/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687074715.jpg)
jojanara Na hariloot
ଆଦିବାସୀ ଇଲାକା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ସାମ୍ନାକୁ ଆସିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟଙ୍କା ଆତ୍ମସାତ୍ ଘଟଣା । ହିତାଧିକାରୀ ମାନଙ୍କ ନାଁରେ ଘର ଆସିଛି, କିନ୍ତୁ ସେମାନଙ୍କୁ ଆବାସ ବାବଦ ଟଙ୍କା ମିଳିନାହିଁ । ସେମାନଙ୍କ ଟଙ୍କାକୁ ପଞ୍ଚାୟତ ପ୍ରତିନିଧି ଓ ବ୍ଲକର କିଛି ଅଧିକାରୀ ମିଳିମିଶି ଉଠାଇ ଦେଇଛନ୍ତି । ହିତାଧିକାରୀମାନେ ଏମିତି ସାଂଘାତିକ ଅଭିଯୋଗ କରିଛନ୍ତି । କେବଳ ଜୋଡିଙ୍ଗା ପଞ୍ଚାୟତରେ ଶତାଧିକ ଲୋକଙ୍କର ଆବାସ ଘର ଟଙ୍କା ହଡପ୍ ହୋଇଛି ।
ରାଇଘର ବ୍ଲକ ଜୋଡିଙ୍ଗା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ବଡ଼ ଦୁର୍ନୀତି ହୋଇଛି । ହିତାଧିକାରୀମାନେ ଭଙ୍ଗା ଦଦରା ଝାଟି ମାଟି ଘରେ ରହୁଛନ୍ତି । ସେମାନଙ୍କ ନାଁରେ ଆବାସ ଗୃହ ମଞ୍ଜୁର ହୋଇଛି, ହେଲେ ସେମାନେ ଆବାସ କିସ୍ତିରୁ ବଞ୍ଚିତ। ଜୋଡିଙ୍ଗା ପଞ୍ଚାୟତ ବୋରଗାଁ ଗ୍ରାମର ଲକ୍ଷିନାଥ ଗାଉଣ୍ଟିଆ । ୨୦୧୮-୧୯ ଆର୍ଥିକ ବର୍ଷରେ ଲକ୍ଷିନାଥଙ୍କ ନାଁରେ ମଞ୍ଜୁର ହୋଇଥିଲା ଆବାସ ଘର । ତେବେ ତାଙ୍କ ଘର ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ସମସ୍ତ ୧ ଲକ୍ଷ ୩୦ ହଜାର ଟଙ୍କା ଉଠାଯାଇଛି । କିନ୍ତୁ ଲକ୍ଷିନାଥଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନଆସି ଅନ୍ୟ ଜଣଙ୍କର ଆକାଉଣ୍ଟକୁ ଯାଇଛି।
ସେହି ବୋରଗାଁର ଆଉ ଜଣେ ହିତାଧିକାରୀ ରୁକ୍ମଣ ଗଣ୍ଡ ମଧ୍ୟ ଠକେଇର ଶିକାର। ତାଙ୍କ ନାଁରେ ଘର ମଞ୍ଜୁର ହୋଇଥିଲା, ଜିଓ ଟ୍ୟାଗ ବେଳେ ବାପା ମାଙ୍ଗା ଗଣ୍ଡଙ୍କ ଫଟୋ ନେଇ ଟଙ୍କା ଉଠାଇଦେଲେ । ହେଲେରୁକ୍ମଣ ଗଣ୍ଡଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହି। ଏବେ ଭଙ୍ଗା ଖପରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ପୂରା ପରିବାର।
ସେହିପରି ଜୋଡିଙ୍ଗା ପଞ୍ଚାୟତ ନୂଆଗାଁର ଗଡ୍ରି ଗଣ୍ଡ । ପରିଣତ ବୟସରେ ଏକ ଭଙ୍ଗା ଘରେ ରହୁଥିବା ଗଡ୍ରିଙ୍କ ନାଁରେ ୨୦୧୯-୨୦ରେ ଆବାସ ଘର ଆସିଥିଲା। ହେଲେ କାଗଜପତ୍ରରେ ଘର ତିଆରି ସରିଥିବା ଦର୍ଶାଇ ସମସ୍ତ ଟଙ୍କା ଉଠାଯାଇଛି। ଗଡ୍ରି ଗଣ୍ଡ ଟଙ୍କା ପାଇନାହାନ୍ତି, ଅନ୍ୟ କାହା ଆକାଉଣ୍ଟକୁ ଯାଇଛି।
