରୁଥିଲେ। ତେବେ କାମ ନକରି କେମିତି ବିଲ୍ କଲେ ? ସରପଞ୍ଚ, ଜିଆରଏସ୍, ପିଇଓ ଏବଂ ଜେଇ ମିଳିମିଶି ଟଙ୍କା ହଡପ କରିଥିବା ଉଭୟ ନାଏବ ସରପଞ୍ଚ ଓ ୱାର୍ଡମେମ୍ବର ଅଭିଯୋଗ କରିଛନ୍ତି। ହେରଫେରକୁ ନେଇ ଥାନାରେ ଏତଲା ଦେଇଛନ୍ତି ନାଏବ ସରପଞ୍ଚ।

ଶ୍ରମିକମାନେ ଆଦୌ କାମ କରିନଥିବା ବେଳେ କିଭଳି ସେମାନଙ୍କ ନାଁ କିଭଳି ମଷ୍ଟର ରୋଲରେ ଚଢାଗଲା ? ସେମାନଙ୍କ ଆକାଉଣ୍ଟରୁ କେମିତି ଟଙ୍କା ଉଠାଣ ହୋଇଛି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସେପଟେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ତେନ୍ତୁଳିଖୁଣ୍ଟି ବିଡିଓ।

Jojana Ra Na Hariloot
Advertisment
Advertisment