• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବଂଚି ଥିବା ଲୋକଙ୍କୁ ଚାଉଳ ମିଳୁନି କିନ୍ତୁ ଭୂତ ପାଉଛନ୍ତି ଚାଉଳ । ଦିନେ କି ଦୁଇଦିନ ନୁହେଁ ବର୍ଷବର୍ଷ ଧରି ଭୂତମାନେ ଚାଉଳ ପାଉଛନ୍ତି । ଯାହାକୁ ନେଇ ପୂରା ନୂଆପଡାରେ ଚାଲିଛି ଚର୍ଚ୍ଚା । ଜିଲ୍ଲାର ବୋଡେନ ବ୍ଲକ ବୋଡେନ ପଂଚାୟତର ଟେମରୀ ଗାଁ ବନ୍ଧପଡାର ଭାଗିରଥୀ ମାଝି । ତାଙ୍କ ବଡ ଭାଈ ଓ ଭାଉଜ ବର୍ଷେ ତଳେ ପ୍ରାଣ ହରାଇଥିଲେ । କିନ୍ତୁ ବର୍ଷେ ହେଲା ତାଙ୍କ ନାମ ତାଲିକାରୁ କଟି ନାହିଁ । ତାଙ୍କ ନାଁରେ ଚାଉଳ ଆସୁଛି । ହେଲେ ପରିବାର ଲୋକେ କେହି ଚାଉଳ ଆଣୁ ନାହାନ୍ତି । ତେବେ ବର୍ଷେ ହେବ ତାଙ୍କ ଭାଈଭାଉଜଙ୍କ ଚାଉଳ ନେଉଛି କିଏ ?

କେବଳ ଭାଗିରଥୀ ନୁହନ୍ତି ତାଙ୍କ ପରି ଅନେକ ଅଭିଯୋଗ କରିଛନ୍ତି ଯେ ମୃତ୍ୟୁ ହେବାର ୫ ବର୍ଷ ପରେ ବି ସେହି ମୃତ ବ୍ୟକ୍ତିଙ୍କ ନାମରେ ଥିବା ଚାଉଳ ମଧ୍ୟ ଉଠୁଛି । ପରିବାର ଲୋକେ ଚାଉଳ ଆଣୁ ନାହାନ୍ତି, କିନ୍ତୁ ତାଙ୍କ ଚାଉଳ ନେଉଛି କିଏ ? ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନେକ ସମୟରେ ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ ମିଳୁନି ହେଲେ ଏଇଠି ମୃତ୍ୟୁ ହୋଇଥିବା ଲୋକଙ୍କ ନାଁରେ ମିଳୁଛି ଚାଉଳ ।

ବୋଡେନ ବ୍ଲକର ବୋଡେନ ଗ୍ରାମ ପଂଚାୟତରେ କିଛି ଭୂତ ଚାଉଳ ପାଉଥିବା ଜଣା ପଡିଲା ପରେ ସେଠାକାର କିଛି ୱାର୍ଡସଭ୍ୟ ଓ କିଛି ସମାଜସେବୀ ପଂଚାୟତର ସବୁ ୱାର୍ଡରେ ସର୍ଭେ କଲେ । ପ୍ରାଥମିକ ପର୍ଯ୍ୟାୟରେ ଜଣାପଡିଲା କି, ପଂଚାୟତରେ ୧୩୯ ଜଣ ମୃତ ବ୍ୟକ୍ତିଙ୍କ ଚାଉଳକୁ ହଡପ୍‌ କରାଯାଉଛି । ଆଶ୍ଚର୍ଯ୍ୟକର କଥା ହେଲା, ୧୩୯ ଜଣଙ୍କ ନାଁରେ ସରକାର ଯେଉଁ ଚାଉଳ ଦେଉଛନ୍ତି ତାହାକୁ ସେମାନଙ୍କ ପରିବାର ଲୋକ ନେଉନାହାନ୍ତି । ତେଣୁ ସିଧାସିଧା ଏମାନଙ୍କର ଚାଉଳ ହଡପ ହେଉଥିବା କଥା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ତେଜିବାରେ ଲାଗିଛି ଅସନ୍ତୋଷ ।

ସେପଟେ ଚାଉଳ ହଡପ୍‌ ହେବା କଥା ଜଣାପଡିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଡିଓ । କହିଛନ୍ତି, କେଉଁମାନଙ୍କ ନାଁରେ ଚାଉଳ ବାଟମାରଣା ହେଉଛି ତାହାର ତଦନ୍ତ ହେବା ସହିତ ଖୁବଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ ।

 

  • Reported by:
  • MAYADHAR SARAF