ଜୋଡ଼ିଙ୍ଗା ପଞ୍ଚାୟତ କୁକୁରକୁଆଁ ଗାଁର ତିନିଥର ୱାର୍ଡମେମ୍ବର ରହିଥିବା ଦଲସାଏ ଗଣ୍ଡ ଓ ତାଙ୍କ ବୋହୂ କୁନିବାଇ ଗଣ୍ଡ । ୨୦୧୮-୧୯ରେ ଦଲସାଏ ଓ ୨୦୧୯-୨୦ରେ କୁନିବାଇଙ୍କ ନାଁରେ ପୃଥକ୍ ପୃଥକ୍ ଭାବେ ୨ଟି PMAY ଘର ଆସିଥିଲା। ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି।କିନ୍ତୁ ସେତେବେଳର ସରପଞ୍ଚ ଫୁଲସିଂ ଗଣ୍ଡ ହିତାଧିକାରୀଙ୍କଠାରୁ ୨ଟି କିସ୍ତିରେ ୫୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ତେବେ ତତ୍କାଳୀନ ସରପଞ୍ଚ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ମୂଳରୁ ଘର ହୋଇନି, ଅଥଚ ସରକାରୀ କାଗଜପତ୍ରରେ ଘର ଦର୍ଶାଯାଇ ପ୍ରତି ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଉଠାଯାଇଛି । ଜୋଡ଼ିଙ୍ଗା ପଞ୍ଚାୟତରେ ଏଭଳି ୪୯୨ ଜଣ ହିତାଧିକାରୀଙ୍କ ନାଁରେ ଘର ଆସିଛି। କିଛି ଲୋକ ଟଙ୍କା ପାଇଛନ୍ତି, କିନ୍ତୁ ୧୦୦ରୁ ଅଧିକ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ନଆସି ଅନ୍ୟ ଆକାଉଣ୍ଟକୁ ଯାଇଛି। ତତ୍କାଳୀନ ସରପଞ୍ଚ, ପିଇଓ ଏବଂ ବ୍ଲକର କିଛି ଅଧିକାରୀ ମିଳିମିଶି ଅପାଠୁଆ ଆଦିବାସୀଙ୍କ ପ୍ରାପ୍ୟକୁ ହଡପ୍ କରିଛନ୍ତି,ଯାହାର ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ।
ନିୟମ ଅନୁସାରେ, ହିତାଧିକାରୀଙ୍କ ନିଜ ବ୍ୟାଙ୍କ ପାସବୁକରେ ଆବାସ କିସ୍ତି ଆସିବା କଥା। କିନ୍ତୁ ଏଠାରେ ତାର ବ୍ୟତିକ୍ରମ ହୋଇଛି। ହିତାଧିକାରୀଙ୍କ ଜାଗାରେ ଅନ୍ୟ ମାନଙ୍କର ଆକାଉଣ୍ଟ ନମ୍ବର ଦିଆଯାଇ ଅତି ଚତୁରତାର ସହ ଟଙ୍କା ଉଠାଣ ହୋଇଛି। ଏହି କାରସାଦି ପଛରେ ୨୦୧୭ରୁ ୨୦୨୨ ଭିତରେ ଦାୟିତ୍ୱରେ ଥିବା ଗ୍ରାମ ରୋଜଗାର ସେବକ ଏବଂ ତତ୍କାଳୀନ ପିଇଓଙ୍କ ପ୍ରମୁଖ ହାତ ରହିଛି । ତେବେ ଏ ସମ୍ପର୍କରେ ରାଇଘର ବିଡିଓଙ୍କୁ ପଚାରିବାରୁ ସେ ଲିଖିତ ଅଭିଯୋଗ ପାଇଲେ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
କେବଳ ଗୋଟିଏ ପଞ୍ଚାୟତରେ ନୁହେଁ, ରାଇଘର ବ୍ଲକର ୨୬ଟି ଯାକ ପଞ୍ଚାୟତରେ କାଗଜପତ୍ର ଯାଞ୍ଚ କଲେ, ହଜାର ହଜାର ହିତାଧିକାରୀଙ୍କ ଆବାସ ଟଙ୍କା ହଡପ୍ ହୋଇଥିବ ନିଶ୍ଚୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)