• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅସହ୍ୟ ଖରା...ନାକେଦମ୍‌ କଲାଣି ଗୁଳୁଗୁଳି । ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ମାଲକାନଗିରିରେ ତ ତାପମାତ୍ରା ୪୦ ପାର୍‌ ହେଲାଣି । ପ୍ରବଳ ଖରା ଲାଗି ଗଡିଆ, ପୋଖରୀ, କୂଅ ଓ ନଈ ସବୁ ଶୁଖିଲା ପଡ଼ିଛି । ଆଉ ଏମିତି ସ୍ଥିତିରେ ପିଇବା ପାଣି ଟୋପାଏ ପାଇଁ ବଡ଼ କଲବଲ ହେଉଛନ୍ତି ଲୋକେ । ସବୁଦିନ ପାଣି ଯୋଗାଇବା ଲାଗି ସରକାର ୪ଟି ନୂଆ ୱାଟର ପ୍ରୋଜେକ୍ଟ ଘୋଷଣା କରିଛନ୍ତି ସତ ହେଲେ ତାହା ଲୋକଙ୍କ କାମରେ ଆସୁନି ।

୪୦ ଡିଗ୍ରୀ ଖରାରେ ଶୁଖିଗଲାଣି ନଈନାଳ । ନଳକୂଅରୁ ବାହାରୁନି ପାଣି । କିଛି ଜାଗାରେ ଚୁଆ ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି ମାଲକାନଗିରି ବାସିନ୍ଦା । ଖରାଦିନରେ ଲୋକମାନେ କେମିତି ହଇରାଣ ନହେବେ ସେଥି ଲାଗି ୨୦୧୯ ମସିହାରେ ୧୦ଟି ପାଇପ୍ ୱାଟର ପ୍ରୋଜେକ୍ଟ ମଞ୍ଜୁର କରିଥିଲେ ରାଜ୍ୟ ସରକାର । 

କାଲିମେଳା ବ୍ଲକର ୫ଟି ପଞ୍ଚାୟତ ୨୧ଟି ଗାଁର ୫୮୬୫ ଘର ଓ ମାଲକାନଗିରି ବ୍ଲକ ୫ଟି ପଞ୍ଚାୟତ ୩୩ଟି ଗାଁର ୬୨୬୮ଟି ଘରକୁ ପାଣି ପହଞ୍ଚାଇବା ପାଇଁ ପଟେରୁ ନଦୀର ଭେଙ୍କଟାପାଲମ ଓ ଏମ୍‌ଭି ୩୯ ଠାରେ ୨ଟି ମେଗା ୱାଟର ପ୍ରୋଜେକ୍ଟ ମଞ୍ଜୁର ହୋଇଥିଲା । ୧୧ ସେପ୍ଟେମ୍ବର ୨୦୨୦ ମସିହାରେ ଏହାର କାର୍ଯ୍ୟାଦେଶ JMC କମ୍ପାନୀକୁ ଦିଆଯାଇଥିଲା । ଏହି କାର୍ଯ୍ୟ ସରିବାର ଅବଧି ଥିଲା ୯ ସେପ୍ଟେମ୍ବର ୨୦୨୨ । କିନ୍ତୁ ଏବେ ସୁଦ୍ଧା କାମ ସରିନାହିଁ । ତେଣୁ କାମର ଅବଧି ବଢାଯାଇଛି । ଆଉ ଏବେ ୧୩ ସେପ୍ଟେମ୍ବର ୨୦୨୩ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି RWSS ନିର୍ବାହୀ ଯନ୍ତ୍ରୀ ।

ସେହିପରି କୋରକୁଣ୍ଡା ବ୍ଳକର ୧୩୮୯୧ ଘର, ପଡ଼ିଆ ବ୍ଲକର ୯୬୨୮ ଘର ପାଇଁ ପଟେରୁ ଓ ସାବେରୀ ନଦୀରେ ପ୍ରକଳ୍ପ କରିବାକୁ NA କମ୍ପାନୀକୁ ୧୦ ଡିସେମ୍ବର ୨୦୨୧ରେ କାର୍ଯ୍ୟାଦେଶ ଦିଆଯାଇଥିଲା । ୯ ନଭେମ୍ବର ୨୦୨୩ ମଧ୍ୟରେ କାମ ସାରିବାକୁ କୁହାଯାଇଥିଲା । ଏବେ ସୁଦ୍ଧା ମାତ୍ର ୬୦ ପ୍ରତିଶତ କାମ ସରିଛି । ଜାଣି ଆଶ୍ଚର୍ଯ୍ୟ ହେବେ କି ସବୁ ଘରକୁ ଏଯାଏଁ ପାଣି ପାଇପ୍‌ ବି ବିଛାଯାଇନି ।

ଜିଲ୍ଲାରେ ପ୍ରାୟ ସବୁ ପ୍ରୋଜେକ୍ଟ ଅଧପନ୍ତରିଆ ଅବସ୍ଥାରେ ରହିଛି । ଆଉ ଏମିତି ସ୍ଥିତିରେ ପୁଣି ଗତ ଜାନୁଆରୀ ମାସରେ ୭୩୯ କୋଟି ୨୭ ଲକ୍ଷ ଟଙ୍କାର ୪ଟି ମେଗା ପାଇପ୍ ୱାଟର ପ୍ରୋଜେକ୍ଟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ତେଜିବାରେ ଲାଗିଲାଣି ଅସନ୍ତୋଷ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତିଘରେ ପାଣି ପହଞ୍ଚାଇବାକୁ କୋଟି କୋଟି ଟଙ୍କା ବ୍ୟୟରେ ଯୋଜନା କରୁଛନ୍ତି ସରକାର । ହେଲେ ଯୋଜନା ତ ସରୁନି ବରଂ ପ୍ରୋଜେକ୍ଟ ସବୁ ଅଧପନ୍ତରିଆ ଅବସ୍ଥାରେ ରହିଛି । ତେଣୁ କେବେ ଜିଲ୍ଲାବାସୀଙ୍କୁ ପିଇବା ପାଣି ମିଳୁଛି ତାହା ସମୟ କହିବ । 

 

  • Reported by:
  • JITENDRA BEURA