Advertisment

ଚାଷୀଙ୍କୁ ମିଳୁନି ଫାଇଦା, ଅଫିସରଙ୍କ ପକେଟ ଗରମ୍‌

ପୋଖରୀ ନଖୋଳି ସବସିଡି ଟଙ୍କା ଚଳୁ

author-image
Prangyan Parimita
ଅଦ୍ୟତନ ହୋଇଛି
Yojanara Na Hariloot

Yojanara Na Hariloot

ସ୍ୱାବଲମ୍ବୀ ହେବେ ଚାଷୀ । ମାଛ ଚାଷ ଦେଖାଇବ ରୋଜଗାରର ବାଟ । ଏଭଳି ଉଦ୍ଦେଶ୍ୟ ନେଇ ସରକାର ଆରମ୍ଭ କରିଥିଲେ ମତ୍ସ୍ୟ ପୋଖରୀ ଯୋଜନା । ତେବେ ଦେବଗଡ଼ ଜିଲ୍ଲା ରେ ଏହି ଯୋଜନା ଏବେ ବାଟବଣା । ଚାଷୀଙ୍କୁ ଅନ୍ଧାରରେ ରଖି ଲାଭବାନ ହେଉଛନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ। ଦଲାଲଙ୍କୁ ହାତବାରିସି କରି ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଛନ୍ତି ଅଧିକାରୀ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ମତ୍ସ୍ୟ ପୋଖରୀ ଖନନରେ କିଭଳି ହୋଇଛି ଦୁର୍ନୀତି, ତାର ପର୍ଦ୍ଦାଫାସ କରିଛି ଆରଟିଆଇରୁ ମିଳିଥିବା ତଥ୍ୟ ।

Advertisment

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ୩ଟି ପଞ୍ଚାୟତରେ ଗୋଟିଏ କି ଦୁଇଟି ନୁହେଁ, ୪୧ଟି ମତ୍ସ୍ୟ ପୋଖରୀରେ ଏମିତି ହୋଇଛି। ପୋଖରୀ ଖୋଳାଯାଇଥିବା କାଗଜପତ୍ରରେ ଦର୍ଶାଇ ଲୋନ୍ ଟଙ୍କା ହଡପ୍ କରାଯାଇଛି । ଗତ ୩ ବର୍ଷ ଧରି ଏଭଳି ଦୁର୍ନୀତି ହୋଇଆସୁଥିଲେ ମଧ୍ୟ ଟେର ମିଳୁନଥିଲା। ତେବେ ଗଣନାଥ ପାତ୍ର ନାମକ ଜଣେ ବ୍ୟକ୍ତି ଆରଟିଆଇରେ ମତ୍ସ୍ୟ ବିଭାଗରୁ ତଥ୍ୟ ମାଗିବା ପରେ ପଦାକୁ ଆସିଛି ମାଛ ପୋଖରୀର ସତ ।

ଅଧିକ ପଢ଼ନ୍ତୁ: ମଧୁବାବୁ ପେନସନ୍ ଯୋଜନାରେ ଗଫଲତି : ଅଯୋଗ୍ୟଙ୍କୁ ମିଳୁଛି ଭତ୍ତା, ହେଲେ . .

Advertisment

ଆରଟିଆଇ ତଥ୍ୟ ଅନୁସାରେ, ୨୦୧୯-୨୦ ଆର୍ଥିକ ବର୍ଷରେ ୩୦ ଜଣ, ୨୦୨୦-୨୧ରେ ୧୬ ଜଣ ଓ ୨୦୨୧-୨୨ରେ ୧୫ ଜଣ ଚାଷୀଙ୍କୁ ମତ୍ସ୍ୟ ପୋଖରୀ ଯୋଜନାରେ ସାମିଲ ପାଇଁ ମନୋନୀତ କରାଯାଇଥିଲା । ଏହି ତିନିବର୍ଷରେ ୬୧ ଜଣ ଚାଷୀଙ୍କ ପାଇଁ ୨ କୋଟି ୪୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ସେମାନଙ୍କ ମଧ୍ୟରୁ ୪୧ ଜଣ ଚାଷୀଙ୍କ ନାଁରେ ୪୦ରୁ ୫୦ ପ୍ରତିଶତ ସବସିଡି ହିସାବରେ ୫୫ ଲକ୍ଷ ୯୭ ହଜାର ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ପକାଯାଇଥିଲା । ମାତ୍ର ସେହି ଟଙ୍କାକୁ ମଧ୍ୟ ହଡପ୍ କରାଯାଇଥିବା ଅଭିଯୋଗ ହୋଇଛି।

ଚାଷୀଙ୍କ ଅଭିଯୋଗ, କେଲଡା ପଞ୍ଚାୟତ ସାଲୋହୀ ଗାଁର ଭୋଳା ପ୍ରଧାନ ନାମକ ଜଣେ ବ୍ୟକ୍ତି ଚାଷୀମାନଙ୍କୁ ମାଗଣାରେ ମାଛ ପୋଖରୀ ଖୋଳାଇ ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କ ନାଁରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲା । ହିତାଧିକାରୀଙ୍କ ପାସବୁକ୍, ଚେକବୁକ୍ ଇତ୍ୟାଦି ନିଜ ପାଖରେ ରଖିଥିଲା । ପରେ ହିତାଧିକାରୀ ମାନଙ୍କ ଚେକ୍ ବ୍ୟବହାର କରି ସେମାନଙ୍କ ଆକାଉଣ୍ଟରୁ ସବସିଡି ଟଙ୍କା ଉଠାଇଥିବା ତଦନ୍ତ ସମୟରେ ଜଣାପଡିଛି।

ଚାଷୀଙ୍କ ନାଁରେ ଆକାଉଣ୍ଟ ଖୋଲି ସେମାନଙ୍କ ଆକଉଣ୍ଟରୁ ଟଙ୍କା ଉଠାଇଲେ ଦଲାଲ ଓ କିଛି ଅଫିସର । କିନ୍ତୁ ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଦେଖୁଥିବା ବିଚରା ଚାଷୀ ରୁଣ ନନେଇ ମଧ୍ୟ ଏବେ ‌ଋଣଗ୍ରସ୍ତ । ଏହି ମହାଠକେଇ ପଛରେ ଦଲାଲ ସହ ଆଉ କେଉଁମାନଙ୍କର ହାତ ରହିଛି, ତାର ତଦନ୍ତ ପାଇଁ ଦାବି କରିଛନ୍ତି ଠକେଇର ଶିକାର ହିତାଧିକାରୀ।

ମତ୍ସ୍ୟ ପୋଖରୀ ଖନନ ନାଁରେ ସବସିଡି ଓ ଲୋନ୍ ଟଙ୍କା ହଡପ୍ କଥା ଆରଟିଆଇରୁ ଜଣାପଡିବା ପରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଜ ଦୋଷ ଖସାଇବାକୁ ଯାଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାରକୋଟ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ଏଠି ପ୍ରଶ୍ନ ଉଠୁଛି, ମତ୍ସ୍ୟ ପୋଖରୀ ନାଁରେ ଚାଷୀଙ୍କ ଟଙ୍କା ଆତ୍ମସାତ୍ ହେଲା ଅଥଚ ଜିଲ୍ଲା ମତ୍ସ୍ୟ ଅଧିକାରୀ ଜାଣିପାରିଲେନି କେମିତି ? ଏହା ପଛରେ ବ୍ୟାଙ୍କ ଅଧିକାରୀଙ୍କ ସଂପୃକ୍ତି ରହିଛି କି ?

Jojanara Na Hariloot Yojanara Na Hariloot
Advertisment
Advertisment